ଭୁବନେଶ୍ୱର: ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ନିର୍ବାଚନରେ ରାଜ୍ୟ ବିଜେପିିର କୌଣସି ଭୂମିକା ନାହିଁ। ତଥାପି ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ଠାରୁ ଅଧିକ ଉତ୍ସୁକତା ପରିଲକ୍ଷିତ ହେଉଛି ରାଜ୍ୟ ବିଜେପି ଶିବିରରେ। କାରଣ ଏପ୍ରିଲ ମାସରେ ରାଜ୍ୟସଭାର ଯେଉଁ ୫୫ ସାଂସଦଙ୍କ କାର୍ଯ୍ୟକାଳ ସରିବ, ତା ଭିତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ନାଁ ରହିଛି। ବିଜେଡିର ତିନି ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଏ ଭି ସ୍ୱାମୀ, ଦିଲ୍ଲୀପ ତିର୍କୀଙ୍କଠାରୁ ବିଜେପିର ଏହି ନେତାଙ୍କୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇବାର କାରଣ ହେଉଛି, ଧର୍ମେନ୍ଦ୍ର ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ଯେହେତୁ ନିଜ ରାଜ୍ୟ ଓଡ଼ିଶାରେ ତାଙ୍କ ପାଇଁ କୌଣସି ସୁଯୋଗ ନାହିଁ, ଏଣୁ ଦ୍ୱିତୀୟ ଥର ପାଇଁ ତାଙ୍କୁ କେଉଁ ରାଜ୍ୟରୁ ବିଜେପି ରାଜ୍ୟସଭାକୁ ପଠାଇବାକୁ ଚାହିଁବ ଅଥବା ବିହାରରୁ ଆଉ ଥରେ ସେ ପ୍ରତିନିଧିତ୍ୱ କରିବେ ନା ରାଜ୍ୟରେ ସଂଗଠନ ବୃଦ୍ଧି ଲାଗି ତାଙ୍କୁ ଦଳ ଏଠାରେ ଦାୟିତ୍ୱ ଦେବ, ଏହା ଉପରୁ ଏଯାଏ ରହସ୍ୟ ହଟିନାହିଁ। ତାଙ୍କ ଅନୁଗତମାନେ କିନ୍ତୁ ବିଶ୍ୱାସ କରୁଛନ୍ତି, ଧର୍ମେନ୍ଦ୍ର ରାଜ୍ୟ ସଂଗଠନ ଦାୟିତ୍ୱ ନେବା ଅପେକ୍ଷା ଆଉ ଥରେ ସଂସଦକୁ ପ୍ରତିନିଧିତ୍ୱ କରିବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବେ। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ମଧ୍ୟ ସେୟା। ଏହି ମହଲ ଯୁକ୍ତି ରଖୁଛନ୍ତି, କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ନିଜର ପାରଦର୍ଶିତା ପ୍ରକଟ କରିଛନ୍ତି। ନିକଟରେ ତାଙ୍କୁ କ୍ୟାବିନେଟ୍‌ ପାହ୍ୟାକୁ ପ୍ରଧାନମନ୍ତ୍ରୀ ଉନ୍ନୀତ କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ସେ ଅତ୍ୟନ୍ତ ଶୁଭଦୃଷ୍ଟିରେ ଅଛନ୍ତି। ବିଜେପି ତାଙ୍କୁ ଆଉଥରେ ରାଜ୍ୟସଭାକୁ ନେବା ଲାଗି ଆଗ୍ରହ ରଖିବ। ଏମିତିରେ ବି ରାଜ୍ୟରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ସଂଗଠନ ପ୍ରଭାବୀ ହେଉଛି। କିନ୍ତୁ ଏଭଳି ଏକ ସ୍ତରକୁ ଆସିନାହିଁ, ଯାହା ବିଜେପିକୁ ୨୦୧୯ରେ ନିଶ୍ଚିତ ଏକ ନମ୍ବର ସ୍ଥାନରେ ରଖିବ। ଦ୍ୱିତୀୟତଃ, କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କୁ ଏବେ ଓଡ଼ିଶାରେ ଅଧିକ ଗୁରୁତ୍ୱ ମିଳୁଛି। ଥରେ ଯଦି ସେ ପଦ ଛାଡ଼ନ୍ତି, ତେବେ ବିଜେପି ଉଭୟ ଆର୍ଥିକ ଓ ପତିଆରା ଦୃଷ୍ଟିରୁ ବିକଳାଙ୍ଗ ହେବା ଅସମ୍ଭବ ନୁହେଁ।

Advertisment

ଉଲ୍ଲେଖଯୋଗ୍ୟ, ଆସନ୍ତା ଏପ୍ରିଲ ୨ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୫୫ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ। ଏ ମଧ୍ୟରେ ରାଜ୍ୟସଭାକୁ ମନୋନୀତ ହୋଇଥିବା ବଲିଉଡ୍‌ର ଭେଟେରାନ୍‌ ଅଭିନେତ୍ରୀ ରେଖା, କ୍ରିକେଟ୍‌ ତାରକା ସଚିନ୍‌ ତେନ୍ଦୁଲକର ଏବଂ ଅନୁ ଆଗା ଅଛନ୍ତି। ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲି, ପ୍ରକାଶ ଜାଭଡେକର, ରବି ଶଙ୍କର ପ୍ରସାଦ, ଜଗତ୍‌ ପ୍ରସାଦ ନଡ୍ଡା ପ୍ରମୁଖଙ୍କ କାର୍ଯ୍ୟକାଳ ସରୁଛି। ଏଣୁ ସ୍ୱାଭାବିକ ଭାବେ କେନ୍ଦ୍ର ସରକାର ଏମାନଙ୍କୁ ନିର୍ବାଚିତ କରି ଆଉ ଥରେ ନେବା ଲାଗି ଚାପରେ ରହିବେ। ଆଉ କିଛି ଆସନ ପାଇଁ ବି ଉପନିର୍ବାଚନ ହୋଇପାରେ। ଶରଦ ଯାଦବ (ବିହାର), ଅଲ୍ଲୀ ଅନଓ୍ଵାର ଆନ୍‌ସାରି (ବିହାର), ଉତ୍ତର ପ୍ରଦେଶର ସୁଶ୍ରୀ ମାୟାବତୀ, କେରଳର ବୀରେନ୍ଦ୍ର କୁମାର, ତୃଣମୂଳ କଂଗ୍ରେସ ଛା଼଼ଡି ବିଜେପିରେ ଯୋଗଦେଇଥିବା ପଶ୍ଚିମବଙ୍ଗର ମୁକୁଲ ରାୟ, ତେଲେଙ୍ଗାନାରୁ ନିର୍ବାଚିତ ସାଂସଦ ପଲ୍ଲବୀ ଗୋବିନ୍ଦ ରେଡ୍ଡି (ଦେହାନ୍ତ), ଉତ୍ତର ପ୍ରଦେଶରୁ ନିର୍ବାଚିତ ହୋଇଥିବା ମନୋହର ପାରିକର (ଗୋଆ ମୁଖ୍ୟମନ୍ତ୍ରୀ)ଙ୍କ ଲାଗି ଏଭଳି ସୁଯୋଗ ସୃଷ୍ଟି ହୋଇଛି। ତଥ୍ୟ ସୂଚାଉଛି, ଏହି ସମୟରେ ପାଖାପାଖି ୧୬ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ହେବ। ଏ ମଧ୍ୟରେ ଅଧିକାଂଶ ବିଜେପି ଶାସିତ ରାଜ୍ୟ ରହିଛି। ଯେମିତିକି ଉତ୍ତର ପ୍ରଦେଶ (୧୦), ଓଡ଼ିଶା (୩), ରାଜସ୍ଥାନ (୩), ଉତ୍ତରାଖଣ୍ଡ (୧), ମଧ୍ୟପ୍ରଦେଶ (୫), ଛତିଶଗଡ଼ (୧), ବିହାର (୪) ଆଦି ରହିଛି। ତେବେ ବିଜେପି ନେତୃତ୍ୱ ପାଇଁ ଚ୍ୟାଲେଞ୍ଜ ହେଉଛି, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଉ ଥରେ ବିହାରରୁ ରାଜ୍ୟସଭାକୁ ପଠାଇବା କଷ୍ଟସାଧ୍ୟ ହେବ। ପୂର୍ବଥର ଶ୍ରୀ ପ୍ରଧାନ ବିହାର ପ୍ରଭାରୀ ଥିଲେ। ଏଣୁ ତାଙ୍କୁ ସେଠାରୁ ରାଜ୍ୟସଭା ପଠାଇବା କେନ୍ଦ୍ରୀୟ ନେତୃତ୍ୱ ପାଇଁ ଅତ୍ୟନ୍ତ ସହଜ ଥିଲା। ବିହାରରୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ଜେଡିୟୁ-ବିଜେପି ମେଣ୍ଟ ଭିତରେ ରାଜ୍ୟସଭା ଗଣିତ ଏଠାରେ ବିଗିଡ଼ି ଯାଇଛି। ବର୍ତମାନର ବିଧାୟକଙ୍କ ସଂଖ୍ୟାକୁ ବିଚାରକୁ ନେଲେ, ଏଠାରେ ଜେଡିୟୁ ହାତରୁ ୨ଟି ଓ ବିଜେପି ହାତରୁ ଗୋଟିଏ ଆସନ ଖସିବ। ରାଷ୍ଟ୍ରୀୟ ଜନତା ଦଳ ପାଇଁ ୨ଟି ଆସନ ଦଖଲ ସୁଯୋଗ ସୃଷ୍ଟି ହୋଇଛି। ଏଭଳି ସ୍ଥଳେ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ଏଠାରୁ ପଠାଇବାକୁ ହେଲେ, ବିଜେପିକୁ ନୀତିଶଙ୍କ ସହଯୋଗ ନେବାକୁ ପଡ଼ିବ ଅନ୍ୟଥା ବଳକା ୨୭ କଂଗ୍ରେସ ବିଧାୟକଙ୍କ ଭିତରେ ବିଭାଜନର ମଞ୍ଜି ବୁଣି ଭୋଟ ଭାଙ୍ଗିବ। ଯାହା ବର୍ତ୍ତମାନ ପରିପ୍ରେକ୍ଷୀରେ ଅତ୍ୟନ୍ତ କଷ୍ଟସାଧ୍ୟ।

ବିଜେପିର କିଛି ବରିଷ୍ଠ ନେତାଙ୍କ କହିବା କଥା ହେଉଛି, ଏବେ ମନ୍ତ୍ରୀ ଶ୍ରୀ ପ୍ରଧାନ କେଉଁ ରାଜ୍ୟର ପ୍ରଭାରୀ ନ ଥିଲେ ହେଁ, ଉତ୍ତରାଖଣ୍ଡ ଇନଚାର୍ଜ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏଣୁ ତାଙ୍କୁ ସେଠାରୁ ପଠାଯିବା ବିଚିତ୍ର ନୁହେଁ। ଅନ୍ୟଥା ଧର୍ମେନ୍ଦ୍ରଙ୍କ ସମେତ ଉତ୍ତର ପ୍ରଦେଶ (ନିକଟରେ ନିର୍ବାଚନ ସରିଥିବାରୁ ଚାପ ନାହିଁ)ରୁ ଅଧିକାଂଶ ବରିଷ୍ଠ ନେତାଙ୍କୁ ରାଜ୍ୟସଭା ଆଣିବାର ସୁଯୋଗ ରହିିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜସ୍ଥାନ, ମଧ୍ୟପ୍ରଦେଶର ୮ଟି ଆସନ ଖାଲି ହେଉଥିଲେ ହେଁ, ଚଳିତବର୍ଷ ସେଠାରେ ନିର୍ବାଚନ ଅଛି। ଉଭୟ ସରକାରର ସ୍ଥିତି ପୂର୍ବଭଳି ସୁଦୃଢ଼ ନୁହେଁ। ଏଣୁ ସେଠାରେ ସ୍ଥାନୀୟ ଅସନ୍ତୋଷ ଓ ଥଇଥାନ ରାଜନୀତି ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କ ପାଇଁ ବାଟ ଖୋଲିନପାରେ। ମହାନଦୀ ବିବାଦ ପରିପ୍ରେକ୍ଷୀରେ ଛତିଶଗଡ଼ରୁ ଧର୍ମେନ୍ଦ୍ର ରାଜ୍ୟସଭାକୁ ଗଲେ, ରାଜ୍ୟରେ ଏକ ଭୁଲ ବାର୍ତା ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରୁ ଜଣେ ମାତ୍ର ବିଜେପି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ ହେଁ, ଧର୍ମେନ୍ଦ୍ର ପ୍ରଧାନଙ୍କ କାରଣରୁ ଦୁଇଟି ଦୁଇଟି ମନ୍ତ୍ରୀ ପଦ ରାଜ୍ୟକୁ ମିଳିଛି। ଶ୍ରୀ ପ୍ରଧାନଙ୍କ ଆଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦ ଉପରେ ଥିବା କାରଣରୁ ସେ କେନ୍ଦ୍ରମନ୍ତ୍ରୀ ହେବା ପରେ ବିହାରକୁ ସେତିକି ଗୁରୁତ୍ୱ ଦେଇନାହାନ୍ତି (ଯେଉଁଠାରୁ ସେ ନିର୍ବାଚିତ ହୋଇଥିଲେ), ତା ଠାରୁ ଅଧିକ ଓଡ଼ିଶା ପାଇଁ କରିଛନ୍ତି। ପେଟ୍ରୋଲିୟମ ବିଭାଗର ଅଧିକାଂଶ କାର୍ଯ୍ୟକ୍ରମକୁ ସେ ଓଡ଼ିଶାରୁ ଆରମ୍ଭ କରିବା ଲାଗି ଚେଷ୍ଟା କରିଛନ୍ତି।