ଢେଙ୍କାନାଳ ସଂକ୍ରମଣରେ ରାଜ୍ୟ ବାହାର ଲିଙ୍କ୍ ! ମହିଳା ଆକ୍ରାନ୍ତଙ୍କ ଘରକୁ ଆସିଥିଲେ ଧର୍ମ ପ୍ରଚାରକ

ଢେଙ୍କାନାଳ: ରାଜ୍ୟ ବାହାରୁ ଆସିଥିବା  ଧର୍ମ ପ୍ରଚାରକଙ୍କ ସହ ଢେଙ୍କାନାଳର କରୋନା ଆକ୍ରାନ୍ତଙ୍କ ଲିଙ୍କ ଥିବା ଜଣାପଡ଼ିଛି । ଏକ ପଡ଼ୋଶୀ ରାଜ୍ୟରୁ ଧର୍ମ ପ୍ରଚାରକ ଗତ ମାସରେ ଢେଙ୍କାନାଳ ଆସିଥିଲେ । ଢେଙ୍କାନାଳ ସହରରେ ସେ ଆକ୍ରାନ୍ତଙ୍କ ପରିବାର ସହ ରହିଥିଲେ ବୋଲି ଜିଲ୍ଲାପାଳ ଉମେଶ ଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା କରୋନା ସଂକ୍ରମଣର କାରଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି।

ଡେଙ୍କାନାଳର ମହିଳା ଆକ୍ରାନ୍ତଙ୍କର କୌଣସି  ଯାତ୍ରା ଇତିହାସ ନାହିଁ , ସେ ରାଜ୍ୟ କିମ୍ବା ଦେଶ ବାହାରକୁ ଯାଇ ନାହାନ୍ତି। କାରଣ ସେ ଘରୁ ବାହାରକୁ ଯାଇ ନାହାନ୍ତି । ତେବେ ରାଜ୍ୟ ବାହାରୁ ଆସିଥିବା ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ସେ ଆସିଥିବା କଥା ଜଣାପଡ଼ିବା ପରେ ତାଙ୍କ ସମେତ ୧୫ ଜଣଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଥିଲା ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ୧୫ଜଣଙ୍କର ନମୁନା ପରୀକ୍ଷା ଲାଗି ପଠାଯାଇଥିଲା, ଯାହା ମଧ୍ୟରୁ ମହିଳାଙ୍କ ନମୁନା ପଜିଟିଭ ବାହାରିଛି । ଯେହେତୁ ସମସ୍ତ ସଂଦିଗ୍ଧଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି, ତେଣୁ ବିଶେଷ ସମସ୍ୟା ନାହିଁ । ଏମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ, ତାହା ଯୋଗାଯୋଗ କରାଯାଉଛି । ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯିବ। ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି କଟକ ଅଶ୍ବିନୀ ହସ୍ପିଟାଲ ପଠାଯିବା ସହ ସେ ରହୁଥିବା ଅଞ୍ଚଳକୁ ସାନିଟାଇଜ୍ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଧର୍ମ ପ୍ରଚାରକ ଜଣକ ଢେଙ୍କାନାଳର ସଂପୃକ୍ତ ମହିଳାଙ୍କ ପରିବାର ସହ ରହିଥିଲେ । ଅନ୍ୟପଟରେ ଧର୍ମ ପ୍ରଚାରକ ଜଣକ ଗତ ମାର୍ଚ୍ଚ ୧୭ରୁ କୁଆଡେ ଯାଇଛନ୍ତି, ତାହା ଜଣାପଡ଼ିନାହିଁ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର