ଢେଙ୍କାନାଳ ଗୁଡ୍‌ ନିଉଜ୍‌ ଇଣ୍ଡିଆ ସେଲ୍ଟର ହୋମ୍‌ ପ୍ରସଙ୍ଗ : ଆର୍ଥିକ କାରବାର ତଦନ୍ତ କରିବ ଇଡି

ଭୁବନେଶ୍ୱର : ଢେଙ୍କାନାଳ ଗୁଡ୍‌ ନିଉଜ୍‌ ଇଣ୍ଡିଆ ସେଲ୍ଟର ହୋମ୍‌ରେ ହୋଇଥିବା‌ ନାବାଳିକା ନିର୍ଯାତନା ଓ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତନାଘନା କରୁଥିବା ବେଳେ ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଏହାର ସମସ୍ତ ଆର୍ଥିକ କାରବାରର ତଦନ୍ତ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କରିବାକୁ ଯାଉଛି। ଆଜି ଏଫ୍‌ଆଇଆର କପି ସହ ଏଯାବତ୍‌ ହୋଇଥିବା ତଦନ୍ତର ବିବରଣୀ ଢେଙ୍କାନାଳ ପୁଲିସ ଠାରୁ ଇଡି ତଲବ କରିଛି। ଏହି ସବୁ ତଥ୍ୟ ହାସଲ ହେବା ପରେ ସେଲ୍ଟର ହୋମ୍‌ର ଆର୍ଥିକ କାରବାରର ଆମୂଳଚୁଳ ତଦନ୍ତ ହେବ। ଆର୍ଥିକ ଅନୁଦାନ କେଉଁଠୁ ଆସୁଥିଲା, କେତେ ଅନୁଦାନ ଆସିଛି, କେଉଁଠି ବିନିଯୋଗ ହୋଇଛି, କେଉଁ ଆକାଉଣ୍ଟରୁ କେଉଁ ଆକାଉଣ୍ଟକୁ ଆସିଛି, କେତେ ଆକାଉଣ୍ଟ ଜରିଆରେ ଆସିଛି ବା ନଗଦ ଆସିଛି, ବିନିଯୋଗ ହୋଇଥିବା ଅର୍ଥ ଠାରୁ ଅନୁଦାନପ୍ରାପ୍ତ ପରିମାଣର କେତେ ଫରକ ରହିଛି ଏହାର ତଦନ୍ତ ହେବ। ତଦନ୍ତ ପରେ ଆର୍ଥିକ ହେରଫେର ହୋଇଥିଲେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯଦି କୌଣସି ଆର୍ଥିକ ଅନୁଦାନ ବେଆଇନ ଭାବରେ ଆସିଥାଏ ତାହାକୁ ନେଇ ମଧ୍ୟ କାର୍ଯ୍ୟ‌ାନୁଷ୍ଠାନ ହେବ। ଯେଉଁ ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ଅନୁଦାନ ଦେଇଛନ୍ତି ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଅନୁଦାନ ଦେଇଥିବା ବ୍ୟକ୍ତି ବା ଅନୁଷ୍ଠାନ ଅନୁଦାନ ଦେବାପାଇଁ ସ୍ବୀକୃତିପ୍ରାପ୍ତ ହୋଇ ନଥାନ୍ତି ତେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ‌ଯେ, ଢେଙ୍କା‌ନାଳରେ ଥିବା ଗୁଡ୍‌ ନିଉଜ୍‌ ଇଣ୍ଡିଆ ‌ସେଲ୍ଟର ହୋମ୍‌ରେ ନାବାଳିକାଙ୍କୁ ନିର୍ଯାତନା ଓ ଧର୍ମାନ୍ତରୀକରଣ ଚାଲିଥିବା ନେଇ ଅଭିଯୋଗ ହେବା ପରେ ହୋମ୍‌ର ମୁଖ୍ୟଙ୍କୁ ଗିରଫ କରାଯାଇଛି। ଦୁଇଦିନ ଧରି ଓଡ଼ିଶା ଆସି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟଙ୍କ ‌ସମେତ ୯ଟି ଦଳ ବିଭିନ୍ନ ସେଲ୍ଟର ହୋମ୍‌ ଓ ହଷ୍ଟେଲ ଯାଞ୍ଚ କରିଛି।

ସମ୍ବନ୍ଧିତ ଖବର