ଢେଙ୍କାନାଳରେ ଚାଞ୍ଚଲ୍ୟକର ଘଟଣା: ଗୁଳିମାରି ହତ୍ୟା, ପ୍ରତିଶୋଧରେ ଆକ୍ରମଣ

ଅଭିଯୁକ୍ତର ସ୍ତ୍ରୀ ଓ ପୁଅ ଗୁରୁତର, ଘଟଣା ପଛ‌ରେ ରାଜନୈତିକ ଶତ୍ରୁତା!

ଢେଙ୍କାନାଳ: ସାମାନ୍ୟ କଥାକୁ ନେଇ ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତର କନ୍ଧପାଳ ଗାଁରେ ଆଜି ଗୁଳି ଫୁଟିଛି। ନୃପତି ନାଏକ ନାମକ ଜଣେ ବ୍ୟକ୍ତିର ଗୁଳିମାଡ଼ରେ ସଂପର୍କୀୟ ଭାଇ ଦଳେଇ ନାଏକ(୫୬)ଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ପ୍ରତିଶୋଧପରାୟଣ ହୋଇ ଅଭିଯୁକ୍ତ ନୃପତିଙ୍କ ସ୍ତ୍ରୀ ସାରଥି ନାଏକ ଓ ତାଙ୍କ ୩ ବର୍ଷର ପୁଅ ନୀତିନ୍‌ଙ୍କୁ ଗୋଡ଼ାଇ ଗୋଡ଼ାଇ ତୀକ୍ଷ୍ଣ ଅସ୍ତ୍ରରେ ହାଣିଛନ୍ତି। ପୋଖରୀରୁ ମାଟି ଉଠାଇ ଗାଁ ରାସ୍ତାରେ ନେବାକୁ ବିରୋଧ କରିବାରୁ ଏହି ଅଭାବନୀୟ ଘଟଣା ଘଟିଛି। ତେବେ, ରାଜନୈତିକ ଶତ୍ରୁତା ବି ଅନ୍ୟ ଏକ କାରଣ ବୋଲି କୁହାଯାଉଛି।

ଆଜି କନ୍ଧପାଳ ଗାଁରେ ଏକ ପୋଖରୀ ଖୋଳାଯାଉଥିଲା। ସେହି ପୋଖରୀରୁ ନୃପତି ନାଏକ ଜେସିବିରେ ମାଟି ଉଠାଇ ଟ୍ରାକ୍ଟରରେ ଗାଁ ରାସ୍ତା ଦେଇ ବାହାରକୁ ପଠାଉଥିଲେ। ରାସ୍ତାଟି ସଂକୀର୍ଣ୍ଣ ହୋଇଥିବା ବେଳେ ବାରମ୍ବାର ଜେସିବି ଓ ଟ୍ରାକ୍ଟର ଚଳାଚଳ ଦ୍ବାରା ଲୋକଙ୍କ ଯିବାଆସିବାରେ ସମସ୍ୟା ଉପୁଜୁଥିଲା। ପୁଣି ମାଟି ପଡ଼ି ରାସ୍ତା କାଦୁଅ ହେଉଥିଲା। ଏହାକୁ ନୃପତିଙ୍କ ସଂପର୍କୀୟ ଭାଇ ଦଳେଇ ନାଏକ(୫୬) ବିରୋଧ କରୁଥିଲେ। ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିବାବେଳେ ଦୁହେଁ ମୁହାଁାମୁହିଁ ହୋଇଥିଲେ। ପାଟିତୁଣ୍ଡ ବି ଉଗ୍ରରୂପ ଧାରଣ କରିଥିଲା। ନୃପତି ଧରିଥିବା ବନ୍ଧୁକରେ ହଠାତ୍‌ ଦଳେଇଙ୍କ ଉପରକୁ ବାରମ୍ବାର ଗୁଳିମାଡ଼ କରିବାରୁ ସେ ସେଠାରେ ଟଳି ପଡ଼ିଥିଲେ। ନୃପତିଙ୍କ ସ୍ତ୍ରୀ ସାରଥି ନାଏକ ତାଙ୍କ ୩ ବର୍ଷର ପୁଅ ନୀତିନ୍‌କୁ ସାଙ୍ଗରେ ଧରି ଲୁଚି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ମୃତକ ଦଳେଇଙ୍କ ପରିବାର ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏଥିରେ ସେମାନେ ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା। ଗାଁରେ ପୁଲିସ୍‌ ଉପସ୍ଥିତ ଥିବାବେଳେ ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ମୃତକଙ୍କ ପରିବାର ଅଭିଯୁକ୍ତ ହତ୍ୟାକାରୀ ନୃପତିଙ୍କ ଭାଇ ନିରଞ୍ଜନଙ୍କ ଚାଳ ଘରେ ନିଆଁ ଲଗାଇଥିଲେ। ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ୪ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ରାଜନୈତିକ ଶତ୍ରୁତାକୁ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘ ବର୍ଷ ଧରି ଅଶାନ୍ତି ଲାଗି ରହିଥିଲା। ମୃତ ଦଳେଇ ଜଣେ ବିଜେପି ସମର୍ଥକ ଓ ସେ ୱାର୍ଡମେମ୍ବର ଥିଲେ। ଚଳିତ ନିର୍ବାଚନରେ ତାଙ୍କ ବୋହୂ ୱାର୍ଡମେମ୍ବର ପଦରେ ବିଜୟୀ ହୋଇଛନ୍ତି। ଅପରପକ୍ଷେ, ନୃପତି ହେଉଛନ୍ତି ଶାସକ ଦଳ ସମର୍ଥକ।

ସମ୍ବନ୍ଧିତ ଖବର