ଗଁଦିଆରେ ତଳକୁ ଖସିଲେ ଜିଲ୍ଲା ସଭାନେତ୍ରୀ
ହିନ୍ଦୋଳ, ପର୍ଜଙ୍ଗ, କଙ୍କଡ଼ାହାଡ଼ରେ କଡ଼ା ଲଢ଼େଇ

Advertisment

ଢେଙ୍କାନାଳ : ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତି ବିଜେପି ପାଇଁ ଥିଲା ବେଶ୍ ଗୁରୁତ୍ବପୂର୍ଣ୍ଣ। କାରଣ, ୨୦୧୭ ପଞ୍ଚାୟତ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲାରୁ ପାର୍ଟି ଯେଉଁ ୧୨ଟି ଆସନରେ ବିଜେତା ହୋଇଥିଲା, ସେଥିରୁ ୬ଟି ଆସନର ଗଣତି ଆଜି ଚାଲିଥିଲା। ପ୍ରାରମ୍ଭରେ ସେଥିରୁ ଚାରୋଟି ଜୋନ୍‌ରେ ଯଦିଓ ବିଜେପି ଶାସକ ବିଜେଡି ସହିତ କଡ଼ା ଫାଇଟ୍ ଦେଇଥିଲା, କିନ୍ତୁ ଅପରାହ୍‌ଣରେ ବିଜୟୀ ଆସନରେ ଦେଖା ଦେଇଥିଲା ବିପର୍ଯ୍ୟୟ। ହିନ୍ଦୋଳ, କଙ୍କଡ଼ାହାଡ଼ ଓ ପର୍ଜଙ୍ଗ ପ୍ରମୁଖ କିଛି ବ୍ଲକକୁ ଛାଡ଼ିଦେଲେ ଅନ୍ୟଠି ବିଜେଡି ଗଣିତ ଉପରମୁହାଁ ହୋଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଗନ୍ଦିଆ ବ୍ଲକ୍‌ର ୧ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ୧୦ହଜାରୁ ଅଧିକ ଭୋଟ୍‌ ହାତେଇଥିବା ‌ବେଳେ ନିକଟତମ ବିଜେପି ପ୍ରତିଦ୍ବନ୍ଦ୍ବୀ ତଥା ଢେଙ୍କାନାଳ ଜିଲ୍ଲା ବିଜେପି ସଭାନେତ୍ରୀ ମମତା ସ୍ବାଇଁ ଚାରି ହଜାର ଡେଇଁଛନ୍ତି। ଜୋନ୍‌ରେ ବି ବିଜେଡି ବିଜେତା ହୋଇଛି। ଅନ୍ୟ ୬ଟି ଜିଲ୍ଲା ପରିଷଦ ଜୋନ୍‌ର ଗଣତି ଯଦିଓ ଶେଷ ହୋଇନାହିଁ, ତଥାପି ରିପୋର୍ଟ ଲେଖାଯିବା ସୁଦ୍ଧା ବିଜେପିଠାରୁ ଶାସକ ବିଜେଡି ବହୁ ଆଗରେ ରହିଛି। ଢେଙ୍କାନାଳ ସଦର ବ୍ଳକ୍‌ରେ ବିଜେପିଠାରୁ ଶାସକ ବିଜେଡିକୁ ଦୁଇ ଗୁଣ ଭୋଟ୍ ମିଳିଥିବା ବେଳେ ଗନ୍ଦିଆ ବ୍ଲକ୍‌ରେ ବିଜେଡି ପ୍ରାୟ ଅଢ଼େଇ ଗୁଣ ଅଧିକ ଭୋଟ୍ ପାଇଛି। କିନ୍ତୁ, ହିନ୍ଦୋଳ, ପର୍ଜଙ୍ଗ ଏବଂ କଙ୍କଡ଼ାହାଡ଼ ବ୍ଲକ୍‌ର ଜୋନ୍‌ଗୁଡ଼ିକରେ ବିଜେଡି-ବିଜେପିର ଭୋଟ୍ ବ୍ୟବଧାନ ଅଳ୍ପ ରହିଛି।

ବିଳମ୍ବିତ ରାତିର ଗଣନା ରିପୋର୍ଟ ମୁତାବକ, ଢେଙ୍କାନାଳ ସଦର ବ୍ଲକ୍‌ରେ ବିଜେପି ପ୍ରାର୍ଥିନୀ ସଂଯୁକ୍ତା ହୋତା ୫୫୨୧ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥିନୀ ପୂର୍ଣ୍ଣିମା ଦେହୁରୀ ପାଇଛନ୍ତି ୧୦,୬୭୨ଖଣ୍ଡ ଭୋଟ୍।

ଓଡ଼ାପଡ଼ା ବ୍ଲକ୍‌ର ୧ନମ୍ବର ଜୋନ୍‌ରେ ବିଜେଡି-ବିଜେପି ବ୍ୟବଧାନ ରହିଛି ପ୍ରାୟ ୬ହଜାର। ବିଜେପି ପ୍ରାର୍ଥିନୀ ବବିଲତା ବେହେରାଙ୍କୁ ୯୧୦୧ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡିର ପ୍ରତିମା ନାଏକ ପାଇଛନ୍ତି ୧୫ହଜାର ୨୬୪ଖଣ୍ଡ। ନୟାଭାଗିରଥୀପୁର ପଞ୍ଚାୟତରେ ବିଜେଡିକୁ ସର୍ବାଧିକ ଭୋଟ୍ ମିଳିଛି।

ଗଁଦିଆ ବ୍ଲକ୍‌ରେ ବିଜେଡି ଭୋଟ୍ ଆଗରେ ବିଜେପିର ଆଖି ପାଉନି। ବିଜେଡି ପ୍ରାର୍ଥୀ ବିଶ୍ବନାଥ ଚିନ୍ନରାଙ୍କୁ ୧୦,୫୫୯ଜଣ ଭୋଟରଙ୍କର ଜନାଦେଶ ମିଳିଥିବା ବେଳେ ବିଜେପି ପ୍ରାର୍ଥିନୀ ତଥା ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ ୪୦୦୮ଖଣ୍ଡ ଭୋଟ୍‌ ପାଇଛନ୍ତି।

ହିନ୍ଦୋଳର ୧ନମ୍ବର ଜୋନ୍‌ରେ ରିପୋର୍ଟ ଲେଖାଯିବା ସୁଦ୍ଧା ବିଜେପି ପ୍ରାର୍ଥିନୀ ସୁନୀତା ନାଥଙ୍କୁ ମୋଟ୍ ୭୩୪୧ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥିନୀ ମାମାଲି ଦାଶଙ୍କୁ ୭୩୦୩ଖଣ୍ଡ ଭୋଟ୍‌ ମିଳିଛି। କାମାକ୍ଷାନଗର ୧ନମ୍ବର ଜୋନ୍‌ରେ ବିଜେପି ପ୍ରାର୍ଥିନୀଙ୍କୁ ୮୧୦୪ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡିର ଦୀପ୍ତିମୟୀ ବିଶ୍ବାଳ ପାଇଛନ୍ତି ୯୪୪୩ଖଣ୍ଡ।

ପର୍ଜଙ୍ଗ ବ୍ଲକ୍‌ରେ ବି ହିନ୍ଦୋଳ ଭଳି ଟକ୍‌ରା ଟକ୍‌ରି ହୋଇଛି। ବିଜେପି ଏଠାରେ ଆଗୁଆ ରହିଛି। ବିଜେପି ପ୍ରାର୍ଥିନୀ ଏଲିନା ଭୂତିଆଙ୍କୁ ୧୦, ୯୩୫ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥିନୀ ରୁନୁ ବର୍ମା ପାଇଛନ୍ତି ୧୦,୮୨୧ଖଣ୍ଡ। ଭୋଟ୍‌ ବ୍ୟବଧାନ ୧୧୪ ରହିଛି।

କଙ୍କଡ଼ାହାଡ଼ ବ୍ଲକ୍‌ର ୧ନମ୍ବର ଜୋନ୍‌କୁ ବିଜେପିର ସୁରକ୍ଷିତ ଗଡ଼ କୁହାଯାଏ। ଏଠି ବି ଆରମ୍ଭରୁ ବିଜେପି ଭଲ ଫାଇଟ୍ କରିଥିଲା। ରିପୋର୍ଟ ଲେଖାଯିବା ସୁଦ୍ଧା ବିଜେପି ପ୍ରାର୍ଥୀ ମହତାବ ସାହୁଙ୍କୁ ୭୯୦୩ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ନବକିଶୋର ସାହୁ ୭୯୮୧ଖଣ୍ଡ ଭୋଟ୍‌ ପାଇଛନ୍ତି। ଭୁବନ ବ୍ଲକ୍‌ରେ ବିଳମ୍ବିତ ରାତିରେ ବିଜେପି ପ୍ରାର୍ଥିନୀ ଶିଲାରାଣୀ ସାହୁ ୧୯୨ଖଣ୍ଡ ଭୋଟ୍‌ରେ ବିଜେଡିର ସୁଭଦ୍ରା ପାତ୍ରଙ୍କଠାରୁ ଆଗରେ ଅଛନ୍ତି।