ଢେଙ୍କା ହାଇସ୍କୁଲ ଶିକ୍ଷକଙ୍କୁ ହତ୍ୟା ଘଟଣା: ଟଙ୍କା ପାଇଁ ହତ୍ୟା

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଘଟଣାର ୧୮ଦିନ ପରେ ନନ୍ଦିପଦା ପୁଲିସ ମୁଖ୍ୟ ଅଭିଯୁକ୍ତ ସୋସୋ ଥାନା ଢେଙ୍କା ପଞ୍ଚାୟତ କଣିଆରୀ ଗ୍ରାମର ଅରୂପ କୁମାର ଜେନା (୨୦)କୁ ଗିରଫ କରି କୋର୍ଟଚାଲାଣ କରିଛି। ମାତ୍ର ଦୁଇ ହଜାର ଟଙ୍କା ପାଇଁ ଅରୂପ ଶିକ୍ଷକ ଶ୍ରୀ ସ୍ବାଇଁଙ୍କୁ ହତ୍ୟା କରିଥିବା ପୁଲିସ କହିଛି।

ନଭେମ୍ବର ୧୩ ତାରିଖ ରାତିରେ ଅରୂପ ଶିକ୍ଷକ ଶ୍ରୀ ସ୍ବାଇଁ ସହିତ ସ୍କୁଟିରେ ତାଙ୍କ ଘରୁ ଆସିଥିଲା। ମରୈଗାଁସ୍ଥି ଭଡ଼ାଘରେ ଉଭୟ ଶୋଇଥିଲେ। ଏହି ସମୟରେ ଅରୂପ ଦୁଇ ହଜାର ଟଙ୍କା ଶ୍ରୀ ସ୍ବାଇଁଙ୍କୁ ମାଗିଥିଲା। ମାତ୍ର ଅରୂପର ବାପା ୫ ହଜାର ନେଇ ଫେରାଇ ନଥିବାରୁ ଶ୍ରୀ ସ୍ବାଇଁ ଆଉ ଟଙ୍କା ଦେବାକୁ ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅରୂପ ପାଖରେ ଥିବା ଏକ ହେମଦସ୍ତା ବାଡ଼ିରେ ଶ୍ରୀ ସ୍ବାଇଁଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା। ସେ କାଳେ ବଞ୍ଚିଯିବେ ଭାବି ପାଖରେ ରଖିଥିବା ଛୁରିରେ ତାଙ୍କ ବେକ, ପେଟକୁ ଭୁସି ହତ୍ୟା କରିଥିଲା ଅରୂପ। ପରେ ସେ ଶ୍ରୀ ସ୍ବାଇଁ ବେକରୁ ସୁନାଚେନ୍‌, ହାତରୁ ମୁଦି ଖୋଲି ନେବା ସହ ବାହାରୁ ତାଲା ପକାଇ ତ‌ାଙ୍କ ସ୍କୁଟି ନେଇ ପଳାଇଥିଲା। ଗଲାବେଳେ ବାଟରେ ମୋବାଇଲକୁ ସେ କଣିଆରୀ ଗାଁରେ ଥିବା ଏକ ପୋଖରୀକୁ ଫିଙ୍ଗି ଦେଇଥିଲା। ସଢ଼ା କେନାଲରେ ସ୍କୁଟି ପକାଇ ଦେଇଥିଲା। ଯାହାକୁ ହାଟଡିହି ଅଗ୍ନିଶମ ବାହିନୀ କିଛିଦିନ ତଳେ ଉଦ୍ଧାର କରିଥିଲା। ଘଟଣାର ପରଦିନ ଅର୍ଥାତ ୧୪ ତାରିଖରେ ମୃତ ଶିକ୍ଷକଙ୍କ ଭାଇଙ୍କ ଅଭିଯୋଗକ୍ରମେ ନନ୍ଦିପଦା ପୁଲିସ କେସ୍‌ ନମ୍ବର ୨୭୭/୨୦୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ମୁଖ୍ୟ ଅଭିଯୁକ୍ତ ଅରୂପକୁ ଗିରଫ କରାଯାଇଛି।

ଅରୂପ ଶିକ୍ଷକ ଶ୍ରୀ ସ୍ବାଇଁ ପାଖରେ ପୂର୍ବରୁ ପାଠ ପଢ଼ୁଥିଲା। ଶ୍ରୀ ସ୍ବାଇଁଙ୍କୁ ହତ୍ୟା କରିବା ପାଇଁ ସେ ପୂର୍ବରୁ ଯୋଜନା କରିବା ସହ ଏଥିପାଇଁ ଅନ୍‌ଲାଇନ୍‌ରେ ନଭେମ୍ବର ୧୧ ତାରିଖରୁ ଏକ ଛୁରି ମଗାଇଥିଲା। ଉକ୍ତ ଛୁରିରେ ହିଁ ସେ ହତ୍ୟା କରିଥିବା ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା କହିଛନ୍ତି। ଶିକ୍ଷକ ଶ୍ରୀ ସ୍ବାଇଁ ପିନ୍ଧିଥିବା ମୁଦିକୁ ଜବତ କରାଯାଇଛି। ସୁନାଚେନ୍‌ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଏସ୍‌ଡିପିଓ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର