ଢେଙ୍କାନାଳ ଲୋକସଭା କ୍ଷେତ୍ର : ତଥାଗତଙ୍କ ପରେ କିଏ?

ଢେଙ୍କାନାଳ, (ପ୍ରସନ୍ନ ପଟ୍ଟନାୟକ): ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଜନସାଧାରଣ ନୂଆମୁହଁ ଖୋଜୁଥିବା ବେଳେ ରାଜ୍ୟ ସରକାର ମଧ୍ୟ ଯୁବଗୋଷ୍ଠୀକୁ ପ୍ରାଧାନ୍ୟ ଦେବା ପାଇଁ ଭିତିରିଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଲଗାତର ୩ ଥର ନିର୍ବାଚିତ ହୋଇଥିବା ସାଂସଦ ତଥାଗତ ସତପଥୀ ଚଳିତ ଥର ରାଜନୀତିରୁ ସନ୍ନ୍ୟାସ ନେଉଥିବା ଘୋଷଣା କରିଛନ୍ତି। ତାଙ୍କ ପରେ ଏହି ଅସନ ପାଇଁ କିଏ ଉଚିତ ପ୍ରାର୍ଥୀ, ସେଥିପାଇଁ ରାଜନୈତିକ ନେତୃବୃନ୍ଦଙ୍କ ମଧ୍ୟରେ ଅଙ୍କକଷା ଚାଲିଛି। ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସାଂସଦ ତଥାଗତ ସତପଥୀ ରାଜନୈତିକ ଜୀବନରୁ ଅବସର ନେଉଥିବା ଘୋଷଣା କରିବା ରାଜ୍ୟ ରାଜନୀତି ଏବଂ ଜିଲ୍ଲାସ୍ତରରେ ବ୍ୟାପକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କ ପରେ କିଏ ଏହି ପଦବି ହାତେଇବେ ସେଥିପାଇଁ ଜନସାଧାରଣ ଏବଂ ସମୀକ୍ଷକମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ।

ସାଂସଦ ପାଇଁ ବିଜେଡି ପକ୍ଷରୁ ଦଳର ରାଜ୍ୟ ସଂପାଦକ ତଥା ପୂର୍ବତନ ବିଧାୟକ ସୁଧୀର କୁମାର ସାମଲଙ୍କ ନାମ ଆଶାୟୀଙ୍କ ତାଲିକାରେ ସର୍ବାଗ୍ରେ ରହିଛି। ସେ କଂଗ୍ରେସର ଜିଲ୍ଲା ସଭାପତି ଥିବାବେଳେ କର୍ମୀମାନଙ୍କୁ ସଂଗଠିତ କରି ରଖିଥିଲେ। ୨୦୧୪ ମସିହା ନିର୍ବାଚନରେ ସେ ସାଂସଦ ପଦବି ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇ ୨ ଲକ୍ଷ ୧୩ ହଜାର ୨୪୦ ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ସେତେବେଳେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳକୁ ସେ କଂଗ୍ରେସ ଗଡ଼ରେ ପରିଣତ କରିଥିଲେ। ୨୦୧୭ ମସିହାରେ ସୁଧୀର କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପରେ ବହୁ ସଂଖ୍ୟାରେ କର୍ମୀ ଓ ସମର୍ଥକ ତାଙ୍କ ସହ ବିଜେଡିରେ ସାମିଲ୍ ହୋଇଥିଲେ। ଏଥିସହ ବିଜେଡି ପକ୍ଷରୁ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସାଂସଦ ଟିକେଟ ଆଶା ରଖିଥିବା ଚର୍ଚା ହେଉଛି। ରାଜ୍ୟ ସରକାରଙ୍କର ଜଣେ ଟାଣୁଆ ମନ୍ତ୍ରୀ ଭାବେ ସେ ନିଜକୁ ପରିଚିତ କରାଇଥିବା ବେଳେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ମଧ୍ୟ ସଂଗଠନ ସୁଦୃଢ଼ କରିଛନ୍ତି। ସେହିପରି ପର୍ଜଙ୍ଗ ବିଧାୟକ ତଥା ରାଜ୍ୟ ବାଣିଜ୍ୟ, ପରିବହନ ମନ୍ତ୍ରୀ ଡା. ନୃସିଂହ ସାହୁ ମଧ୍ୟ ସାଂସଦ ଟିକେଟ ପାଇଁ ଉପର ମହଲରେ ଲବି କରୁଥିବା ତାଙ୍କ ନିକଟତର କର୍ମୀ ମହଲରୁ ଜଣାପଡ଼ିଛି। ୨୦୧୪ ବିଧାନସଭା ନିର୍ବାଚନରେ ପର୍ଜଙ୍ଗ ବିଧାନସଭା ମଣ୍ଡଳୀରୁ ୬୦ ହଜାରୁ ଅଧିକ ଭୋଟ ପାଇ ବିଧାୟକ ହୋଇ ପରବର୍ତ୍ତୀ କାଳରେ ରାଜ୍ୟସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଏହି ପଦବି ପାଇଁ ଆଶା ବାନ୍ଧିଛନ୍ତି କାମାକ୍ଷାନଗର ନିକଟ ମାର୍ଥାପୁର ଅଞ୍ଚଳର ସତ୍ୟଜିତ୍ ମିଶ୍ର(୪୦)। ସେ ୧୮ ବର୍ଷ ଧରି ସାମ୍ବାଦିକତା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆସ୍ଥାଭାଜନ ହୋଇ ସେ ୨୦୧୭ ମାର୍ଚ୍ଚ ୩୧ ତାରିଖରେ ବିଜେଡିରେ ସାମିଲ ହୋଇଛନ୍ତି। ମିଡିଆରେ ସେ ସରକାରଙ୍କ ସମସ୍ତ ପ୍ରଚାର ସଫଳତାର ସହ କରିଛନ୍ତି। ସେ ବର୍ତମାନ ବିଜେଡିର ରାଜ୍ୟ ପ୍ରବକ୍ତା ଭାବେ କାର୍ଯ୍ୟକରୁଛନ୍ତି। ସରକାର ଯୁବକମାନଙ୍କୁ ଅଗ୍ରାଧିକାର ଦେଉଥିବାରୁ ସାଂସଦ ପଦବି ପାଇଁ ସେ ଆଶାୟୀ ଅଛନ୍ତି।

ସର୍ବପୁରାତନ ଦଳ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ରିଗେଡିୟର ରାଜା କାମାକ୍ଷା ପ୍ରସାଦ ସିଂହଦେଓଙ୍କ ନାମ ଏଆଇସିସି ସିଇସିକୁ ଯାଇଛି। ସେ ୧୦ ବର୍ଷରୁ ଅଧିକ ସମୟ ରାଜନୀତି ଠାରୁ ଦୂରେଇ ରହିବା ପରେ ଚଳିତ ଥର ପୁଣି ଥରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ବ୍ରିଗେଡିୟର ଶ୍ରୀ ସିଂହଦେଓ ଜାତୀୟ କଂଗ୍ରେସରୁ ୫ ଥର ଓ ସ୍ବତନ୍ତ୍ର ପାର୍ଟିରୁ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କେନ୍ଦ୍ର ସରକାରଙ୍କର ପ୍ରତିରକ୍ଷା, ସୂଚନା ଓ ପ୍ରସାରଣ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦରେ ରହି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଶ୍ରୀ ସିଂହଦେଓ ଶେଷଥର ଗତ ୨୦୦୦ ମସିହା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ବିଜେପିର ବାଜପେୟୀଙ୍କ ହାୱା ବୋହୁଥିବା ବେଳେ ବିଜେପି ଓ ବିଜେଡି ମେଣ୍ଟ ଥିଲା ଏବଂ ମେଣ୍ଟ ପ୍ରାର୍ଥୀ ତଥାଗତଙ୍କୁ ହରାଇ ଶ୍ରୀ ସିଂହଦେଓ ପ୍ରାୟ ୩ ହଜାର ଭୋଟରେ ବିଜୟ ହାସଲ କରିଥିଲେ। ତେବେ ୨୦୦୪ ମସିହାରେ ବିଜେପି ବିଜେଡି ମେଣ୍ଟ ପକ୍ଷରୁ ତଥାଗତ ସତପଥୀ ପୁନର୍ବାର ପ୍ରାର୍ଥୀ ହୋଇ ଲକ୍ଷାଧିକ ଭୋଟରେ କେ.ପି. ଙ୍କୁ ଧରାଶାୟୀ କରିଥିଲେ। ଏହାପରେ ଶ୍ରୀ ସିଂହଦେଓ ରାଜନୀତିରୁ ନିଜକୁ ଦୂରେଇ ରଖିଥିବା ବେଳେ ବର୍ତ୍ତମାନ କଂଗ୍ରେସର ମଙ୍ଗ ଧରିବା ସହ ଜିଲ୍ଲାର ଉନ୍ନତି ପାଇଁ ସାଂସଦ ହେବାକୁ ମନ ବଳାଇଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଟିକେଟ ଦୌଡରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ। ସେ ଦଳର ଜଣେ ବରିଷ୍ଠ କର୍ମୀ ହୋଇଥିବାବେଳେ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ଟିକେଟ୍ ମିଳିଲେ ସାଂସଦ ପଦପାଇଁ ଲଢ଼ିବେ ବୋଲି ତାଙ୍କ ପାଖ କର୍ମୀମହଲରୁ ସୂଚନା ମିଳିଛି। ସେହିପରି କଂଗ୍ରେସ ପକ୍ଷରୁ ରାମଚନ୍ଦ୍ର ଖୁଣ୍ଟିଆ ଏବଂ କାମାକ୍ଷାନଗରର ଶାନ୍ତନୁ କୁମାର ସାହୁଙ୍କ ନାମ ମଧ୍ୟ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଥିବା ଚର୍ଚା ହେଉଛି।

ବିଜେପି ପକ୍ଷରୁ ପ୍ରାର୍ଥୀ ହେବାକୁ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ଟିକେଟ ପାଇଁ ଆଶାୟୀ ଅଛନ୍ତି। ୧୯୯୦ରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ। ଲୋକସଭା ଆସନ ପାଇଁ ସେ ବିଜେପିରୁ ଏକାଧିକ ଥର ପ୍ରାର୍ଥୀ ହୋଇ ଅସଫଳ ହୋଇଛନ୍ତି। ୧୯୯୯ ମସିହାରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ମଧ୍ୟ ଲୋକସଭା ଆସନ ପାଇପାରିନଥିଲେ। ତେବେ ୨୦୦୪ ମସିହା ପରେ ଶ୍ରୀ ପାଣି ବିଜେପିରୁ ରାଜ୍ୟସଭା ସାଂସଦ ହୋଇଥିବା ବେଳେ ୨୦୦୬ରୁ ୨୦୧୨ ପର୍ଯ୍ୟନ୍ତ ମଧ୍ୟ ବିଜେପିରୁ ରାଜ୍ୟସଭା ସାଂସଦ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛନ୍ତି। ସେ ୨୦୧୪ ନିର୍ବାଚନରେ ୩ ଲକ୍ଷ ୧୫ ହଜାର ୯୩୫ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ବିଜେପି ପକ୍ଷରୁ ଅନ୍ୟଜଣେ ଆଶାୟୀ ହେଉଛନ୍ତି ଢେଙ୍କାନାଳ ରାଜପରିବାରର ବୋହୂ ତଥା ଯୁବଶିଳ୍ପୋଦ୍ୟୋଗୀ ରାଜୀବ ଲୋଚନ ସିଂହଦେଓଙ୍କ ପତ୍ନୀ ସୁସ୍ମିତା ସିଂହଦେଓ। ସେ ଜଣେ ଗୃହିଣୀ ତଥା କୃଷିଜୀବୀ ମହିଳା। ଗତ ୨ ବର୍ଷ ହେଲା ସେ ବିଜେପିରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସାଂସଦ ଭାବେ ଲଢ଼ିବାକୁ ପ୍ରଚାର କରିବା ସହ ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି।

ସମ୍ବନ୍ଧିତ ଖବର