ସାଂସଦଙ୍କ ସନ୍ୟାସ ପରେ ଗୋଷ୍ଠୀ ନାହିଁ ତ କନ୍ଦଳ ନାହିଁ : ଦବିଗଲେଣି ବିଦ୍ରୋହୀ, ଟିକେଟ୍‌ ଆଶା ବି ଫିକା

ବିଧାୟକଙ୍କ ଟିକେଟ କଟିଲେ ହଟିବ କନ୍ଦଳ!

ଅନୁଗୁଳ : ଢେଙ୍କାନାଳ ସାଂସଦ ତଥାଗତ ସତପଥୀଙ୍କ ରାଜନୀତିରୁ ସନ୍ନ୍ୟାସ ଘୋଷଣା ପରେ ଏହାର ପ୍ରଭାବ ପଡ଼ିଛି ଢେଙ୍କାନାଳ ଲୋକସଭା କ୍ଷେତ୍ର ଅଧୀନସ୍ଥ ସାତ ବିଧାନସଭା କ୍ଷେତ୍ରର ଦଳୀୟ ସଂଗଠନ ଉପରେ। ପ୍ରତି ବିଧାନସଭା ଆସନ‌େର ବିଜେଡି ବିଧାୟକଙ୍କର ଏକ ପ୍ରକାର ବିରୋଧୀ ଥିଲେ ସାଂସଦ ଗୋଷ୍ଠୀ। ଅହି-ନକୁଳ ସମ୍ପର୍କରେ ବିଧାୟକ ଗୋଷ୍ଠୀଙ୍କ ସହିତ ବିରୋଧୀ ତାଳ ଦେଇ ଆଗକୁ ବଢ଼ୁଥିଲେ ସାଂସଦ ଗୋଷ୍ଠୀ। ଯାହାର ନମୁନା, ବିଜେଡି ପ୍ରତିଷ୍ଠା ଦିବସ ହେଉ ଅବା କୌଣସି ଦଳୀୟ ଆନ୍ଦୋଳନ ଏବଂ ପ୍ରତିବାଦ ସଭାରେ ଜଳଜଳ ଦିଶୁଥିଲା। କିନ୍ତୁ, ସାଂସଦଙ୍କ ସନ୍ନ୍ୟାସ ଘୋଷଣା ପରେ ଏହି ବିରୋଧୀ ଗୋଷ୍ଠୀଙ୍କର ମୁଣ୍ଡ ମୋଡ଼ି ହେ‌ାଇଯାଇଛି। ବିଧାୟକଙ୍କୁ ବିରୋଧ କରି ଚାଲୁଥିବା ଏହି ଗୋଷ୍ଠୀଙ୍କ ଦଶା ଏବଂ ଦିଶା ଏବେ କେଉଁ ଆଡ଼କୁ ଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଢେଙ୍କାନାଳ କାହିଁକି, ସମ୍ବଲପୁର ଲୋକସଭା କ୍ଷେତ୍ରରେ ନଳିନୀ ପ୍ରଧାନଙ୍କ ଏଣ୍ଟ୍ରି ପରେ ବିଜେଡି ଟିକେଟ୍‌ ଏଥର ନଗେନ୍ଦ୍ରଙ୍କ ବିପକ୍ଷରେ ଯଦି ଯାଏ, ତେବେ ତାଙ୍କ ଅନୁଗତଙ୍କ ଭୂମିକା ଏ ନିର୍ବାଚନରେ କ’ଣ ହେବ, ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ଗତ ଦଶନ୍ଧିର ରାଜନୈତିକ ଇତିହାସ କହୁଛି, ଶାସକ ବିଜେଡି ସବୁଠି ପିନ୍ଧିଛି ବିଜୟ ତିଳକ। ସାତରୁ ସାତ ବିଧାୟକ ଆସନ ଦଖଲ କରିବା ସହିତ ସାଂସଦ ପଦରେ ବିଜୟ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ବିଜେଡିର ଟାଣୁଆ ସ୍ଥିତିକୁ ଜାହିର୍‌ କରି ଆସିଛି। ଦଶନ୍ଧିର ଏକାକୀ ଯାତ୍ରା ଭିତରେ ଉପର ଚିକ୍କଣ ଭିତର ଘୁଣ ନ୍ୟାୟରେ ବିଜେଡି ଉପରୁ ମଜବୁତ ଏବଂ ଏକ ଦେଖାଯାଉଥିଲେ ମଧ୍ୟ ଭିତରୁ ଭିତରୁ ଦଳୀୟ କନ୍ଦଳ ଖାଇ ଯାଉଥିଲା। ସାଂସଦ ଏବଂ ବିଧାୟକ ଗୋଷ୍ଠୀ ସବୁଠି କନ୍ଦଳରେ ମାତୁଥିଲେ। ସାଂସଦଙ୍କ ସମର୍ଥକ ଗୋଷ୍ଠୀ କେବଳ କ୍ଷମତାସୀନ ବିଧାୟକଙ୍କୁ ଟକ୍କର ଦେଉ ନ ଥିଲେ, ବରଂ ବିଧାୟକ ଟିକେଟ୍‌ ଲବିରେ ବି ଲାଗିଥିଲେ। ଯେମିତିକି, ଅନୁଗୁଳ ବିଧାନସଭା କ୍ଷେତ୍ରରେ କ୍ଷମତାସୀନ ବିଧାୟକ ରଜନୀକାନ୍ତ ସିଂହଙ୍କ ବିକଳ୍ପ ଭାବେ ସାଂସଦ ଗୋଷ୍ଠୀର ଶକ୍ତିପ୍ରସାଦ ପଟ୍ଟନାୟକ, ଭକ୍ତିପ୍ରସାଦ ଦାଶ ପ୍ରମୁଖ ବିଜେଡିର ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। କେବଳ ଅନୁଗୁଳ ନୁହେଁ, ପ୍ରାୟ ବିଧାନସଭା କ୍ଷେତ୍ରରେ ଏମିତି ବହୁ ଦଳୀୟ ନେତାଙ୍କୁ ଦେଖିବାକୁ ମିଳୁଥିଲା। କ୍ଷମତାସୀନ ବିଧାୟକଙ୍କ ଟିକେଟ୍‌ କଟିଲେ ସାଂସଦ ଗୋଷ୍ଠୀ ମାଡ଼ି ବସିବେ ବୋଲି କୁହାଯାଉଥିଲା। କିନ୍ତୁ ସାଂସଦଙ୍କ ସନ୍ନ୍ୟାସ ଘୋଷଣା ସବୁ ଆଶା, ଆକାଂକ୍ଷାକୁ ଫିକା କରି ଦେଇଛି। ଶ୍ରୀ ସତପଥୀଙ୍କ ବିଦାୟ ପରେ ଏହି ସବୁ ନେତାଙ୍କ ଗତି କୁଆଡ଼େ? ପୂର୍ବପରି ବିଧାୟକ ଗୋଷ୍ଠୀରେ ସାମିଲ୍‌ ହେବେ ନା, ଦଳରେ ରହି ବିଦ୍ରୋହୀ ଭୂମିକା ତୁଲାଇବେ? ବିରୋଧୀ ସହ ମିଶି ବିଜେଡି ଅନ୍ତଃ କନ୍ଦଳରେ ଆହୁରି ଘୁଣ ଲଗାଇ ଦେଲେ ପରିସ୍ଥିତି କ’ଣ ହେବ ତାହା ବି ପ୍ରଶ୍ନବାଚୀ ହୋଇଛି।

ସେହିପରି ବିଜେଡିର ଟିକେଟ୍‌ ବଣ୍ଟା ନୀତିରେ ଅନେକ ପୁରୁଣାଙ୍କୁ ବାଦ୍‌ ଏବଂ ନୂଆଙ୍କୁ ସାମିଲ୍‌ କରାଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ଯଦି ଢେଙ୍କାନାଳ ଲୋକସଭା କ୍ଷେତ୍ରର କିଛି କ୍ଷମତାସୀନ ବିଧାୟକଙ୍କ ମୁଣ୍ଡ ମୋଡ଼ି ଦିଅନ୍ତି ତେବେ ସାଂସଦ ଗୋଷ୍ଠୀ ସହିତ ବିଧାୟକ ଗୋଷ୍ଠୀ କନ୍ଦଳରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ରାଜନୈତିକ ମହଲ ଆଶା କରୁଛନ୍ତି।

ସମ୍ବନ୍ଧିତ ଖବର