ଡିଜିଟାଲ୍ ଇଣ୍ଡିଆ ଯୁଗରେ ନେଟୱର୍କ ନ ପାଇ ଏଇ ଗାଁର ଲୋକ କେବେ ଛାତ ଉପରେ ଚଢ଼ନ୍ତି ତ କେବେ ଗଛ ଉପରେ…

ଢ଼େଙ୍କାନାଳ: ଡିଜିଟାଲ୍ ଇଣ୍ଡିଆ ଯୁଗରେ ମୋବାଇଲକୁ ଏକ ଅପରିହାର୍ଯ୍ୟ ଯନ୍ତ୍ର ରୂପେ ଗଣାଯାଉଛି । ମାତ୍ର ଯଦି ସେହି ମୋବାଇଲକୁ ସଠିକ ନେଟୱର୍କ ନ ମିଳେ ତେବେ ଉପଭୋକ୍ତାମାନେ କିପରି ହଇରାଣ ହରକତ ହେବେ ତାହା ଦେଖିଲେ ଜାଣି ହେବ । ହାତରେ ମୋବାଇଲ୍ ଫୋନ୍ ସିନା ଅଛି ହେଲେ ନେଟୱର୍କ ଟିକିଏ ପାଇବା ଲାଗି ହନ୍ତସନ୍ତ ହେଉଛନ୍ତି ଢେଙ୍କାନାଲ  ଜିଲ୍ଲା ହିନ୍ଦୋଳ ବ୍ଲକ ଗଂଜରା ଗ୍ରାମର ବାସିନ୍ଦା। କିଏ ଗଛରେ ଚଢ଼ୁଛି ତ କିଏ ଘରପାଖ ମୁଣ୍ଡିଆ ଉପରେ ଠିଆ ହେଉଛି। ଏତେ ସବୁ ପରେ ବି ଲୁଚକାଳି ଖେଳୁଛି ନେଟୱର୍କ- ମିନିଟିଏ ଆସିଲେ ଦୁଇ ମିନିଟ୍ ଉଭାନ୍।

ମୋବାଇଲ ଅଛି, ହେଲେ ଟାୱାର ନାହିଁ । ଆଉ ଟାୱାର ନଥିବାରୁ ଏ ଅବସ୍ଥା! କିଏ ମୋବାଇଲ ଧରି ଗଛ ଉପରରେ ତ ଆଉ କିଏ ମୋବାଇଲ ଧରି ଘରର ଛାତ ଉପରେ । ମୋବାଇଲରେ କଥା ହେବା ପାଇଁ ବିଭିନ୍ନ  ଉପାୟ ଆପଣାଉଛନ୍ତି ସତ କିନ୍ତୁ ଫଳ ମିଳୁନି  । ନେଟୱାର୍କ ପାଉ ନଥିବାରୁ ଢେଙ୍କାନାଳ ହିନ୍ଦୋଳ ବ୍ଲକର ଗଂଜରା ଗାଁରେ ଲୋକେ ସମସ୍ୟା ଭୋଗୁଛନ୍ତି । ଗାଁ ଠାରୁ ଦେଢ କିମି ଦୂର ଆମ୍ବତୋଟାକୁ ଗଲେ ନେଟୱାର୍କ ଲାଗୁଥିବା କହିଛନ୍ତି ଗ୍ରାମବାସୀ କେବଳ ଗଂଜରା ନୁହେଁ ନେଟୱାର୍କ ସମସ୍ୟାରେ ଧନ୍ଦି ହେଉଛନ୍ତି ଆଖପାଖର ୪/୫ଟି  ଗାଁର ଲୋକ ।

ମୋବାଇଲ ନେଟୱାର୍କ ଆସୁ ନଥିବାରୁ ଯୋଗାଯୋଗର ଜରୁରୀକାଳୀନ ଆବଶ୍ୟକତା ବେଳେ ଗାଁଲୋକେ ଅସହାୟ ହୋଇପଡୁଛନ୍ତି । ତୁରନ୍ତ ପୁଲିସକୁ କୌଣସି କଥା ଜଣାଇବା, ଶୀଘ୍ର ଆମ୍ବୁଲାନ୍ସ ଡାକିବା ଏଠି ଦିବାସ୍ୱପ୍ନ । ଆଉ କ୍ୟାସଲେସ ନେଣଦେଣ, ଅନଲାଇନ ବ୍ୟାକିଂ ସୁବିଧା ବିଷୟରେ ଭାବିବା ବି ଭୁଲ । ମୋବାଇଲ ସେବା ଯୋଗାଇ ଦେବା ଲାଗି ସ୍ଥାନୀୟ ଜନପ୍ରତିନିଧୀଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ମଧ୍ୟ ବହୁ ବାର ଜଣାଇଛନ୍ତି ଅଞ୍ଚଳବାସୀ ହେଲେ ତାଙ୍କ କଥା କେହି ଶୁଣୁ ନଥିବା ସେଠାକାର ହାଲ୍ ହିଁ ପ୍ରମାଣିତ କରୁଛି।

ସମ୍ବନ୍ଧିତ ଖବର