ବାଲିତୁଠ/ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ର ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଛନ୍ତି ପିଙ୍କି ଦାସ। ସେ ଢିଙ୍କିଆ ପଞ୍ଚାୟତର ସ୍ୱାଭିମାନ ମଞ୍ଚ ପକ୍ଷରୁ ଖୋଲାବହି ଚିହ୍ନରେ ନିର୍ବାଚନ ଲଢୁଥିଲେ। ପିଙ୍କିଙ୍କୁ ମୋଟ୍ ୨୯୨୭ଖଣ୍ଡ ଭୋଟ ମିଳିଛି। ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ସୂର୍ଯ୍ୟଚିହ୍ନରେ ଲଢୁଥିବା ଶାନ୍ତିଲତା ବେହେରା ୧୮୮୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ସମର୍ଥନରେ ମାଛ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ବାସନ୍ତୀ ଖଟୁଆଙ୍କୁ ମିଳିଛି ୧୮୪୬ଖଣ୍ଡ ଭୋଟ। ପଞ୍ଚାୟତର ୨୩ଟି ୱାର୍ଡରେ ୫୬ଖଣ୍ଡ ଭୋଟ ନାକଚ ହୋଇଛି। ଗତକାଲି ଡିଙ୍କିଆ ପଞ୍ଚାୟତର ୨୩ଟି ୱାର୍ଡର ମୋଟ୍ ୭୯୬୮ ଭୋଟରଙ୍କ ମଧ୍ୟରୁ ୬୭୧୦ ଜଣ ମତଦାନ କରିଥିଲେ। ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏରସମା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ଏଜେଣ୍ଟ, ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଭୋଟ ଗଣତି କରାଯାଇଥିଲା। ନିର୍ବାଚନରେ ବିଜୟୀ ହେବା ପରେ ପିଙ୍କି ଦାସ କହିଛନ୍ତି ଯେ ଏହି ବିଜୟ ଢିଙ୍କିଆ ପଞ୍ଚାୟତବାସୀଙ୍କ ସ୍ୱାଭିମାନର ବିଜୟ।
ସୂଚନାଯୋଗ୍ୟ ଯେ ୨୦୦୭ ପଞ୍ଚାୟତ ନିର୍ବାଚନରେ ଶିଶିର ମହାପାତ୍ର ବିଜୟୀ ହୋଇଥିଲେ। ତେବେ ଭୋଟ ଗଣତିରେ ଢିଙ୍କିଆ ଗ୍ରାମର ୬ଟି ୱାର୍ଡରେ ଅନିୟମିତତା ହୋଇଥିବା ଅଭିଯୋଗରେ ୨୦୦୯ରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ୨୦୦୯ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାପରଠୁ ଏଠାରେ ୨୦୧୪, ୨୦୧୯ ଓ ଚଳିତବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆୟୋଜନର ୨ ବର୍ଷ ଅନ୍ତରରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି।