ଢେଙ୍କାନାଳ: ଢେଙ୍କାନାଳ ବିଧାନସଭା ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଧାୟକ ସୁଧୀର କୁମାର ସାମଲଙ୍କ ଉପରେ ଆସ୍ଥା ରଖି ବିଜେଡି ପୁଣି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ମଧ୍ୟ ଲଗାତାର ୪ଟି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଏଥର ଟିକେଟ୍ ଦେଇଛି। କଂଗ୍ରେସ କିନ୍ତୁ ସଂପୂର୍ଣ୍ଣ ନବାଗତା ତଥା ରାଜନୀତି ମଇଦାନରେ ନୂଆ ଢେଙ୍କାନାଳ ରାଜପରିବାରର ବୋହୂ ସୁସ୍ମିତା ସିଂହଦେଓଙ୍କୁ ପ୍ରାର୍ଥୀ କରିଛି। ଢେଙ୍କାନାଳ ନିର୍ବାଚନ ମଇଦାନରେ ଚଳିତଥର ଦୁଇ ପ୍ରବୀଣ ଅଭିଜ୍ଞ ନେତୃତ୍ୱଙ୍କ ସହ ନବୀନ ପ୍ରାର୍ଥୀଙ୍କୁ ନେଇ ତ୍ରିମୁଖୀ ଲଢ଼େଇହେବା ଏକପ୍ରକାର ସ୍ପଷ୍ଟ ହୋଇଛି।
ପୂର୍ବରୁ ରାଜ ପରିବାରର ବୋହୂ ଭାବେ ପ୍ରଥମ କରି ରାଣୀ ରତ୍ନପ୍ରଭା ଦେବୀ ଗଣତନ୍ତ୍ର ଦଳରୁ କାମାକ୍ଷାନଗରର ବିଧାୟିକା ହୋଇଥିଲେ। ସେ ଗଣତନ୍ତ୍ର ଦଳରୁ ଥରେ ଏବଂ ସ୍ୱତନ୍ତ୍ର ପାର୍ଟିରୁ ଥରେ ଏପରି ଦୁଇଥର ଢେଙ୍କାନାଳ ନିର୍ବାଚନମଣ୍ଡଳୀରୁ ବିଧାୟିକା ହୋଇଥିଲେ। ସେହିପରି ଢେଙ୍କାନାଳର ବୋହୂ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ୨ ଥର କଂଗ୍ରେସରୁ ଢେଙ୍କାନାଳ ବିଧାୟିକା, ୨ଥର ଗଁଦିଆରୁ କଂଗ୍ରେସ ବିଧାୟିକା, ଥରେ ଜନତା ଦଳ ଏବଂ ଆଉ ଥରେ ସ୍ୱାଧୀନ ଭାବେ ବିଧାୟିକା ହୋଇଥିଲେ। ଅତୀତରେ କଂଗ୍ରେସର ଗଡ଼ ଥିବା ଢେଙ୍କାନାଳ ନିର୍ବାଚନମଣ୍ଡଳୀ ମହିଳା ପ୍ରାର୍ଥୀଙ୍କୁ ଜିତାପଟ ଦେଇଥିବା ବେଳେ ଚଳିତ ଥର ଶ୍ରୀମତୀ ସିଂହଦେଓ ଏହି ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଢେଙ୍କାନାଳରେ କ୍ରମଶଃ ଦୁର୍ବଳ ହୋଇଯାଇଥିବା କଂଗ୍ରେସର ସ୍ଥିତି ଶ୍ରୀମତୀ ସିଂହଦେଓଙ୍କ ମାଧ୍ୟମରେ ସଞ୍ଜୀବନୀ ପାଇବ କି ବୋଲି ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନାର ବିଷୟ ହୋଇଛି।
ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ସୁଧୀର କିନ୍ତୁ ଦଳଡିଆଁ କରି ୪ଥର ଲଢେଇରୁ ୨ ଥର ଜିତାପଟ ନେଇଛନ୍ତି। କିନ୍ତୁ କୃଷ୍ଣ ବାରମ୍ବାର ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ବିଜୟ ମୁକୁଟ ପିନ୍ଧିପାରିନାହାନ୍ତି। କଂଗ୍ରେସ ପ୍ରାର୍ଥୀ ଶ୍ରୀମତୀ ସିଂହଦେଓ ଢେଙ୍କାନାଳର ରାଜା ବ୍ରିଗେଡିୟର କାମାକ୍ଷାପ୍ରସାଦ ସିଂହଦେଓଙ୍କର ପୁତୁରା-ବୋହୂ। ଅତୀତରେ କେପି ଢେଙ୍କାନାଳରେ କଂଗ୍ରେସରୁ ୫ ଥର ଏବଂ ସ୍ୱତନ୍ତ୍ର ପାର୍ଟିରୁ ଥରେ ସାଂସଦ ହୋଇଛନ୍ତି। କଂଗ୍ରେସର ମୁଖିଆ ଭାବେ ସେ ଦଳକୁ ଦୀର୍ଘବର୍ଷ ଧରି ପରିଚାଳିତ କରି ଆସିଥିଲେ। ରାଜ ପରିବାର ପୂର୍ବରୁ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରି ବାରମ୍ବାର ବିଜୟୀ ହୋଇଥିବା ବେଳେ ତାଙ୍କ ପରିବାରର ବୋହୂ ଭାବେ ଶ୍ରୀମତୀ ସିଂହଦେଓଙ୍କ ପ୍ରାର୍ଥିତ୍ୱ ସଂପୂର୍ଣ୍ଣ ନୂଆ। ୨୦୦୦ ମସିହା ପରଠାରୁ ଢେଙ୍କାନାଳ ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳରୁ କୌଣସି ମହିଳା ପ୍ରାର୍ଥୀ ହୋଇ ନଥିଲେ।
ଚଳିତଥର କଂଗ୍ରେସ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇ ସଂପୂର୍ଣ୍ଣ ନବାଗତା ଭାବେ ଶ୍ରୀମତୀ ସିଂହଦେଓଙ୍କୁ ମଇଦାନକୁ ଆଣିଛି। ତାଙ୍କର ପ୍ରତିଦ୍ୱନ୍ଦ୍ବୀ ବିଜେଡିର ସୁଧୀର ସାମଲ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାର କାର୍ଯ୍ୟ ଏବଂ ତାଙ୍କ ନିଜସ୍ୱ ରଣନୀତି ଆଧାରରେ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିର କୃଷ୍ଣ ପାତ୍ର ମଧ୍ୟ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ନିଜର ଅଭିଜ୍ଞତା ଆଧାରରେ ରଣନୀତି ପ୍ରସ୍ତୁତ କରୁଛନ୍ତି। ସେହିପରି ଶ୍ରୀମତୀ ସିଂହଦେଓ କଂଗ୍ରେସର ଜାତୀୟ ମୁଖ୍ୟ ଯୁବ ନେତୃତ୍ୱ ରାହୁଲ ଗାନ୍ଧୀଙ୍କ ‘ଗ୍ୟାରେଣ୍ଟି ରଣହୁଙ୍କାର’ ଆଧାରରେ ମଇଦାନକୁ ଆସିଥିବା ବେଳେ ରାଜ ପରିବାରର ଅଭିଜ୍ଞତାକୁ ନେଇ ନୂତନ ରଣନୀତି ଆପଣେଇ ଗୋଟିଚାଳନା ପାଇଁ ଅଣ୍ଟା ଭିଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/sfhhffs.jpg)