ଭୁବନେଶ୍ବର: ଏବର୍ଷ ଧୋକା ଦେବନି ଦକ୍ଷିଣ ପଶ୍ଚିମ ମୌସୁମୀ। ଅର୍ଥାତ୍‌ ଧାର୍ଯ୍ୟ ସମୟରେ ମୌସୁମୀ ଓଡ଼ିଶା ଛୁଇଁବ ଏବଂ ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ତେବେ ଜୁଲାଇ ଓ ଅଗଷ୍ଟରେ ଉପକୂଳ ଏବଂ ଉତ୍ତର ଓଡ଼ିଶା ଅର୍ଥାତ୍‌ ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ନୟାଗଡ଼, ଢେଙ୍କାନାଳ, ଗଜପତି, ଅନୁଗୁଳ ଜିଲ୍ଲାରେ ସ୍ୱାଭାବିକ ନ ହେଲେ ସାମାନ୍ୟ କମ୍‌ ବର୍ଷା ହୋଇପାରେ। ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଆକଳନ କରାଯାଇଛି।

Advertisment

ଦୀର୍ଘମିଆଦି ବର୍ଷା ଆ‌କଳନ କରି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଡିସେମ୍ବରରୁ ଫେବ୍ରୁଆରି/ମାର୍ଚ୍ଚ ପର୍ଯ୍ୟନ୍ତ ଉତ୍ତର ଗୋଲାର୍ଦ୍ଧ ଓ ୟୁରେସିଆ ଅଞ୍ଚଳରେ ସ୍ନୋ କଭର ଅଞ୍ଚଳ କମ୍‌ ରହିଥିଲା। ଯାହାକି ଦକ୍ଷିଣ ପଶ୍ଚିମ ମୌସୁମୀ ଉପରେ ଭଲ ପ୍ରଭାବ ପକାଇବ। ୟୁରେସିଆ ଅଞ୍ଚଳରେ ଚଳିତ ଥର ତୁଷାର ଆଚ୍ଛାଦନ କମ୍‌ ଥିବାରୁ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ପାଇଁ ସାହାଯ୍ୟ କରିବ। ସାଧାରଣତଃ ୟୁରେସିଆ ଅଞ୍ଚଳରେ ତୁଷାର ଆଚ୍ଛାଦନ ଅଧିକ ରହିଲେ ମୌସୁମୀ ବର୍ଷା କମ୍‌ ହୋଇଥାଏ। ସେହିପରି ‌ଚଳିତବର୍ଷ ଉଭୟ ପ୍ରଶାନ୍ତ ମହାସାଗରରେ ନିଷ୍କ୍ରିୟ ଏଲ୍‌-ନିନୋ ଓ ବିଷୁବରେଖା ନିକଟସ୍ଥ ଭାରତ ମହାସାଗରରେ ଆଇଓଡି ନିଷ୍କ୍ରିୟ ରହୁଛି, ଯାହାକି ମୌସୁମୀରେ ସ୍ୱାଭାବିକ ବର୍ଷା ପାଇଁ ସାହାଯ୍ୟ କରିବ। ଲଦାଖ, ତାମିଲନାଡୁ ଓ ଉତ୍ତର ପୂର୍ବ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିବ। ବାକି ରାଜ୍ୟରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ୧୯୭୧ରୁ ୨୦୨୦ ମଧ୍ୟରେ ମୌସୁମୀ ସମୟ ଅର୍ଥାତ୍‌ ଜୁନ୍‌ରୁ ସେପ୍ଟେମ୍ବର ମାଧ୍ୟରେ ସ୍ବାଭାବିକ ବର୍ଷା ୮୭ ସେମି ତୁଳନାରେ ଏଥର ୧୦୫%(ମଡେଲ୍‌ ଜନିତ ତ୍ରୁଟି ଏପାଖସେପାଖ) ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ଜୁଲାଇ, ଅଗଷ୍ଟରେ ସାମାନ୍ୟ କମିପାରେ
କାଳବୈଶାଖୀ ପ୍ରଭାବ, କଟକରେ ୭୭.୮ ମିମି ବର୍ଷା

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜୁନ୍‌ ଓ ସେପ୍ଟେମ୍ବର ମାସରେ ସାରା ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ବିଭିନ୍ନ ମଡେଲକୁ ବିଶ୍ଲେଷଣ କଲେ ଜଣାପଡ଼ୁଛି ଯେ ଏବେ ଏଲ୍‌-ନିନୋ ନ୍ୟୁଟ୍ରାଲ୍‌ ଅବସ୍ଥାକୁ ଆସିଛି ଏବଂ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏଭଳି ରହିବ। ଏଥିସହ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗର ତାପମାତ୍ରା ମୌସୁମୀ ଶେଷ ପର୍ଯ୍ୟନ୍ତ ସ୍ବାଭାବିକ ରହିବ। ଅକ୍ଟୋବର ପରେ ଯଦିଓ ନ୍ୟୁଟ୍ରାଲ୍‌ ଅବସ୍ଥା ଚାଲୁ ରହିବାର ସମ୍ଭାବନା ରହିଛି, ମାତ୍ର ଏହାର ଆକଳନ ଏବେଠାରୁ କରିବା କଷ୍ଟକର। ଓଡ଼ିଶାକୁ ଠିକ୍‌ ସମୟରେ ମୌସୁମୀ ଆସିବ ଏବଂ ବର୍ଷା ପରିମାଣ ସ୍ବାଭାବିକ ରହିବ। ତେବେ ଜୁଲାଇ ୧୫ରୁ  ଅଗଷ୍ଟ ୧୫ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ପରିମାଣ କମିପାରେ। ଅକ୍ଟୋବରରେ ବର୍ଷା ଅଧିକ ରହିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଛି। କଟକରେ ସର୍ବାଧିକ ୭୭.୮ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ୩୮ମିମି, ନବରଙ୍ଗପୁରରେ ୨୩ ମିମି, ବଲାଙ୍ଗୀରରେ ୧୮.୪ ମିମି, ନୟାଗଡ଼ରେ ୧୫ ମିମି, କେନ୍ଦୁଝରରେ ୧୩.୮ମିମି, ପାରଳାଖେମୁଣ୍ଡିରେ ୧୧ ମିମି, କେନ୍ଦ୍ରାପଡ଼ାରେ ୯.୫ ମିମି, ତାଳଚେରରେ ୭.୮ ମିମି  ବର୍ଷା ହୋଇଥିବା ବେଳେ ଚାନ୍ଦବାଲି, ରାୟଗଡ଼ା, ଭଦ୍ରକ, ଯାଜପୁର, ଦେବଗଡ଼, ନୂଆପଡ଼ା, ମାଲକାନଗିରି, ଭୁବନେଶ୍ବର, ପୁରୀରେ ହାଲୁକା ବର୍ଷା ରେକର୍ଡ କରାଯାଇଛି। କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗିପଡ଼ିଛି। ବିଦ୍ୟୁତ୍‌ ସରବରାହ ପ୍ରଭାବିତ ହୋଇଛି। ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।