ହାଇକୋର୍ଟରେ ପହଞ୍ଚିଲା ଢିଙ୍କିଆ ପ୍ରସଙ୍ଗ: ୨ ମାମଲା ରୁଜୁ

ସ୍ଥାନୀୟ ବାସିନ୍ଦାଙ୍କ ମାମଲାରେ ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ, ତିନି ଆଇନଜୀବୀଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି ଆଜି

କଟକ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଢିଙ୍କିଆଠାରେ ପ୍ରସ୍ତାବିତ ଜେଏସ୍‌ଡବ୍ଲୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଘଟଣାର ସ୍ବାଧୀନ ଓ ନିରପେକ୍ଷ ତଦନ୍ତ ପ୍ରସଂଗକୁ ନେଇ ହାଇକୋର୍ଟରେ ଦୁଇଟି ପୃଥକ ମାମଲା ଦାୟର ହୋଇଛି। ଗୋଟିଏ ମାମଲା ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଓ ଅନ୍ୟଟି ହାଇକୋର୍ଟର ତିନି ଜଣ ଜଣାଶୁଣା ଆଇନଜୀବୀଙ୍କ ପକ୍ଷରୁ ଦାୟର କରାଯାଇଛି। ଢିଙ୍କିଆ ବାସିନ୍ଦାଙ୍କୁ ପୁଲିସ ନିର୍ଯାତନା ଘଟଣାର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି, ସାମାଜିକ କର୍ମୀ, ସିଭିଲ ସୋସାଇଟି କର୍ମୀଙ୍କୁ ନେଇ କମିଟି ଗଠନ ଲାଗି ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ କୁନି ମଲ୍ଲିକ ଓ ଅନ୍ୟ ଚାରି ଜଣଙ୍କ ତରଫରୁ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରେ ଦର୍ଶାଯାଇଛି ଯେ ଗତ ୧୪ ତାରିଖ ଦିନ ଢିଙ୍କିଆରେ ପାନବରଜ ମାପଚୁପ ସମୟରେ ପୁଲିସ ଓ ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କ କଥା ନ ଶୁଣି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସାଧାରଣ ଲୋକଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା। ଏଥିରୁ ଶିଶୁ ଓ ମହିଳା ମଧ୍ୟ ବାଦ୍‌ ପଡ଼ିନଥିଲେ। ବହୁ ଗ୍ରାମବାସୀ ଆହତ ହୋଇଥିଲେ। ପୁଲିସ ହେପାଜତରେ ମଧ୍ୟ କେତେକ ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଇଥିଲା। ଏହି ଘଟଣା ପରେ ଢିଙ୍ଗିଆ ଓ ଆଖପାଖ ଅଞ୍ଚଳରେ ପୁଲିସ ଛାଉଣି କରାଯାଇଥିଲା। ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଉପଯୁକ୍ତ ଚିକିତ୍ସା କରାଯାଇ ନଥିଲା। ସାଧାରଣ ଲୋକଙ୍କ ଚଳାଚଳ ଉପରେ ଏକ ପ୍ରକାର କଟକଣା କରାଯାଇଥିଲା। ଏପରି ଘଟଣାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠିତ କମିଟି ଦ୍ବାରା ତଦନ୍ତ କରାଯାଉ। ଘଟଣାରେ ଆହତ ବ୍ୟକ୍ତିଙ୍କ ଉପଯୁକ୍ତ ଚିକିତ୍ସା ସହିତ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ। ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଢିଙ୍ଗିଆ ଓ ଏହାର ଆଖପାଖ ଅଞ୍ଚଳରୁ ପୁଲିସ ଫୋର୍ସ ପ୍ରତ୍ୟାହାର କରାଯାଉ ବୋଲି କୁନି ମଲ୍ଲିକଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଛି।

ଅନ୍ୟପକ୍ଷରେ ହାଇକୋର୍ଟର ତିନି ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ତରଫରୁ ଢିଙ୍ଗିଆ ଘଟଣାର ସ୍ବାଧୀନ ତଦନ୍ତ ପ୍ରସଂଗ ନେଇ ମାମଲା ଦାୟର ହୋଇଥିବା ବେଳେ ଏହାର ଶୁଣାଣି ଆସନ୍ତାକାଲି କରାଯିବା ପାଇଁ ଧାର୍ଯ୍ୟ ହୋଇଛି। ତିନି ଆଇନଜୀବୀଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାରେ ଢିଙ୍ଗିଆରେ ପୁଲିସ କାର୍ଯ୍ୟାନୁଷ୍ଠାନ ସବୁ ସୀମା ଟପି ଯାଇଥିଲା ବୋଲି ଦର୍ଶାଯାଇଛି। ତୁରନ୍ତ ମୁତୟନ କରାଯାଇଥିବା ପୁଲିସ ଫୋର୍ସ ଢିଙ୍କିଆ ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରତ୍ୟାହାର ସହିତ ସ୍ଥାନୀୟ ଅଞ୍ଚଳରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉ। ଘଟଣାର ନିରପେକ୍ଷ ତଦନ୍ତ କରାଯାଉ। ଆହତଙ୍କ ଉପଯୁକ୍ତ ଚିକିତ୍ସା ଓ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ ସହିତ ବିନା ଆଇନଗତ ପ୍ରକ୍ରିୟା ଅନୁସରଣରେ ଜମି ଅଧିଗ୍ରହଣ କରା ନ ଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ପୁଲିସ ଡିଜି, ଜଗତସିଂହପୁର ଏସପି, ଜିଲ୍ଲାପାଳ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। କୁନି ମଲ୍ଲିକଙ୍କ ତରଫରୁ ଆଇନଜୀବୀ ଓମକାର ଦେବଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର