ଢିଙ୍କିଆ: ଶାନ୍ତି ବଜାୟ ପାଇଁ ବାଟ ଫିଟୁଛି, ପ୍ରଶାସନକୁ ସ୍ୱାଗତ୍‌ କଲେ ଗ୍ରାମବାସୀ

ଦାବି ସଂକ୍ରାନ୍ତରେ ହେଲାନି ଆଲୋଚନା
ନିର୍ବାଚନୀ କଟକଣା ଉଠିବାକୁ ଅପେକ୍ଷା

ଜଗତସିଂହପୁର : ଜଗତ୍‌ସିଂହପୁରର ଢିଙ୍କିଆରେ ଶାନ୍ତି ବଜାୟ ପାଇଁ ବାଟ ଫିଟୁଛି। ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଓ ଏସ୍‌ପି ଅଖିଳେଶ୍ବର ସିଂହ ରବିବାର ଦିନ ଢିଙ୍କିଆ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀମାନେ ଫୁଲତୋଡ଼ା ଦେଇ ସ୍ବାଗତ୍‌ କରିଛନ୍ତି। ଯେଉଁ ଗାଁରେ ଦିନେ ପ୍ରଶାସନକୁ ପୂରାଇ ଦିଆଯିବନାହିଁ ବୋଲି ନାରା ଦିଆଯାଉଥିଲା, ଆଜି ସେଠାରେ ଗ୍ରାମବାସୀ ଏହି ଦୁଇ ଅଧିକାରୀଙ୍କ ସମେତ ଅନ୍ୟ ପ୍ରାଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ, ନିର୍ବାଚନ ଆଚରଣବିଧି ଲାଗୁ କାରଣରୁ ଗ୍ରାମବାସୀଙ୍କ ଦାବି ସଂକ୍ରାନ୍ତରେ କୌଣସି ପ୍ରକାର ଆଲୋଚନା ହୋଇ ନଥିବା ଜିଲ୍ଲାପାଳ କହିଛନ୍ତି।

ଗ୍ରାମବାସୀଙ୍କ ଉପରେ ପୁଲିସର ଲାଠିମାଡ଼ ଘଟଣାକୁ ଆଜି ମାସେ ପୂରିଛି। ଗତ ମକର ସଂକ୍ରାନ୍ତିରେ ପୁଲିସ ପ୍ରତି ଢିଙ୍କିଆବାସୀଙ୍କ ମନୋଭାବ ଯେପରି ଥିଲା, ଏହାର ମାସକ ପରେ, ଅର୍ଥାତ ଆଜି ଏଥି‌ରେ ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ଭାବେ ଜଣାପଡ଼ିଛି। ଆଜି ଗାଁରେ ଜିଲ୍ଲା ପୁଲିସର ମୁଖିଆ-ଏସ୍‌ପି ଓ ପ୍ରଶାସନର ମୁଖ୍ୟ- ଜିଲ୍ଲାପାଳଙ୍କୁ ଗ୍ରାମବାସୀ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଗାଁର ମୁରବି ଓ ଯୁବକମାନେ ସେଠାରେ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗାଁକୁ ଡକାଯାଇଥିଲା। ଗ୍ରାମବାସୀଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଅପରାହ୍ନରେ ଢିଙ୍କିଆରେ ଏହି ଅଧିକାରୀମାନେ ପହଞ୍ଚି ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କ ସହ ଆଲୋଚନା କରିଥିଲେ। ମାତ୍ର ନିର୍ବାଚନ ଆଚରଣବିଧି ଲାଗୁ କରାଯାଇଥିବାରୁ ଗ୍ରାମବାସୀଙ୍କ ଦାବି ସଂକ୍ରାନ୍ତରେ କୌଣସି ପ୍ରକାର ଆଲୋଚନା କରାଯାଇ ନଥିଲା। ଆସନ୍ତା ୨୮ ତାରିଖ ନିର୍ବାଚନ ଆଚରଣବିଧି ଉଠିଯିବା ପରେ ଗ୍ରାମବାସୀଙ୍କ ବିଭିନ୍ନ ଦାବି ସଂକ୍ରାନ୍ତରେ ଆଲୋଚନା କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

ଅନ୍ୟପଟେ ଗାଁରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିରୋଧ ଓ ଆନ୍ଦୋଳନ ପାଇଁ ଗାଁରେ ଅଶାନ୍ତ ପରିବେଶ ଥିବାବେଳେ ଏବେ ପ୍ରଶାସନର ହସ୍ତ‌କ୍ଷେପ ଯୋଗୁଁ ପରିସ୍ଥିତି ସ୍ବାଭାବିକ ହେବ ବୋଲି ଅନୁମାନ କରାଯାଉଛି। ଜିଲ୍ଲା ପ୍ରଶାସନ ସିଧାସଳଖ ଲୋକମାନଙ୍କ ସହ ଆଲୋଚନା କରିବାପାଇଁ ରାଜି ହେବାପରେ ଗାଁରେ ଭାଇଚାରା ଫେରିଛି। ଆଗାମୀ ଦିନରେ ଏହି ପରିବେଶ ବଜାୟ ରହିବ ବୋଲି ଗାଁର ମୁରବି ନିର୍ଭୟ ସାମନ୍ତରାୟ, ଅକ୍ଷୟ ଦାସ, ନିତ୍ୟାନନ୍ଦ ସ୍ବାଇଁ, ପ୍ରଦୀପ ଶତପଥୀ, ବିବେକାନନ୍ଦ ସ୍ବାଇଁ, ନିର୍ଭୟ ଦାସ, ପ୍ରଶାନ୍ତ ମଲ୍ଲିକ, ନିବା‌ସ ଦାସ, ଚଗଲା ବର୍ଦ୍ଧନ ପ୍ରମୁଖ ମତ ରଖିଛନ୍ତି। ଆଲୋଚନା ଶେଷହେବା ପରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଏରସମା ବିଡିଓ କୈଳାସ ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ସେଠୀ ପ୍ରମୁଖ ଗାଁ ଲୋକଙ୍କ ସହ ଫୁଲଖାଇ ମନ୍ଦିରକୁ ଆସିଥିଲେ ଓ ଢିଙ୍କିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ଗାଁରେ ଶାନ୍ତି ସ୍ଥାପନ ପାଇଁ ଲୋକମାନଙ୍କୁ ନିବେଦନ କରିଥି‌ଲେ।

ସମ୍ବନ୍ଧିତ ଖବର