ବାଲିଅନ୍ତା: ଧଉଳି ବସଷ୍ଟାଣ୍ଡରେ ଶାନ୍ତିସ୍ତୂପ ବୁଲିବାକୁ ଆସିଥିବା ଗୁଜୁରାଟର ପର୍ଯ୍ୟଟକଙ୍କଠାରୁ ଅଧିକ ପାର୍କିଂ ଫି’ ନେବାକୁ କେନ୍ଦ୍ର କରି ଆଜି ଅପରାହ୍ନରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ପର୍ଯ୍ୟଟକ ମୁଣ୍ଡ ପିଛା ୧୦ ଟଙ୍କା ପରିବର୍ତ୍ତେ ୨୫ ଟଙ୍କା ଫି’ ନିଆଯାଇଥିବା ଅଭିଯୋଗ ହୋଇଛି। ପରେ ଶାନ୍ତିସ୍ତୂପ ବୁଲିସାରି ଫେରିବା ବେଳେ ଠକାମୀର ଶିକାର ହୋଇଥିବା ସଂପୃକ୍ତ ପର୍ଯ୍ୟଟକ ଏବଂ ଫି’ ଆଦାୟ ଦାୟିତ୍ବରେ ଥିବା ଟୋଲଗେଟ କର୍ମଚାରୀଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏମିତିକି କଥା ଧଉଳି ଥାନାରେ ପହଞ୍ଚିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ନେଇ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସୂଚନା ଅନୁସାରେ ଆଜି ଗୁଜୁରାଟରୁ ଶତାଧିକ ବସ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନ ସାରି ଧଉଳି ଶାନ୍ତିସ୍ତୂପ ବୁଲିବାକୁ ଆସିଥିଲେ। ପାର୍କିଂ ଦାୟିତ୍ବରେ ଥିବା କର୍ମଚାରୀ ସର୍ଟଲ ବସରେ ଯିବା ଆସିବା ବାବଦରେ ପର୍ଯ୍ୟଟକ ମୁଣ୍ଡ ପିଛା ଫି’ ୧୦ ଟଙ୍କା ପରିବର୍ତ୍ତେ ୨୫ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଟୋଲଗେଟ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପର୍ଯ୍ୟଟକମାନଙ୍କ ଠାରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ପରିମାଣର ଫି’ ନିଆଯାଇଥିବା ବେଳେ ପର୍ଯ୍ୟଟକମାନଙ୍କ ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷ ଫି’ ଆଦାୟରେ ଜାଲିଆତି କରିଥିବା କୁହାଯାଉଛି। ପର୍ଯ୍ୟଟନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।