ହାଇକୋର୍ଟରେ ଢିଙ୍କିଆ ମାମଲା: ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ସରକାରଙ୍କ ଅସ୍ୱୀକାର

ଜଗତସିଂହପୁର ଜିଲ୍ଲାପାଳଙ୍କ ଷ୍ଟାଟସ୍ ରିପୋର୍ଟ ଦାଖଲ, ଫେବ୍ରୁଆରି ୧୬ରେ ପରବର୍ତ୍ତୀ ଶୁଣାଣି

କଟକ : ଜଗତସିଂହପୁର ଜିଲ୍ଲା ଢିଙ୍କିଆଠାରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଜମିଅଧିଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାୟର ତିନୋଟି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗକୁ ସରକାର ଅସ୍ବୀକାର କରିଛନ୍ତି।

ଢିଙ୍କିଆ ଓ ଆଖପାଖ ଗ୍ରାମର ବାସିନ୍ଦାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସୁବିଧା ପ୍ରଦାନ ପ୍ରସଙ୍ଗରେ ଜଗତସିଂହପୁର ଜିଲ୍ଲାପାଳ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ଏ ନେଇ ଜାନୁଆରି ୨୦ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନ କରି ଜିଲ୍ଲାପାଳଙ୍କ ପକ୍ଷରୁ ଢିଙ୍କିଆରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ସ୍ବାସ୍ଥ୍ୟସେବା ପ୍ରଦାନ ସଂକ୍ରାନ୍ତରେ ରହିଥିବା ସ୍ଥିତି ନେଇ ରିପୋର୍ଟ ଦାଖଲ କରାଯାଇଛି। ସରକାରଙ୍କ ଜବାବ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୬କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର‌.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଢିଙ୍କିଆ ସଂପର୍କିତ ତିନୋଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜାନୁଆରି ୨୦ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ଏଥିସହିତ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଢିଙ୍କିଆରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ନେଇ ହାଇକୋର୍ଟରେ ତିନୋଟି ମାମଲା ଦାୟର ହୋଇଛି। ଜାନୁଆରି ୧୮ରେ ହାଇକୋର୍ଟ ଢିଙ୍କିଆର କୁନି ମଲ୍ଲିକ ଓ ଅନ୍ୟ ଚାରି ଜଣଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ଜାନୁଆରି ୧୯ରେ  ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ଆବେଦନର ହାଇକୋର୍ଟ ଶୁଣାଣି କରି ଜାନୁଆରି ୨୦ରେ ଦୁଇ ମାମଲାର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ତୃତୀୟ ମାମଲାଟି ପ୍ରତାପରୁଦ୍ର ସାମନ୍ତରାୟ ଦାୟର କରିଛନ୍ତି। ଢିଙ୍କିଆ ଘଟଣାର ସ୍ବାଧୀନ ତଦନ୍ତ ପ୍ରସଙ୍ଗ ନେଇ ଏହି ମାମଲା ଦାୟର କରାଯାଇଛି। ମୁତୟନ କରାଯାଇଥିବା ପୁଲିସ ଫୋର୍ସ ଢିଙ୍କିଆ ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରତ୍ୟାହାର ସହିତ ସ୍ଥାନୀୟ ଅଞ୍ଚଳରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ପଦକ୍ଷେପ ନିଆଯିବା, ଆହତଙ୍କ ଉପଯୁକ୍ତ ଚିକିତ୍ସା ଓ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ ବିନା ଆଇନଗତ ପ୍ରକ୍ରିୟା ଅନୁସରଣରେ ଜମି ଅଧିଗ୍ରହଣ କରା ନ ଯାଉ ବୋଲି ଆବେଦନ କରି ଏହି ମାମଲା ଦାୟର ହୋଇଛି।

ସମ୍ବନ୍ଧିତ ଖବର