ଢେଙ୍କାନାଳ: ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଢେଙ୍କାନାଳ ସଦର ରାଜସ୍ୱ ନିରୀକ୍ଷକ ବରୁଣ ଜେନା ଏବଂ ନିଜକୁ କାର୍ଯ୍ୟାଳୟର ପିଅନ କହୁଥିବା ସହଯୋଗୀ ତଥା ଦଲାଲ ବଳରାମ ସାହୁ। ରାଜସ୍ୱ କାର୍ଯ୍ୟାଳୟ ବାହାରେ ୩୦ ହଜାର ଟଙ୍କା ଅଭିଯୋଗକାରୀଙ୍କଠାରୁ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ମାଡ଼ି ବସିଥିଲେ। ପରେ ରାଜସ୍ୱ ନିରୀକ୍ଷକ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟ ଓ ଘର ସମେତ ନକଲି ପିଅନ ତଥା ଦଲାଲ ବଳରାମଙ୍କ ଘର ଉପରେ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। 

Advertisment

ସହର ଉପକଣ୍ଠ ମହିଷାପାଟ ଅଞ୍ଚଳର ମହେଶ୍ୱର ସାମଲ ପତ୍ନୀ ଟୁନିଙ୍କ ନାମରେ ମହିଷାପାଟ ଅଞ୍ଚଳରେ ୨୦୦୯ ମସିହାରେ ୮ ଡେସିମିଲ୍‌ ଜମି କିଣିଥିଲେ। ଏହି ଜମିର କିସମ ପରିବର୍ତ୍ତନ ପାଇଁ ୨୦୨୪ ମସିହା ଅଗଷ୍ଟ ୨୧ ତାରିଖରେ ସଦର ତହସିଲ୍‌ରେ ଆବେଦନ କରିଥିଲେ। କେସ୍‌ ନମ୍ବର ୩୯୬୦/୨୦୨୪ରେ ତାଙ୍କ ଦରଖାସ୍ତ ଯାଞ୍ଚ ପାଇଁ ସଦର ଆରଆଇ କାର୍ଯ୍ୟାଳୟକୁ ଯାଇଥିଲା। ଶ୍ରୀ ସାମଲ ସଦର ଆରଆଇଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ଯାଞ୍ଚ ରିପୋର୍ଟ ଦେବା ଲାଗି କହିଥିଲେ। ଗତ ୯ ତାରିଖରେ ସେ ଆରଆଇ ଶ୍ରୀ ଜେନାକୁ କିସମ ପରିବର୍ତ୍ତନ ରିପୋର୍ଟ ସଂପର୍କରେ ପଚାରିଥିଲେ। ସରକାରୀ ଫି’ ବାବଦରେ ୨୬ ହଜାର ଟଙ୍କା ଓ କାମ ପାଇଁ ୩୦ ହଜାର ଟଙ୍କା ଏପରି ୫୬ ହଜାର ଟଙ୍କା ଦେଲେ ୩/୪ ଦିନ ମଧ୍ୟରେ କାମ ହୋଇଯିବ ବୋଲି କହିଥିଲେ। ଶ୍ରୀ ସାମଲ ଏତେଟଙ୍କା ଦେବା ଲାଗି ନିଜର ଅକ୍ଷମତା ପ୍ରକାଶ କରିଥିଲେ। ଟଙ୍କା ନଦେଲେ କାମ ହୋଇପାରିବ ନାହିଁ ବୋଲି ଆରଆଇ ଶ୍ରୀ ଜେନା ରୋକଠୋକ ମନା କରିଦେଇଥିଲେ। ଏହା ପରେ ଶ୍ରୀ ସାମଲ ଢେଙ୍କାନାଳ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ ଟାରୁ ୫ ମଧ୍ୟରେ ଶ୍ରୀ ସାମଲ ଟଙ୍କା ଧରି ଆରଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଟଙ୍କା ଆଣିଥିବା ଜାଣିବା ପରେ ଆରଆଇ ଶ୍ରୀ ଜେନା ଓ ତାଙ୍କର ସହଯୋଗୀ ନକଲି ପିଅନ ଶ୍ରୀ ସାହୁ କାର୍ଯ୍ୟାଳୟ ବାହାରକୁ ଶ୍ରୀ ସାମଲକୁ ସାଙ୍ଗରେ ନେଇ ଆସିଥିଲେ। ଶ୍ରୀ ସାମଲ ୩୦ ହଜାର ଟଙ୍କା ଆରଆଇ ଶ୍ରୀ ଜେନାଙ୍କୁ ଦେବା ପରେ ସେ ତାହାକୁ ନେଇ ନିଜ ସାଥରେ ଥିବା ନକଲି ପିଅନ ଶ୍ରୀ ସାହୁଙ୍କୁ ଦେଇଥିଲେ। ଶ୍ରୀ ସାହୁ ଟଙ୍କାକୁ ତାଙ୍କ ବାଇକ୍‌ ଡିକିରେ ରଖି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚି ଉଭୟଙ୍କୁ କାବୁ କରିନେଇଥିଲେ। ପରେ ସେମାନଙ୍କୁ ଢେଙ୍କାନାଳ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରିଥିଲେ। ଭିଜିଲାନ୍ସର ଗୋଟିଏ ଟିମ୍‌ ସଦର ଆରଆଇ କାର୍ଯ୍ୟାଳୟ ଓ ଅନ୍ୟ ଏକ ଟିମ୍‌ ଶ୍ରୀ ଜେନାଙ୍କ ସହରର ହାଟରୋଡ୍‌ ସ୍ଥିତ ଘର ସମେତ ଶ୍ରୀ ସାହୁଙ୍କ ଭଗବାନପୁର ସ୍ଥିତ ଘର ଉପରେ ଚଢ଼ଉ କରିଥିଲେ। ଢେଙ୍କାନାଳ ଭିଜିଲାନ୍ସ ଡିଏସ୍‌ପି ଅନୁସୟା ସେନାପତିଙ୍କ ନେତୃତ୍ୱରେ କଟକ ଡିଏସ୍‌ପି ସନ୍ତକ ଜେନା, ଇନ୍‌ସପେକ୍ଟର ଜ୍ୟୋତିଶଙ୍କର ସାହୁ, ରୀତାରାଣୀ ପ୍ରଧାନ, ଏଏସ୍‌ଆଇ ସୁବାଶିଷ ବେହେରା ପ୍ରମୁଖ ଚଢ଼ଉରେ ସାମିଲ ଥିଲେ। ଏ ସଂପର୍କରେ କଟକ ଭିଜିଲାନ୍ସ ପିଏସ୍‌ କେସ୍‌ ନମ୍ବର ୨୬/୨୪ ଦଫା ୭/୧୨ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।