ଢେଙ୍କାନାଳ‌ ଲୋକସଭା ଆସନ: ନୂଆ ଚେହେରାକୁ ଗୁରୁତ୍ବ ଦେଇପାରେ ବିଜେଡି

ବିଜେଡି ଆପେ ଆପେ ଭାଙ୍ଗିଯିବ: ପୀତାମ୍ବର ଆଚାର୍ଯ୍ୟ

Biju Janata Dal Odisha (BJD) | Political Party In Odisha

ଅନୁଗୁଳ: କଂଗ୍ରେସ ଛାଡ଼ି ବିପ୍ଳବ ଜେନା ବିଜେଡି‌ରେ ମିଶିବାପରେ ସେ ଅନୁଗୁଳ ନିର୍ବାଚନମଣ୍ଡଳୀରେ ସୀମିତ ହୋଇ ରହିନାହାନ୍ତି। ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ନିଜ ପୁରୁଣା ସଂଗଠନକୁ ଏକାଠି କରିବାରେ ଲ‌ାଗି ପଡ଼ିଛନ୍ତି। ତେଣୁ ସ୍ବାଭାବିକ ଭାବେ ସେ ଢେଙ୍କାନାଳ ସାଂସଦ ଟିକେଟ୍‌ ଦୌଡ଼ରେ ଥିବା ସ୍ପଷ୍ଟ ହୋଇଯାଇଛି। ଏପଟେ ବିଜେଡିରେ ମିଶିବା ପରେ ଡା. ଅବିନାଶ ସାମଲ ମଧ୍ୟ ଏହି ଟିକେଟ୍‌ ପାଇଁ ଆଶାୟୀ ଥିବା କୁହାଯାଉଛି। ଏହାବାଦ୍‌ ଦଳର ଆଉ କିଛି ନେତା ଟିକେଟ୍‌ ପାଇଁ ଲବି ଚଳାଇଥିବାରୁ ବିଜେଡି ପାଇଁ ପ୍ରାର୍ଥୀ ବାଛିବା ସହଜ ହେଉନି। ଢେଙ୍କାନାଳ ଲୋକସଭା ଆସନ ୨୦୦୪ରୁ ବିଜେଡି ପାଖରେ ରହିଛି। ତଥାଗତ ସତପଥୀ ଲଗାତାର ୩ ଥର ଏଠାରୁ ସାଂସଦ ଭାବେ ଜିତିବା ପରେ ୨୦୧୯ରେ ଅପ୍ରତ୍ୟାଶିତ ଭାବେ ରାଜନୀତିରୁ ଓହରି ଯାଇଥିଲେ। ପରେ ବି‌ଜେଡି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା। କଡ଼ା ମୁକାବିଲା ପରେ ମହେଶ ପ୍ରାୟ ୩୫ ହଜାର ଭୋଟ୍‌ରେ ବିଜୟୀ ହୋଇଥିଲେ। ହେଲେ ଏଥର ବିଜେଡି ପୁଣି ଥରେ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା କମ୍‌ ବୋଲି ଦଳ ଭିତରୁ ସୂଚନା ମିଳିଛି। ବରଂ, ବିଧାନସଭା ପାଇଁ ଦଳ ତାଙ୍କୁ ଟିକେଟ୍‌ ଦେଇପାରେ। ହିନ୍ଦୋଳ କିମ୍ବା ପାଳଲହଡ଼ାରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ତେବେ ତାଙ୍କ ସମର୍ଥକଙ୍କ ମତ ହେଉଛି, ମହେଶ ପୁଣିଥରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। କେବଳ ଦଳୀୟ ନିର୍ଦ୍ଦେଶକୁ ଅପେକ୍ଷା ରହିଛି।

ଏପଟେ ଏହି ଆସନ ଉପରେ ଦଳର ଅଧା ଡଜନ ନେତାଙ୍କ ଆଖି। ବିଜେଡିରେ ଯୋଗଦେଇଥିବା ତଥା ଗତ ବିଧାନସଭା ନିର୍ବାଚନରେ ଅନୁଗୁଳରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା ଲୋକସଭା ପ୍ରାର୍ଥୀ ହେବା ଆଶାରେ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲୁଛନ୍ତି। ତାଙ୍କ ମିଶ୍ରଣ ପର୍ବରେ ମଧ୍ୟ ‌ଉଭୟ ଢେଙ୍କାନାଳ ଓ ‌ଅନୁଗୁଳ ଜିଲ୍ଲାରୁ ବହୁ ନେତା ଓ କର୍ମୀ ଯାଇଥିବାରୁ ଏହି ସମ୍ଭାବନା ବଢ଼ିଛି। ସେହିପରି ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ପୁତୁରା ଡା. ଅବିନାଶ ସାମଲ ବିଜେଡିରେ ବିଧିବଦ୍ଧ ଭାବେ ମିଶିବା ପରେ ତାଙ୍କ ପ୍ରାର୍ଥିତ୍ବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟ ଜିଲ୍ଲାରେ ସୁଧୀରଙ୍କ ପ୍ରଭାବ ଥିବାରୁ ତାଙ୍କ ପୁତୁରାଙ୍କୁ ଦଳ ଗୁରୁତ୍ବ ଦେଇପାରେ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ସାଂସଦ ଓ ବିଧାୟକଙ୍କ ଭିତରେ ଭଲ ସମ୍ପର୍କ ନ ରହିବା ଏକ ପରମ୍ପରାରେ ପରିଣତ ହୋଇଥିବାବେଳେ ଏଥିରେ ବ୍ରେକ୍‌ ଦେବା ପାଇଁ ଦଳର ଶୀର୍ଷ ନେତୃତ୍ବ ନୂଆ ଚାଲ୍‌ ଖେଳିପାରନ୍ତି। ତଥାଗତଙ୍କ ସହ ଅଧିକାଂଶଙ୍କ ବିଧାୟକଙ୍କ ପଡ଼ୁ ନ ଥିଲାବେଳେ ଏବେ ମହେଶଙ୍କ ସହ କ୍ୟାମ୍ପ୍‌ରେ ଅଧିକାଂଶ ବିଧାୟକ ନାହାନ୍ତି। ଏପରିକି ସାଂସଦ ଓ ବିଧାୟକ ମତାନ୍ତର ନିୟମିତ ଲାଗି ରହିଛି। ବିଜେଡିରେ ଏହି ଗୋଷ୍ଠୀ ବିବାଦ ତୁଟାଇବା ପାଇଁ ନୂଆ ଓ ଯୁବ ଚେହେରାଙ୍କୁ ଦଳ ପ୍ରାଥମିକତା ଦେଇପାରେ ବୋଲି ଜଣାପଡ଼ିଛି। ଏପଟେ ଦଳର ସନ୍ତୁଳନ ରକ୍ଷା କରିବା ପାଇଁ କିଛି ବରିଷ୍ଠ ନେତାଙ୍କ ନାମ ମଧ୍ୟ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ତାଲିକାରେ ରହିଛି। ପର୍ଜଙ୍ଗ ବିଧାୟକ ନୃସିଂହ ସାହୁ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ନାମକୁ ନେଇ କିଛି ଗୋଷ୍ଠୀ ଚର୍ଚ୍ଚା କରୁଛନ୍ତି। ତେବେ ଆସନ୍ତା ରବିବାର ନବୀନ ନିବାସରେ ହେବାକୁ ଥିବା ବୈଠକରେ ସ୍ପଷ୍ଟ ଚିତ୍ର ସାମ୍‌ନାକୁ ଆସିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe