ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୧୬ ତାରିଖ ଠାରୁ ରାଜ୍ୟରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥି ପାଇଁ ପ୍ରକ୍ରିୟା ଜାରି ରହିଛି। ୫ଟି ପର୍ଯ୍ୟାୟରେ ମତଦାନ ହେବ। ଏଥି ପାଇଁ ରାଜ୍ୟବ୍ୟାପୀ ନାମାଙ୍କନ ପତ୍ର ଦାଖଲ ହୋଇସାରିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ନେତାମାନେ ଏବେ ଗାଁ ଗାଁରେ ପ୍ରଚାର ଜମାଇଛନ୍ତି। ନିର୍ବାଚନକୁ ନେଇ ଗ୍ରାମାଞ୍ଚଳ ଉଠୁଛି ପଡୁଛି। କିନ୍ତୁ ଜଗତସିଂହପୁର ଜିଲ୍ଲା ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୨୩ଟି ୱାର୍ଡ ମେମ୍ବର ପାଇଁ ନିର୍ବାଚନ ହେବ ନାହିଁ। ଏଠାରେ ୨୦୨୩ରେ ନିର୍ବାଚନ ହେବ। ଢିଙ୍କିଆରେ ଶେଷ ଥର ପାଇଁ ୨୦୧୮ରେ ନିର୍ବାଚନ ହୋଇଥିଲା। ଏହାର କାର୍ଯ୍ୟକାଳ ୨୦୨୩ରେ ଶେଷ ହେବ। ତେବେ ରାଜ୍ୟର ୬୭୯୩ଟି ପଞ୍ଚାୟତରେ ଗୋଟିଏ ‌ସମୟରେ ଭୋଟ ହେଉଥିବା ବେଳେ ଢିଙ୍କିଆରେ ଷ୍ଟିଲ କମ୍ପାନି ‘ପୋସ୍କୋ’ ଆସିବା ସମୟରେ ଗଣ୍ଡଗୋଳ ହୋଇଥିଲା। ସେହି ସମୟରେ ପରିସ୍ଥିତି ଏଭଳି ହୋଇଥିଲା ଯେ, ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକର ସହିତ ଏକକାଳୀନ ଭୋଟ କରିବା ସମ୍ଭବପର ହୋଇ ନଥିଲା।

Advertisment

ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଯେ, ୩୬ ହଜାର ୯୭୬ ଜଣ ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସ୍ଥାନୀୟ ମତଦାତାଙ୍କ ଦ୍ବାରା ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଥିରେ ୩୬ ହଜାର ୫୨୩ ଜଣ ୱାର୍ଡମେମ୍ବର, ୧୨୬ ଜଣ ସରପଞ୍ଚ, ୩୨୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି। ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଅମ୍ବାଭନା ଜୋନ୍‌-୨ରୁ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ୯୧୮୯୦ଟି ୱାର୍ଡମେମ୍ବର, ୬୭୯୩ଟି ସରପଞ୍ଚ, ୬୭୯୩ଟି ସମିତି ସଭ୍ୟ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ନିର୍ବାଚନ ହେବ। ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ। ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ। ଆସନ୍ତା ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ନିର୍ବାଚନ ହେବ। ସେହିଭଳି ଫେବ୍ରୁଆରି ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।