ଢେଙ୍କାନାଳ ଲୋକସଭା ଆସନ: ଦୁଇ ଅଭିଜ୍ଞଙ୍କ ସହ ଲଢ଼ିବେ ନବାଗତ

ଅନୁଗୁଳ: ଢେଙ୍କାନାଳ ଲୋକସଭା ଆସନରେ ବିଜେଡି ଓ କଂଗ୍ରେସ ଏଥର ନୂଆ ମୁହଁ ସହ ନିର୍ବାଚନକୁ ଓହ୍ଲାଇଛନ୍ତି। ଏପଟେ ବିଜେପି ଗତ ୩ ଥରର ପ୍ରାର୍ଥୀଙ୍କୁ ପୁଣି ଭରସା କରିଛି। ଏଥିସହିତ ଏଠାରେ ତ୍ରିମୁଖୀ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି। ୧୯୯୯ ନିର୍ବାଚନରେ ଏହି ଆସନରୁ କଂଗ୍ରେସର କେ.ପି. ସିଂହଦେଓ ବିଜୟୀ ହୋଇଥିଲେ। ହେଲେ ୨୦୦୪ରେ ଏହାକୁ ବିଜେଡି ନିଜ ଅକ୍ତିଆରକୁ ଆଣିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଏହି ଆସନ ବିଜେଡି ହାତରେ ରହିଛି। ଦିନେ କଂଗ୍ରେସର ଦୁର୍ଗ ଥିବା ଏହି ଆସନକୁ ପୁଣି କବ୍‌ଜା କରିବାକୁ ଏଥର ମହିଳା କାର୍ଡ ଖେଳିଛି ଦଳ। ପୂର୍ବତନ ରାଜ୍ୟ କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ଦଳକୁ ପୁଣି ଏକଜୁଟ କରି ପାରମ୍ପରିକ ଭୋଟକୁ ସୁରକ୍ଷିତ ରଖିବା ତାଙ୍କ ଅଭିଜ୍ଞତା କାମ ଦେଇପାରେ। ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସହ ସେ ଅପରିଚିତ ନୁହଁନ୍ତି। ଅନୁଗୁଳ ଜିଲ୍ଲା ପରିଷଦ ସଭାନେତ୍ରୀ ରହିବା ସହ ତାଳଚେରରୁ ବିଧାୟକ ଭାବେ ଲଢ଼ିଥିଲେ।

ପୁଣି ତାଙ୍କ ବାପା ଭଜମନ ବେହେରା ଢେଙ୍କାନାଳରୁ ସାଂସଦ ଭାବେ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। କିନ୍ତୁ କଂଗ୍ରେସର ଭୋଟହାର କ୍ରମାଗତ ଭାବେ ଖସୁଥିବାରୁ ସସ୍ମିତାଙ୍କୁ ଏବେ କଠିନ ପରିଶ୍ରମ କରିବାକୁ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ରଖନ୍ତି। ଏପଟେ ବିଜେଡି ନିଜ ଆସନକୁ ସୁରକ୍ଷିତ ରଖିବା ପାଇଁ ଏଥର ନୂଆମୁହଁ ସହ ନିର୍ବାଚନକୁ ଓହ୍ଲାଇଛି। ଗତ ନିର୍ବାଚନରେ ମାତ୍ର ୩୫ହଜାର ଭୋଟ ବ୍ୟବଧାନରେ ଜିତିଥିବା ବିଜେଡି ମହେଶ ସାହୁଙ୍କ ଟିକେଟ କାଟି ଯୁବ ଡାକ୍ତର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି। ସେ ରାଜନୀତିରେ ନୂଆ ହେଲେ ମଧ୍ୟ ରାଜନୈତିକ ପରିବାରରୁ ଆସିଛନ୍ତି। ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ସମସ୍ତ ୭ଟି ଯାକ ବିଧାନସଭା ବିଜେଡି ପାଖରେ ରହିଥିବାରୁ ଏହା ତାଙ୍କୁ ସୁବିଧା କରିବ ବୋଲି କୁହାଯାଉଛି। ଢେଙ୍କାନାଳ ଆସନକୁ ପ୍ରଥମଥର ପାଇଁ ହାତେଇବା ପାଇଁ ବିଜେପି ପୁଣି ପୁରୁଣା ନେତାଙ୍କୁ ଭରସା କରିଛି। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରୁ ଏଠାରେ ଲଗାତାର ପ୍ରାର୍ଥୀ ହୋଇ ଆସୁଥିବା ରୁଦ୍ର ନାରାୟଣ ପାଣି ପ୍ରଥମ ବିଜୟ ଅପେକ୍ଷାରେ ନିର୍ବାଚନକୁ ଓହ୍ଲାଇଛନ୍ତ। ୨୦୧୯ରେ ବିଜେପିି ଏଠାରେ ୪୩ ପ୍ରତିଶତ ଭୋଟ ହାତେଇଥିଲା। ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆସନକୁ ଗୁରୁତ୍ବ ଦେଇ ଦୁଇ ବର୍ଷ ହେଲା ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମୋଦୀ ହାୱାରେ ଦଳ ଏଠାରେ ଖାତା‌ ଖୋଲିବାକୁ ଆଶାବାଦୀ ଅଛି।

ସମ୍ବନ୍ଧିତ ଖବର