ବାଲେଶ୍ଵର: ଅର୍ଥ ଆତ୍ମସାତ ମାମଲାରେ ବାଲେଶ୍ବର ଜିଲ୍ଲା ଶିକ୍ଷା ବିଭାଗର ପୂର୍ବତନ ଡେପୁଟି ଇନ୍ସପେକ୍ଟର (ଡିଆଇ) ପଦ୍ମଲୋଚନ ଦାସ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। କୋର୍ଟ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ ମାସ ଜେଲଦଣ୍ଡ ଭୋଗିବେ ବୋଲି ବାଲେଶ୍ବର ଭିଜିଲାନ୍ସ ଅଦାଲତର ବିଚାରପତି ଶିଖାରାଣୀ ରଥ ରାୟରେ ଉଲ୍ଲେଖ କରିଛନ୍ତି। ପ୍ରକାଶଥାଉକି, ଶ୍ରୀ ଦାସ ଏହାମଧ୍ୟରେ ସରକାରୀ ଚାକିରିରୁ ଅବସର ନେଇ ସାରିଛନ୍ତି।

Advertisment

ସୂଚନା ମୁତାବକ, ଶ୍ରୀ ଦାସ ବସ୍ତା ବ୍ଳକ୍‌ରେ ଡିଆଇ ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ଶିକ୍ଷକଙ୍କ ଜିପିଏଫ୍‌ ଓ ଫେଷ୍ଟିଭାଲ ଆଡ୍‌ଭାନ୍ସ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଥିଲା। ଏହି ଆଧାରରେ ବାଲେଶ୍ଵର ଭିଜିଲାନ୍ସ ପକ୍ଷରୁ ୩୩/୦୭ରେ ଏକ ମାମଲା ରୁଜୁ ହୋଇ ଅଦାଲତରେ ବିଚାରାଧୀନ ଥିଲା। ଆଜି ଅପରାହ୍ଣରେ ବିଚାରପତି ଶିଖାରାଣୀ ରଥ ଅଭିଯୁକ୍ତ ଡିଆଇ ପଦ୍ମଲୋଚନ ଦାସଙ୍କୁ ଧାରା ୪୭୭ (କ), ୪୦୯, ୧୩ (୧) ଓ ୧୩ (୨)ରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ କିରାଣି ପ୍ରଦୀପ୍ତ ଆଚାର୍ଯ୍ୟଙ୍କୁ ଖଲାସ କରାଯାଇଛି। ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ତଥା ବରିଷ୍ଠ ଆଇନଜୀବୀ ରାଧାକାନ୍ତ ମହାପାତ୍ର ମାମଲା ପରିଚାଳନା କରୁଥିଲେ।