ପାଳଲହଡ଼ା : ପାଳଲହଡ଼ା ବ୍ଲକ୍ ଚଷାଗୁରୁଜାଙ୍ଗ ପଞ୍ଚାୟତ ଧୁଡୁରିପାଲି ପ୍ରାଥମିକ ବିଦ୍ୟାଳୟର ଏବେ ବିଚିତ୍ର ଅବସ୍ଥା। ସ୍କୁଲ୍ରେ ନିୟମିତ ପାଠପଢ଼ା ଚାଲିଛି। ମାତ୍ର ବିଭାଗ ପକ୍ଷରୁ ଏହାକୁ କିଛି ଅନୁଦାନ ମିଳିଥିବାବେଳେ କିଛି ମିଳିନାହିଁ। ସ୍କୁଲ୍ ଘର ଭାଙ୍ଗିରୁଜି ଯାଇଥିଲେ ବି ମରାମତି କରାଯାଉ ନାହିଁ। ସତେ ଯେମିତି ତ୍ରିଶଙ୍କୁ ଅବସ୍ଥାରେ ଝୁଲି ରହିଛି ସ୍କୁଲ୍ର ଭାଗ୍ୟ।
ସୂଚନା ଅନୁଯାୟୀ, ଧୁଡ଼ୁରିପାଲି ପ୍ରାଥମିକ ବିଦ୍ୟାଳୟ ୧୯୫୮ ମସିହାରେ ସ୍ଥାପିତ। ଏବେ ସ୍କୁଲ୍ରେ ୧୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। କମ୍ ଛାତ୍ରଛାତ୍ରୀ ଥିବାରୁ ଏହି ସ୍କୁଲ୍କୁ ୨୦୨୦ ମାର୍ଚ୍ଚ ମାସରେ ନିକଟବର୍ତ୍ତୀ ଉଦୟପୁର ଉପ୍ରା ବିଦ୍ୟାଳୟ ସହ ମିଶାଇ ଦିଆଗଲା। ଏହାର ପ୍ରତିବାଦରେ ଧୁଡ଼ୁରିପାଲି ଗ୍ରାମବାସୀ ଧାରଣା ଦେଇଥିଲେ। ସେମାନେ ପିଲାମାନଙ୍କୁ ଉଦୟପୁର ସ୍କୁଲ୍କୁ ଛାଡ଼ିଲେ ନାହିଁ। ଧୁଡ଼ୁରିପାଲିରୁ ଉଦୟପୁର ପ୍ରାୟ ୨ କିଲୋମିଟର ଦୂର। ରାସ୍ତା ମଝିରେ ରେଙ୍ଗାଳି ପାଣି ପିଲାଙ୍କ ଲାଗି ବିପଦ ସାଜିଛି। ରାସ୍ତା ବିପଜ୍ଜନକ ହୋଇଥିବାରୁ ସେମାନେ ଉଦୟପୁର ସ୍କୁଲ୍କୁ ପିଲାଙ୍କୁ ଛାଡ଼ିବେ ନାହିଁ ବୋଲି ବିଇଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏଠାରେ କାର୍ଯ୍ୟରତ ଦୁଇ ଶିକ୍ଷକଙ୍କୁ ଉଦୟପୁର ସ୍କୁଲ୍କୁ ବଦଳି କରାଗଲା। ସେମାନେ ୬ ମାସ ସେଠାରେ ପଢ଼ାଇବା ପରେ ଧୁଡୁରିପାଲି ସ୍କୁଲ୍କୁ ଫେରିଲେ। ଧୁଡ଼ୁରିପାଲି ସ୍କୁଲ୍ରେ ନିୟମିତ ପାଠପଢ଼ା ଚାଲିଛି। ଏଠାରେ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଅଛନ୍ତି। କିନ୍ତୁ ବିଭାଗର ୱେବ୍ସାଇଟ୍ରେ ଧୁଡ଼ୁରିପାଲି ସ୍କୁଲ୍ ନାମ ନାହିଁ।
ଏହାର ଗୃହଗୁଡ଼ିକ ବିପଦସଂକୁଳ ହୋଇପଡ଼ିଥିଲେ ସୁଦ୍ଧା ମରାମତି କରାଯାଉ ନାହିଁ। ତେଣୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସୁଛନ୍ତି। ସ୍କୁଲ୍ ମଧ୍ୟାହ୍ନ ଭୋଜନ ପାଇଁ କେବଳ ଚାଉଳ ମିଳିଛି। ଡାଲି ଓ ତରକାରି ପାଇଁ ୭ମାସ ହେଲା ଅନୁଦାନ ମିଳିନାହିଁ ବୋଲି ସ୍କୁଲ୍ ପ୍ରଧାନ ଶିକ୍ଷକ ରମା କିଷାନ କହିଛନ୍ତି। ସେ ନିଜ ହାତରୁ ଟଙ୍କା ଖର୍ଚ୍ଚକରି ତରକାରି ବ୍ୟବସ୍ଥା କରୁଛନ୍ତି। ସ୍କୁଲ୍ ପିଲାଙ୍କୁ ପୋଷାକ ମିଳିଛି। କିନ୍ତୁ ପାଠ୍ୟପୁସ୍ତକ ମିଳିନାହିଁ। ସ୍କୁଲ୍ ସମସ୍ୟା ସଂପର୍କରେ ବାରମ୍ବାର ବିଇଓଙ୍କୁ ଜଣାଇଲେ ବି ଏହାର ସମାଧାନ କରାଯାଉ ନାହିଁ ବୋଲି ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି।