ଧ୍ରୁବ ବାବୁଙ୍କ ପରଲୋକ

ଭୁବନେଶ୍ବର : ଧର୍ମ ପରାୟଣ ବ୍ୟକ୍ତି ତଥା ଆଧ୍ୟାତ୍ମବାଦୀ ଚିନ୍ତକ ଧ୍ରୁବଚରଣ ବିଶ୍ବାଳଙ୍କର ଗତକାଲି ସଂଧ୍ୟାରେ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ବର୍ଗତ ବିଶ୍ବାଳ ଗତ ସପ୍ତାହେ ହେଲା ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଅନୁଗୁଳ ଜିଲ୍ଲା କୁମିରିସିଙ୍ଗାରେ ଜନ୍ମିତ ସ୍ବର୍ଗତ ବିଶ୍ବାଳ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁରକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ। ସେଠାରେ ଜଳସେଚନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ବେଶ୍‌ ସୁନାମ ଥିଲା। ଅବସର ପରେ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକେ ତାଙ୍କୁ ମୁରବୀ ଭାବରେ ବିଶେଷ ସମ୍ମାନ କରୁଥିଲେ। ଗତକାଲି ତାଙ୍କ ପାର୍ଥିବ ଶରୀରକୁ ନରେନ୍ଦ୍ରପୁରସ୍ଥିତ ବାସଭବନକୁ ଅଣାଯାଇ ଶେଷଦର୍ଶନ ପାଇଁ ରଖାଯାଇଥିଲା। ଆଜି ଚିତ୍ରୋତ୍ପଳା ନଦୀ ତଟରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡ଼ପୁଅ ଇଂ. ପ୍ରଦୀପ୍ତ କୁମାର ବିଶ୍ବାଳ ମୁଖାଗ୍ନି ଦେଇଛନ୍ତି। ସ୍ବର୍ଗତ ବିଶ୍ବାଳଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର