ଢେଙ୍କାନାଳ: ଶନିବାର ସକାଳେ ଓଡ଼ାପଡ଼ା ବ୍ଲକ୍‌ ମୋଟଗାଁ ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ଗାଁ’ରେ ଗୋଟାଏ ଦନ୍ତାହାତୀ କବଳରେ ପଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।

Advertisment

ଦନ୍ତାହାତୀ ଆକ୍ରମଣରେ ମୃତ ବ୍ୟକ୍ତିଜଣକ ହେଉଛନ୍ତି ୮୨ ବର୍ଷିୟ ଦୟାନିଧି ସାହୁ। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା କଥା ଶୁଣାଯାଉଛି।

ସକାଳ ପ୍ରାୟ ୬ଟା ବେଳେ ଦୟାନିଧି ଗାଧୋଇବାକୁ ଗାଁମୁଣ୍ଡ ପୋଖରୀକୁ ଯାଇଥିବା ବେଳେ ସମ୍ପୃକ୍ତ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିବାରୁ ଘଟନାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ବିୟୋଗାନ୍ତ ଘଟନାରେ ମର୍ମାହତ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଦୟାନିଧିଙ୍କ ମୃତ୍ୟୁ ବାବଦରେ କ୍ଷତି ପୂରଣ ଦାବି କରି ଗୁଡ଼ିଆକାଟେଣି ଛକ ଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟନାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରାଉଛନ୍ତି।

ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନଗୁଡ଼ିକର ଲମ୍ବା ଧାଡ଼ି ଲାଗିରହିଛି।