ଢେଙ୍କାନାଳ: ଢେଙ୍କାନାଳରେ ଅତ୍ୟାଧୁନିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାର ସାତବର୍ଷ ବିତିଲାଣି। ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉ ନଥିବାରୁ ଏହା କେବଳ ରେଫରାଲ୍ ହସ୍ପିଟାଲ୍ରେ ସୀମିତ ରହିଛି। ଏପରିକି ଅଲ୍ଟ୍ରାସାଉଣ୍ଡ ସେବା ମଧ୍ୟ ଏଠାରେ ମିଳି ପାରୁନାହିଁ। ଅଧିକାରୀ ବଦଳୁଛନ୍ତି, ବର୍ଷ ଗଡ଼ିଚାଲିଛି, ଆନ୍ଦୋଳନ କରି ସହରବାସୀ ଥକି ଗଲେଣି, ହେଲେ ଉପରିସ୍ଥ ଅଧିକାରୀଙ୍କୁ ଚିଠି କରାଯାଇଛି କହି ନିଜ ଦାୟିତ୍ବ ସାରୁଛନ୍ତି ହସ୍ପିଟାଲ୍ କର୍ତ୍ତୃପକ୍ଷ। ଏବେ ବାରମ୍ବାର ବିଜ୍ଞାପନ ଦେଲେ ମଧ୍ୟ ରେଡିଓଲୋଜିଷ୍ଟ ମିଳୁନାହାନ୍ତି କି ଆସୁନାହାନ୍ତି କହି କର୍ତ୍ତୃପକ୍ଷ ଭଣ୍ଡାଇ ଚାଲିଛନ୍ତି।
୨୦୧୮ ମସିହାରେ ୪୩ କୋଟି ଟଙ୍କା ବ୍ୟୟରେ ଢେଙ୍କାନାଳ ସହରରେ ସାତମହଲା ବିଶିଷ୍ଟ ଅତ୍ୟାଧୁନିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହୋଇଥିଲା। ଲକ୍ଷ୍ୟଥିଲା, ଜିଲ୍ଲାବାସୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା। ହେଲେ ଅଦ୍ୟାବଧି ତାହା ପୂରଣ ହୋଇ ପାରିନାହିଁ। ରୋଗ ଚିହ୍ନଟ ପାଇଁ ଏଠାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ନାହିଁ। କେବଳ ଗର୍ଭବତୀଙ୍କୁ ଡାକ୍ତରଙ୍କ ଦ୍ୱାରା ୩ ଦିନ ଅଲ୍ଟ୍ରାସାଉଣ୍ଡ ସେବା ମିଳୁଥିବା ବେଳେ ତାହା ଏବେ ଦୁଇଦିନକୁ ଖସିଯାଇଛି। ଏଥିପାଇଁ ବାହାର ଜିଲ୍ଲାକୁ ଧାଇଁ ଲୋକଙ୍କୁ ନାକେଦମ ହେବାକୁ ପଡ଼ୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଯୋଗାଇ ଦେବାକୁ ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ୍ ରହିଛି। ୨୦୨୨ ମସିହାରେ ଜଣେ ରେଡିଓଲୋଜିଷ୍ଟ ଏଠାକୁ ଆସିଥିଲେ। ଦିନେ କାମ କରିବା ପରେ ଉଚ୍ଚଶିକ୍ଷା ପାଇଁ ସେ ଲମ୍ବା ଛୁଟିରେ ଗଲେ ଯେ ଆଉ ଆସିଲେ ନାହିଁ। ଗତବର୍ଷ ମାର୍ଚ୍ଚରେ ଦ୍ୱିତୀୟ ରେଡିଓଲୋଜିଷ୍ଟ ଆସିଥିଲେ। ସେ ମାତ୍ର ୧୫ ଦିନ ରହିବା ପରେ ସେହି ମାର୍ଚ୍ଚ ୧୯ ତାରିଖରେ ଏଠାରୁ ତାଙ୍କର ବଦଳି ହୋଇଗଲା।
ସେବେଠାରୁ ଆଉ ରେଡିଓଲୋଜିଷ୍ଟ ମିଳୁ ନଥିବାରୁ ଜିଲ୍ଲାବାସୀ ଏହି ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ଅଲ୍ଟ୍ରାସାଉଣ୍ଡ କକ୍ଷ କବାଟରେ ‘ଏହା କେବଳ ଗର୍ଭବତୀଙ୍କ ପାଇଁ, ଅନ୍ୟମାନଙ୍କ ପାଇଁ ନୁହେଁ, ସୋମବାର ଏବଂ ବୁଧବାର ସକାଳ ୯ରୁ ଦିନ ୨ଟା ପର୍ଯ୍ୟନ୍ତ ଉପଲବ୍ଧ’ ବୋଲି ଦର୍ଶାଯାଇଛି। ଏବେ ଦୁଇଜଣ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗ ଡାକ୍ତର ଗର୍ଭବତୀଙ୍କ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା କରୁଛନ୍ତି। ସେଥିରୁ ଜଣେ ଛୁଟିରେ ଗଲେ ତାହା ମଧ୍ୟ ଠିକ୍ ଭାବେ ମିଳି ପାରୁନାହିଁ। ସର୍ବସାଧାରଣଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ବାରମ୍ବାର ଦାବି ହୋଇଆସୁଛି। ଏଥିପାଇଁ ଆନ୍ଦୋଳନ ହେଲେ ଭିନ୍ନଭିନ୍ନ ପ୍ରତିଶ୍ରୁତି ମିଳୁଛି, କିନ୍ତୁ ତାହା କେବଳ ପ୍ରତିଶ୍ରୁତିରେ ସୀମିତ। କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୭ବର୍ଷ ମଧ୍ୟରେ ମାତ୍ର ୧୫ ଦିନ ଅଲଟ୍ରାସାଉଣ୍ଡ ସେବା ଯୋଗାଇବା ଜିଲ୍ଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଞ୍ଜୟ ମହାପାତ୍ର କହିଛନ୍ତି, ରେଡିଓଲୋଜିଷ୍ଟଙ୍କ ପାଇଁ ତିନିଥର ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆସରିଛି। ସେମାନଙ୍କ ପାଇଁ ଭଲ ପାରିଶ୍ରମିକ ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ସାକ୍ଷାତକାର ଦେବାକୁ କେହି ଆସୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/sfsfsfxccx-2025-10-24-05-02-28.jpg)