ଢେଙ୍କାନାଳ : ତୃତୀୟ ପର୍ଯ୍ୟାୟ ମତଦାନ ସରିଛି। ପ୍ରାର୍ଥୀଙ୍କ ଭାଗ୍ୟ ମତଦାତାମାନେ ନିର୍ଦ୍ଧାରଣ କରିସାରିିଥିବାବେଳେ ତାହା ଇଭିଏମ୍ରେ ସିଲ୍ ହୋଇରହିଛି। ଢେଙ୍କାନାଳ ଲୋକସଭା ଏବଂ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡିକରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଅଧିକ ମତଦାନ ହୋଇଛି। ତେବେ ଲୋକସଭା ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ହୋଇଥିବାବେଳେ ଜିଲ୍ଲାର ୪ ବିଧାନସଭା ଆସନ ଗୁଡିକରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ବିତା ହୋଇଥିବା ଜଣାଯାଇଛି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ଆସନ୍ତା ୨୩ ତାରିଖ ଗୁରୁତ୍ୱପୂର୍ଣ୍ଣ ରହିଛି। ସେହିଦିନ ଫଳାଫଳ ପ୍ରକାଶ ପରେ ଶିରପା ପିନ୍ଧିବେ ଭାଗ୍ୟବାନ ପ୍ରାର୍ଥୀ। ଏହାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ଢେଙ୍କାନାଳ ଲୋକସଭା ଆସନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ଚଳିତ ନିର୍ବାଚନରେ ବିଜେଡିର ନୂଆମୁହଁ ହେଉଛନ୍ତି ମହେଶ ସାହୁ। ତାଙ୍କ ବିପକ୍ଷରେ କଂଗ୍ରେସରୁ କାମାକ୍ଷା ପ୍ରସାଦ ସିଂହଦେଓ ଓ ବିଜେପିରୁ ରୁଦ୍ର ନାରାୟଣ ପାଣି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ନିର୍ବାଚନ ପରେ କିଏ ଜିତିବେ, ତାହାକୁ ନେଇ ସାଧାରଣରେ ଆଲୋଚନା ଦାନାବାନ୍ଧିଛି। ତେବେ, ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି। ପୂର୍ବରୁ ପାଳଲହଡ଼ାରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ସାହୁ କହିଛନ୍ତି ଯେ, ଦଳ, ସଂଗଠନ, କାର୍ଯ୍ୟକର୍ତ୍ତା, ଦଳୀୟ ମୁଖ୍ୟ ଏବଂ ଭଗବାନଙ୍କ ଆଶୀର୍ବାଦ ତାଙ୍କ ପଛରେ ରହିଛି। ତାଳଚେର, ଅନୁଗୁଳ ପାଳଲହଡାରୁ ସେ ଯେପରି ଭୋଟ ପାଇବେ ସେହିପରି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ମଧ୍ୟ ତାଙ୍କୁ ସମର୍ଥନ ମିଳିଛି। ଅନ୍ୟ ପକ୍ଷରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କର ଜନହିତକର କାର୍ଯ୍ୟ ଓ ଲୋକପ୍ରିୟତା ତାଙ୍କ ପାଇଁ ଢାଲ ସଦୃଶ ହୋଇଥିବାରୁ ସେ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଆଶାବାଦୀ ଅଛନ୍ତି।
ସେହିପରି ୬ ଥର ସାଂସଦ ଆସନ ହାତେଇଥିବା ଶ୍ରୀ ସିଂହଦେଓ ଦୀର୍ଘ ୧୫ ବର୍ଷ ପରେ ଦଳୀୟ ପକେଟ୍ ଭୋଟ, ଅତୀତର ସଂଗଠନ, ଅବିଭକ୍ତ ଢେଙ୍କାନାଳବାସୀଙ୍କ ପାଇଁ ସେ କରିଥିବା କାର୍ଯ୍ୟ ଆଧାରରେ ବାଜିମାତ୍ କରିବେ ବୋଲି ଦୃଢୋକ୍ତି ରଖିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ, ସେ ଜଣେ ସୈନିକ। ସେବା କରିବା ଓ ବସ୍ଙ୍କ ନିର୍ଦ୍ଦେଶ ମାନିବା ତାଙ୍କର ଧର୍ମ। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାବାସୀଙ୍କ ପାଇଁ ଅତୀତରେ ସେ ସେବା କରିଆସିଛନ୍ତି ଏବଂ ଆଗକୁ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ସେବା କରିବେ। କଂଗ୍ରେସ ଦଳର ଆଦର୍ଶ, ଚଳିତ ଥରର ଦଳୀୟ ଇସ୍ତାହାର ଓ ନିଜେ ଅତୀତରେ ଦେଇଥିବା ସେବାକୁ ଆଧାର କରି ସେ ନିର୍ବାଚନ ଲଢିଛନ୍ତି। ଆସନ୍ତା ୫ ବର୍ଷ ପାଇଁ କି ପ୍ରକାର ସରକାର ଗଢିବେ, ତାହା ସେ ଜନସାଧାରଣଙ୍କ ଉପରେ ଛାଡ଼ିଛନ୍ତି ବୋଲି କହଛନ୍ତି।
ଅନ୍ୟପକ୍ଷରେ, ବିଜେପିରୁ ପ୍ରାର୍ଥୀ ହୋଇଥିବା ରୁଦ୍ର ନାରାୟଣ ପାଣି କୁହନ୍ତି ଯେ, ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ସେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସଂଗଠନ କରିବା ସହ ଲୋକଙ୍କ ସୁଖଦୁଃଖରେ ଠିଆ ହୋଇଆସୁଛନ୍ତି। ୧୯୯୧ରୁ ୨୦୧୪ ପର୍ଯ୍ୟନ୍ତ ସେ ୫ ଥର ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଏବଂ ସେତେବେଳେର ହାୱା ତାଙ୍କୁ ଜିତେଇବାରେ ବାଧକ ସାଜିଥିଲା। ଚଳିତ ନିର୍ବାଚନରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଭଗବାନଙ୍କ ଆଶୀର୍ବାଦ, ମୋଦୀଙ୍କ ହାୱା ଓ ଅବିଭକ୍ତ ଢେଙ୍କାନାଳବାସୀଙ୍କ ଭଲପାଇବା ତାଙ୍କୁ ଏଥର ନିଶ୍ଚିତ ଜିତାଇବ,’ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ରାଜନୈତିକ ବିଶେଷଜ୍ଞଙ୍କ ମତରେ, ଚଳିତ ନିର୍ବାଚନରେ ମୁଖ୍ୟତଃ ଯୁବ ଏବଂ ମହିଳା ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/dhankanal.jpg)