ଢେଙ୍କାନାଳରେ ହାତୀ ମୃତ୍ୟୁ ଘଟଣା : ବନ ଓ ବିଦ୍ୟୁତ୍‌ କାର୍ଯ୍ୟାଳୟରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ଉ, କାଗଜପତ୍ର ଯାଞ୍ଚ କଲେ ୩ଟି ଟିମ୍‌

ଢେଙ୍କାନାଳ : ସଦର ବନଖଣ୍ତ ସ୍ଥିତ କମଳାଙ୍ଗଠାରେ ଗତ ୨୭ ତାରିଖ ରାତିରେ ବିଦ୍ୟୁତ୍‌ ତାର ସ˚ସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ପରେ ରାଜ୍ୟ ସରକାର କ୍ରାଇମ୍‌ ବ୍ରାଞ୍ଚ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆଜି କ୍ରାଇମ୍‌ ବ୍ରାଞ୍ଚ ଏସ୍‌ପି ସ˚ଜୀବ୍‌ ମଡ୍‌କର ଏବ˚ ଡିଏସ୍‌ପି ଦେବୀଦତ୍ତ ବିଶ୍ବଜୀବନ ମିଶ୍ରଙ୍କ ନେତୃତ୍ବରେ ୩ଟି ଟିମ୍‌ ଢେଙ୍କାନାଳରେ ପହଞ୍ଚିଥିଲେ। ଏହି ୩ଟି ଟିମ୍ ଜିଲ୍ଲା ବନଖଣ୍ତ ଅଧିକାରୀଙ୍କ କାର୍ଯ୍ୟାଳୟ, ସେସୁ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବ˚ ସଦର ରେଞ୍ଜ ମେରାମଣ୍ତଳୀସ୍ଥିତ ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ଉପରେ ଚଢଉ କରି ବିଭିନ୍ନ କାଗଜପତ୍ର ତନଖି ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ସଦର ବନଖଣ୍ତ ସ୍ଥିତ କମଳାଙ୍ଗଠାରେ ଗତ ଶନିବାର ରାତିରେ ବିଦ୍ୟୁତ୍‌ ତାର ସ˚ସ୍ପର୍ଶରେ ଆସି ୭ଟି ହାତୀର ଏକକାଳୀନ ମୃତ୍ୟୁ ଘଟଣା ରାଜ୍ୟ ତଥା ଦେଶରେ ଚହଳ ସୃଷ୍ଟି କରିଛି। ବନ ବିଭାଗ, ବିଦ୍ୟୁତ୍‌ ବିଭାଗ ଏବ˚ ରେଳ ବିଭାଗ ମଧୢରୁ କାହା ଅବହେଳାରୁ ଏପରି ଏକ ସ୍ପର୍ଶକାତର ଘଟଣା ଘଟିଲା ତାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏହି ଘଟଣାରେ କୌଣସି ବିଭାଗ ନିଜକୁ ଦାୟୀ କରିବାକୁ ପ୍ରସ୍ତୁତ ନଥିବା ବେଳେ ପ୍ରତ୍ୟେକ ବିଭାଗ ଅନ୍ୟ ବିଭାଗ ଉପରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ସରକାର ହାତୀ ସୁରକ୍ଷା ପାଇଁ ବନ ବିଭାଗକୁ ଦାୟିତ୍ବ ଦେଇଛନ୍ତି। ହାତୀ ଘଉଡ଼ାଇବା, ହାତୀ ଜଗିବା ଏବ˚ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ପରଖିବା ପାଇଁ ସ୍କାଡ୍‌ ଗଠନ କରାଯାଇଛି। ଘଟଣା ଦିନ ସ୍ଥାନୀୟ ଅଞ୍ଚଳବାସୀ ହାତୀମାନଙ୍କ ଉପସ୍ଥିତି ସ˚ପର୍କରେ ବନ ବିଭାଗକୁ ଖବର ଦେଇଥିବା ପ୍ରକାଶ କରୁଛନ୍ତି। ଏହା ସତ୍ତ୍ବେ କିପରି ବନ ବିଭାଗ କର୍ମଚାରୀମାନେ ଘଟଣାକୁ ଅଣଦେଖା କଲେ ତାହା ଚର୍ଚ୍ଚାର ପରିଧିକୁ ଆସିଛି। ଅନ୍ୟ ପକ୍ଷରେ ହାତୀ ଚଲାପଥ ଏବ˚ ଜଙ୍ଗଲ ସ୍ଥାନମାନଙ୍କରେ ଆବଶ୍ୟକ ଉଚ୍ଚତା ଠାରୁ କମ୍‌ ଦୂରରେ ଝୁଲି ରହିଥିବା ବିଦ୍ୟୁତ୍‌ ତାର ସ˚ପର୍କରେ ବାରମ୍ବାର ବିଦ୍ୟୁତ୍‌ ବିଭାଗକୁ ବନ ବିଭାଗ ଖବର ଦେଇ ଆସୁଥିବା କହୁଛି। ଏହା ସତ୍ତ୍ବେ ବିଦ୍ୟୁତ୍‌ ବିଭାଗ ଟାଳଟୁଳ ନୀତି ଗ୍ରହଣ କରିଚାଲିଛି। ଘଟଣା ଘଟିବା ସ୍ଥାନରେ ଯେଉଁ ତାର ଝୁଲି ରହିଥିଲା ତାହା ରେଳ ବିଭାଗର ଏକ ପୋଲ ନିର୍ମାଣ ପାଇଁ ସ˚ଯୋଗ ଦିଆଯାଇଥିଲା। ତେବେ କାହିଁକି କେବୁଲି˚ କରାଯାଇନଥିଲା ଏବ˚ ରେଳ ବିଭାଗର ସ˚ପୃକ୍ତ ପୋଲ କାମ ସରିଯାଇଥିବା ବେଳେ ସେଠାରେ ବିଦ୍ୟୁତ୍‌ ସ˚ଯୋଗକୁ କାହିଁକି ଛିନ୍ନ କରାଯାଇନଥିଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସବୁ ଘଟଣାକୁ ତଦନ୍ତ ପରିସରକୁ ନେଇ କ୍ରାଇମ ବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର