ବେଲ୍‌ଟିକିରି ସେଲ୍‌ଟର ହୋମ୍‌ କାରନାମା-୨ : ବାଳୁତରୁ ବ୍ରେନ୍‌ୱାସ୍

ଜଗନ୍ନାଥଙ୍କ ଜଣାଣ ଗାଇବାକୁ ମନା କଲେ, ହଷ୍ଟେଲ୍‌ରେ ପିଲାଙ୍କ ନାଁ କରୁଥିଲେ ପରିବର୍ତ୍ତନ; ସୋନପୁରରେ ୨୨ ଛାତ୍ରୀଙ୍କ ପତ୍ତା ମିଳୁନି

ଢେଙ୍କାନାଳ : ୫ବର୍ଷ ବୟସର ଶିଶୁ। ସମାଜ, ଜାତି, ଗୋତ୍ର, ଧର୍ମ କ’ଣ ଜାଣିବା ଆଗରୁ ସେମାନଙ୍କ କଅଁଳ ମୁଣ୍ଡରେ ଭରି ଦିଆଯାଇଛି ବି‌ଷ ବିଚାର। ଭଗବାନଙ୍କୁ ନେଇ କରାଯାଇଛି ବାଛବିଚାର, ଭାଗବଣ୍ଟା। ପରିଣାମସ୍ବରୂପ ବାଳୁତ ବୟସରେ ପିଲାମାନେ ଜଗନ୍ନାଥଙ୍କ ଜଣାଣ ଗାଇବାକୁ ମନା କରୁଛନ୍ତି। ହାତଯୋଡ଼ି ନମସ୍କାର ହେବାକୁ କୁଣ୍ଠିତ ହେ‌ଉଛନ୍ତି। ବରଂ ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରାର୍ଥନା, ଗୀତ ଗାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ୫ଦିନ ତଳେ ଢେଙ୍କାନାଳ ବେଲ୍‌ଟିକିରି ‘ଗୁଡ୍‌ ନ୍ୟୁଜ୍‌ ଇଣ୍ତିଆ ଡ୍ରିମ୍‌ସ ସେଣ୍ଟର’ରୁ ଉଦ୍ଧାର ହୋଇଥିବା ଛୋଟ ଛୋଟ ଶିଶୁମାନଙ୍କର ଏ ପ୍ରକାର ଆଚରଣ ସମସ୍ତଙ୍କୁ ହତବାକ୍‌ କରି ଦେଇଛି। ଉଦ୍ଧାର ପରେ କୁନି ପିଲାମାନେ ଏବେ ଢେଙ୍କାନାଳ ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍ ମିସନରେ ରହୁଥିବା ବେଳେ ସେମାନଙ୍କ ମୁଣ୍ଡରେ ଏଭଳି କ୍ରୂର ବିଚାର ଭର୍ତ୍ତି କରାଯାଇଛି ଯେ ସେମାନେ ଧର୍ମକୁ ନେଇ ବାଛବିଚାର କରୁଛନ୍ତି। କୋଉ ଧର୍ମ ଭଲ ଆଉ କୋଉଟା ଖରାପ, ତାହା ବ୍ୟକ୍ତ କରୁଛନ୍ତି।

ସୂଚନା ମୁତାବକ, ମହର୍ଷି ଦୟାନନ୍ଦ ସର୍ଭିସ୍ ମିସନରେ ବେଲ୍‌ଟିକିରିରୁ ଉଦ୍ଧାର ୩୨ଜଣ ଶିଶୁଙ୍କୁ ରଖାଯାଇଛି। ଏମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ‌େଢଙ୍କାନାଳ ଓ ଅନୁଗୁଳ ଜିଲ୍ଲାର। ବିଶେଷ କରି ଢେଙ୍କାନାଳ ଦକ୍ଷିଣକାଳୀ ରୋଡ଼୍‌ ସରଜଙ୍ଗ ସାହି, ସଞ୍ଜୟ କଲୋନି, ଓଡ଼ାପଡ଼ା ବ୍ଲକ ମୋଟଙ୍ଗା, କଙ୍କଡ଼ାହାଡ଼ ବ୍ଲକ କୀର୍ତ୍ତନପୁର, କଣ୍ଟାପାଳ, କେନ୍ଦୁମୁଣ୍ଡା, ଅଡ଼ାପଲ୍ଲୀ ଓ ଅନୁଗୁଳ ଜିଲ୍ଲା ସାନକେରଜାଙ୍ଗ ଅଞ୍ଚଳର ଶିଶୁମାନେ ଅଛନ୍ତି। ଏମାନଙ୍କ ବୟସ ପ୍ରାୟ ୫ରୁ ୧୦ବର୍ଷ ହେବ। ଅଳ୍ପ କିଛି ବର୍ଷ ହେଲା ଏମାନଙ୍କୁ ଘରୁ ଅଣାଯାଇ ସେଲଟର ହୋମ୍‌ରେ ଥଇଥାନ କରାଯାଇଥିଲା। ଏଠାକୁ ଆସିବାର ମୂଳ କାରଣ ହେଉଛି ଦାରିଦ୍ର୍ୟ। କାହାର ବାପା ନାହାଁନ୍ତି ତ, ଆଉ କାହାର ମା’ ନାହାନ୍ତି। ଏଭଳି ସ୍ଥିତିରେ ପିଲାମାନଙ୍କୁ ପାଠ ପଢ଼ାଇବା ଉଦ୍ଦେଶ୍ୟରେ ଏଠାକୁ ଅଣାଯାଇଥିଲା। ଖାଦ୍ୟପେୟ ସାଙ୍ଗକୁ ସ୍ଥାନୀୟ ସରକାରୀ ସ୍କୁଲକୁ ପାଠ ପଢ଼ାଇବା ପାଇଁ ଛଡ଼ାଯାଉଥିଲା। ପ୍ରାୟତଃ ଶିଶୁ ବେଲଟିକିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିଲେ। ସେଲଟର ହୋମରେ ରହଣି ବେଳାରେ ସକାଳ ଓ ସଞ୍ଜରେ ପ୍ରାର୍ଥନା କ୍ଲାସ କରୁଥିଲେ।

କିନ୍ତୁ ସେଲଟର୍‌ ହୋମ୍‌ରେ ଚାଲିଥିବା କେଳେଙ୍କାରୀ ପଦାକୁ ଆସିବା ପରେ ଗୋଟିଏ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ମହର୍ଷି ଦୟାନନ୍ଦ ସର୍ଭିସ୍ ମିସନରେ ରହୁଥିବା ଏହି ଉଦ୍ଧାର ପିଲାମାନେ ଏବେ ଅନ୍ତେବାସୀଙ୍କ ସହିତ ଏକାଠି ପ୍ରାର୍ଥନା କରିବାକୁ ମନା କରୁଛନ୍ତି। ପ୍ରାର୍ଥନାରେ ଜଗନ୍ନାଥ ଜଣାଣ ହେଉଥିବାରୁ ପିଲାମାନେ ଏହାକୁ ଗାଇବାକୁ ସଂକୋଚ କରୁଛନ୍ତି। ଏମିତିକି ନମସ୍କାର କରିବାକୁ ବି କୁଣ୍ଠିତ ହେଉଥିବା ଜଣାପଡ଼ିିଛି। ବରଂ ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରାର୍ଥନା କରିବାକୁ ସେମାନେ କହୁଥିବା ଜଣେ କର୍ତୃପକ୍ଷ ନିଜ ନାମ ଗୋପନ ରଖି କହିଛନ୍ତି।

କେବଳ ସେତିକି ନୁହେଁ, ପିଲାମ‌ାନେ ନିଜ ଘରୁ ଯିବା ପରେ ତାଙ୍କ ନାଁକୁ ମଧ୍ୟ ଅନୁଷ୍ଠାନରେ ପରିବର୍ତ୍ତନ କରି ଦିଆଯାଇଛି। ନୂଆ ନାମକରଣ କରି ସ୍କୁଲରେ ସେମାନଙ୍କର ନାମ ଲେଖାଯାଇଛି ବୋଲି ଅଭିଭାବକମାନେ କହିଛନ୍ତି। ଏ ସବୁ ଘଟଣା ଅନୁଷ୍ଠାନରେ ଚାଲିଥିବା ଧର୍ମାନ୍ତରୀକରଣ ଗୁମରକୁ ଖୋଲି ଦେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଆହୁରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସୋନପୁରରେ ୨୨ ଛାତ୍ରୀଙ୍କ ପତ୍ତା ମିଳୁନି

ସୋନପୁର : ଢେଙ୍କାନାଳ ଜିଲ୍ଲା ବେଲଟିକିରି ସ୍ଥିତ ଗୁଡ ନ୍ୟୁଜ ଇଣ୍ଡିଆ କେନ୍ଦ୍ରରେ ଯୌନ ଶୋଷଣ ଘଟଣା ପଦାକୁ ଆସିବା ପରଠୁ ସୋନପୁର ଜିଲ୍ଲା ବଡ଼ଝିଙ୍କିଠାରେ ଚାଲିଥିବା ଗୁଡ ନ୍ୟୁଜ ଇଣ୍ଡିଆ ଡ୍ରିମ ସେଣ୍ଟର ସେଲଟର ହୋମରେ ଥିବା ୨୨ ଜଣ ଛାତ୍ରୀଙ୍କୁ ଆଉ ଦେଖା ମିଳୁନାହିଁ। ଏବେ ସେଲ୍‌ଟର୍‌ ହୋମ୍‌ରେ ୨୨ ଜଣ ଛାତ୍ରୀ ରହୁଥିଲେ ଓ ସାନଝିଙ୍କି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିଲେ। କିନ୍ତୁ ଢେଙ୍କାନାଳ ଜିଲ୍ଲା ବେଲଟିକିରି ଘଟଣା ପରଠୁ ଏହି ୨୨ ଜଣ ଛାତ୍ରୀ ବିଦ୍ୟାଳୟକୁ ଆସୁନଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଠାରେ ରହୁଥିବା ୨୨ ଜଣ ଛାତ୍ରୀଙ୍କୁ ସେମାନଙ୍କର ଅଭିଭାବକଙ୍କ ପାଖରେ ଛଡ଼ାଯାଇଛି ନା ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର