କଟକ : ଢେଙ୍କାନାଳର ନାଇଜେରିଆନ୍ ଏଜେଣ୍ଟ ଦୁଷ୍ମନ୍ତ ସାହୁର ପ୍ରିଆକ୍ଟିଭ୍ ସିମ୍‌ରେ ସାଇବର୍ ଅପରାଧୀ ବଡ଼ବଡ଼ିଆଙ୍କ ନାଁରେ ନକଲି ହ୍ବାଟସ୍‌ଆପ୍ ଆକାଉଣ୍ଟ ଖୋଲିବା ସହିତ ସୁଇଗି ଓ ଜୋମାଟୋରୁ ଖାଦ୍ୟ ଅର୍ଡର ପାଇଁ ବ୍ୟବହାର କରୁଥିଲେ। ଗାଡ଼ିରେ ବସି ବୁଲିବାକୁ ଓଲା, ଉବର ଆପ୍ଲିକେସନ୍ ଏବଂ ଦାମୀ ସାମଗ୍ରୀ କିଣିବାକୁ ଫ୍ଲିପକାର୍ଟ ଓ ଆମାଜନରେ ବି ଆକାଉଣ୍ଟ ଖୋଲିଥିଲେ। ୧୯ ହଜାର ୬୪୧ଟି ସିମ୍‌ରେ ପାଖାପାଖି ୩ ଲକ୍ଷ ଆପ୍ଲିକେସନ୍ ପଞ୍ଜୀକରଣ କରାଯାଇଥିଲା। ଗୋଟିଏ ସିମ୍‌ରେ ୧୫ଟି ଆପ୍ଲିକେସନ୍ ପାଇଁ ଓଟିପି କାଢ଼ୁଥିଲେ ନାଇଜେରିଆନ୍ ସାଇବର୍ ଅପରାଧୀ। ଢେଙ୍କାନାଳର ମୋବାଇଲ୍ ଗ୍ରାହକଙ୍କ ପରିଚୟପତ୍ରରେ ଏହି ଆକାଉଣ୍ଟ ସବୁ ଖୋଲାଯାଇଥିଲା। ଅଥଚ ସେମାନେ ଏହି ଭୂତ ଆକାଉଣ୍ଟ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ଭବିଷ୍ୟତରେ ପୁଲିସ ଟ୍ରାକ୍ କଲେ ଯେଭଳି ଧରା ନପଡ଼ିବେ ସେଥିପାଇଁ ଏହି ଆପ୍ଲିକେସନ୍ ଖୋଲିବା ପାଇଁ ଦୁଷ୍ମନ୍ତର ପ୍ରିଆକ୍ଟିଭେଟ୍ ମୋବାଇଲ୍ ନମ୍ବର ବ୍ୟବହାର କରାଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି।

Advertisment

ହ୍ବାଟସ୍‌ଆପ୍ ଆପ୍ଲିକେସନ୍ ପାଇଁ କଢ଼ାଯାଉଥିବା ଓଟିପି ପାଇଁ ଦୁଷ୍ମନ୍ତ ୪୦୦ ଟଙ୍କା ପାଉଥିବା ବେଳେ ସୁଇଗି ଓ ଜୋମାଟୋ ଭଳି ଆପ୍ଲିକେସନ୍ ପାଇଁ ୨୦୦ ରୁ ୩୦୦ ଟଙ୍କା ଦୁଷ୍ମନ୍ତ ପାଉଥିବା ସୂଚନା ଦେଇଛି। ଢେଙ୍କାନାଳ ଟାଉନ ଥାନା ଅଞ୍ଚଳର ସ୍କାଏ ଆର୍ଟର ଦୋକାନ ମାଲିକ ତଥା ବିଏସ୍‌ଏନ୍‌ଏଲ୍ ଡିଲର ସାଇ ପ୍ରକାଶ ଦାସ ସମେତ ଅବିନାଶ ନାୟକ, ଦୁଷ୍ମନ୍ତ କୁମାର ସାହୁକୁ କ୍ରାଇମବ୍ରାଞ୍ଚ ୪ ତାରିଖରୁ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ବେଳେ ଆଜି ରିମାଣ୍ଡର ଚତୁର୍ଥ ଦିନ। ଆସନ୍ତକାଲି ରିମାଣ୍ଡ ଶେଷ ହେବାକୁ ଯାଉଛି। ଏହି ରିମାଣ୍ଡ ଅବଧି ସମୟରେ ଓଟିପି କାରବାର ସମ୍ପର୍କରେ କ୍ରାଇମବ୍ରାଞ୍ଚ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିଛି। ଅନ୍ୟପଟେ ଗଲା ୫ ତାରିଖଠାରୁ ପ୍ରିଆକ୍ଟିଭ୍ ସିମ୍ ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚରେ ଅଟକ ଥିବା ଜିଓର ସେଲର୍ କାମାକ୍ଷାନଗର ଆଳୁଆଝରଣାର ଦୋଳଗୋବିନ୍ଦ ପରିଡ଼ା(୨୧)କୁ ଶନିବାର ଗିରଫ କରାଯାଇଛି। ଦୋଳଗୋବିନ୍ଦ ମୋଟ ୩ ହଜାର ୧୭ଟି ଜିଓ ସିମ୍ ନାଇଜେରିଆନ୍ ଏଜେଣ୍ଟ ଦୁଷ୍ମନ୍ତ କୁମାର ସାହୁକୁ ଯୋଗାଇଥିଲା। ମାସକୁ ପାଖାପାଖି ୩୦୦ ରୁ ୪୦୦ ସିମ୍ ଦୋଳଗୋବିନ୍ଦ ବିକ୍ରି କରୁଥିଲା। ଏହି ପ୍ରିଆକ୍ଟିଭେଟ୍ ସିମ୍ ଦୋଳଗୋବିନ୍ଦ ମାତ୍ର ୩୦ ରୁ ୪୦ ଟଙ୍କାରେ ଦୁଷ୍ମନ୍ତକୁ ବିକ୍ରି କରୁଥିଲା। ଦୁଷ୍ମନ୍ତ ଏହି ସିମ୍‌ରୁ ଓଟିପି କାଢ଼ି ଓଟିପି ପିଛା ୪୦୦ ଟଙ୍କାରେ ଫେସବୁକର ‘ବାୟର୍ ସେଲର୍ ଅଫ୍ ଓଟିପି’ ଗ୍ରୁପ ମାଧ୍ୟମରେ ନାଇଜେରିଆନ୍ ଅପରାଧୀଙ୍କୁ ବିକ୍ରି କରୁଥିଲା। ଜିଓର ଢେଙ୍କାନାଳ ମୋଟାଙ୍ଗ ଉପରପାଳର ଜିଓ ଡିଷ୍ଟ୍ରିବ୍ୟୁଟର ଅମିତାଭ ସାହୁଙ୍କୁ କ୍ରାଇମବ୍ରାଞ୍ଚ ଯଦିଓ ୫ ତାରିଖରେ ଉଠାଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ଗିରଫ କରିନାହିଁ। ତେବେ ଦୋଳ ଗୋବିନ୍ଦକୁ ମିଶାଇଲେ ଗିରଫ ସଂଖ୍ୟା ୪କୁ ଛୁଇଁଲାଣି।

ଅନ୍ୟପଟେ ‘ବାୟର୍ ସେଲର୍ ଅଫ୍ ଓଟିପି’ରେ ନାଇଜେରିଆନ୍ ଅପରାଧୀ ଗ୍ରୁପ ନଥିବା କ୍ରାଇମବ୍ରାଞ୍ଚ ଯାଞ୍ଚ ସମୟରେ ଜାଣିବାକୁ ପାଇଛି। ଏଥିରେ କେବଳ ଦଲାଲ ଥିଲେ। ଏହା ସହିତ ଦୁଷ୍ମନ୍ତ ଭଳି ସିମ୍ ନମ୍ବର ବିକ୍ରେତା ସଦସ୍ୟ ଭାବେ ଥିଲେ। ନାଇଜେରିଆନ୍ ଅପରାଧୀଙ୍କୁ କେଉଁ ସର୍ଭିସ ପ୍ରୋଭାଇଡର୍‌ କେତେ ସଂଖ୍ୟାରେ ସିମ୍ ଦିନକୁ ଆବଶ୍ୟକ ରହେ, ସେ ନେଇ ଏକ ତାଲିକା ସେମାନେ ଦଲାଲକୁ ଦେଇଥାନ୍ତି। ଦଲାଲ ଏହି ତାଲିକା ଉକ୍ତ ଫେସବୁକ ଗ୍ରୁପରେ ସେୟାର କରିଥାନ୍ତି। ସେହି ଅନୁଯାୟୀ, ଦୁଷ୍ମନ୍ତ ଭଳି ସିମ୍ ବିକ୍ରେତାମାନେ ପ୍ରିଆକ୍ଟିଭ୍ ସିମ୍‌ର ନମ୍ବର ଗ୍ରୁପରେ ସେୟାର କରୁଥିଲେ। ଏହି ନମ୍ବର ନାଇଜେରିଆନ୍ ଅପରାଧୀଙ୍କ ନିକଟରେ ପହଞ୍ଚୁଥିବା ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ଦୁଷ୍ମନ୍ତକୁ ଜେରା ସମୟରେ ଜାଣିବାକୁ ପାଇଛି।