ପୁରୀ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଏକଘରିଆ ଗାଁ ଶରଣ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ସଂଗ୍ରହ ଉପଲକ୍ଷେ ଆରମ୍ଭ ହୋଇଥିବା ବନଯାଗ ଯାତ୍ରାକୁ ଦୃଢ଼ ବିରୋଧ କରିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ। ଏହା ବିରୋଧରେ ଦଇତାପତି ନିଯୋଗର କର୍ମକର୍ତ୍ତା ଗତକାଲି ସିଂହଦ୍ବାର ଥାନାରେ ଏତଲା ଦେବାପରେ ଆଜି ଜିଲ୍ଲାପାଳ, ଏସ୍ପିଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗଜପତିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଅଦିନରେ ଏଭଳି ବନଯାଗ ଯାତ୍ରା ଶ୍ରୀଜଗନ୍ନାଥ ସଂସ୍କୃ୍ତି ବିରୋଧୀ ଓ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ଭକ୍ତିଭାବ ପ୍ରତି କୁଠାରାଘାତ। ତେଣୁ ଏଥିରେ ସମ୍ପୃକ୍ତ ଚିଣ୍ଟୁ ବାବାଙ୍କୁ ତୁରନ୍ତ ଗିରଫ ପାଇଁ ଶ୍ରୀମନ୍ଦିର ଦଇତାପତି ନିଯୋଗ ପକ୍ଷରୁ ଦାବି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର(ଟିକିପୁଅ) କହିଛନ୍ତି, ଗତ ୨୨ ତାରିଖରେ ଓଡ଼ାପଡ଼ା ଏକଘରିଆରେ ଯେଉଁଭଳି ଅଦିନରେ ବନଯାଗ ଯାତ୍ରା, ଦାରୁ ଚୟନ ଓ ଦାରୁ କଟା କାର୍ଯ୍ୟକ୍ରମ କରାଯାଇଛି; ତାହା ଶ୍ରୀଜଗନ୍ନାଥ ସଂସ୍କୃତିର ପରିପନ୍ଥୀ ଓ ଏହା ଅଗଣିତ ଭକ୍ତଙ୍କ ବିଶ୍ବାସକୁ ଉପହାସ କରିଛି। ବିଗତ ଦିନରେ କୌଣସି ପରିସ୍ଥିତିରେ ଏଭଳି ନବକଳେବର କାର୍ଯ୍ୟ କରାଯାଇନି। ନବକଳେବର ଏକ ଗୁପ୍ତ ସେବା। କିନ୍ତୁ କିଛି ଚକ୍ରାନ୍ତକାରୀ ଗୋଷ୍ଠୀ ଏହି ଗୁପ୍ତ ସେବାକୁ ବଦନାମ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାର୍ଯ୍ୟ କରି ଶ୍ରୀଜଗନ୍ନାଥଙ୍କୁ ବିକିବା ବ୍ୟବସ୍ଥା କରିଛନ୍ତି। ସାରଥି ବାବାଙ୍କ ଭଳି ଏକ ଆଶ୍ରମ ସୃଷ୍ଟି କରି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଆଦାୟର ମାଧ୍ୟମ ଖୋଲିଛନ୍ତି। ଏଭଳି କାର୍ଯ୍ୟକୁ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ବିରୋଧ କରୁଛି। ଯେଉଁ ବ୍ୟକ୍ତି ଏଭଳି କାର୍ଯ୍ୟ କରିଛନ୍ତି, ତାଙ୍କୁ ତୁରନ୍ତ ଗିରଫ କରାଯାଉ। ଯେଉଁ ନିମ୍ବ ଗଛ କଟାଯାଇଛି, ତାକୁ ଜବତ କରାଯାଉ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଯାୟୀ ସାରାବିଶ୍ବରେ ଯେଭଳି ନୀତିକାନ୍ତି ପାଳନ ହେବ, ସେ ଉପରେ ଗୁରୁତ୍ବ ଦିଆଯାଉ। ଯେଉଁମାନେ ବି ଅଦିନରେ ରଥଯାତ୍ରା ଅବା ଅନ୍ୟ କୌଣସି କାର୍ଯ୍ୟ କରୁଛନ୍ତି, ସେମାନେ କିଭଳି ଆଗାମୀ ଦିନରେ ଏଭଳି କାର୍ଯ୍ୟ କରିବାକୁ ସାହସ କରିବେନି, ସେ ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯଦି ଏବେଠୁ ଏ ଦିଗରେ ଦୃଷ୍ଟି ଦିଆନଯାଏ, ଆଗାମୀ ରଥଯାତ୍ରାରେ ବିଶୃଙ୍ଖଳା ଦେଖାଦେବ ବୋଲି ଶ୍ରୀମନ୍ଦିର ଦଇତାପତି ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି।
ବରିଷ୍ଠ ସେବାୟତ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଏଭଳି କାର୍ଯ୍ୟ ନିନ୍ଦନୀୟ। ଏହା ବିରୋଧରେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ।