କଟକ: ମଧୁମେହ ରୋଗ ଏକ ନିରବ ମହାମାରୀ। ଏହା କେବଳ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରେ ନାହିଁ ବରଂ ପରିବାର, ଗୋଷ୍ଠୀ ଏବଂ ଅର୍ଥନୀତିକୁ ପ୍ରଭାବିତ କରିଥାଏ। ବର୍ତ୍ତମାନ ସମୟରେ ମଧୁମେହ ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହୋଇଛି। ନିରବ ଘାତକ ମଧୁମେହ ରୋଗର ମୁକାବିଲା ପାଇଁ ସାମୂହିକ ସଚେତନତା ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି। ରବିବାର ଏସ୍ସିବି ମେଡିକାଲ କଲେଜର ସେଣ୍ଟ୍ରାଲ୍ ଅଡିଟୋରିୟମ୍ରେ ରିସର୍ଚ୍ଚ ସୋସାଇଟି ଫର୍ ଦି ଷ୍ଟଡି ଅଫ୍ ଡାଇବେଟିସ୍ ଇନ୍ ଇଣ୍ଡିଆ (ଆର୍ଏସ୍ଏସ୍ଡିଆଇ) ଓଡ଼ିଶା ଚାପ୍ଟର୍ର ୧୩ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ବକ୍ତବ୍ୟ ରଖିଛନ୍ତି।
ରାଜ୍ୟପାଳ କହିଛନ୍ତି ଯେ, ସମାଜର ସବୁ ବର୍ଗର ଜନସାଧାରଣ ସୁସ୍ଥ ଜୀବନଶୈଳୀ ଆପଣାଇବା ସହିତ ସ୍ୱାସ୍ଥ୍ୟ ସଚେତନାର ସଂସ୍କୃତି ସୃଷ୍ଟି ପାଇଁ ସାମୂହିକ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏହି ରୋଗର ଜଟିଳତା ହୃଦ୍ରୋଗ, ବୃକକ୍ ବିଫଳତାରୁ ଆରମ୍ଭ କରି ଦୃଷ୍ଟିଶକ୍ତି ହ୍ରାସ ଏବଂ ନ୍ୟୁରୋପାଥି ଇତ୍ୟାଦି ସମସ୍ୟା ସୃଷ୍ଟିର କାରଣ ହୋଇଥାଏ। କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ୍ ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ନୂତନ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ଅଗ୍ରଗତି କରିଥିଲେ ସୁଦ୍ଧା ନିବାରଣ ହିଁ ସବୁଠାରୁ ପ୍ରଭାଶାଳୀ ରଣନୀତି ହୋଇଛି। ସନ୍ତୁଳିତ ପୁଷ୍ଟିସାର, ନିୟମିତ ବ୍ୟାୟାମ, ମାନସିକ ଚାପ ପରିଚାଳନା ଏବଂ ସମୟ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା ବିପଦକୁ ଯଥେଷ୍ଟ ହ୍ରାସ କରିପାରିବ। ଏ ଦିଗରେ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ, କର୍ମକ୍ଷେତ୍ର, ନାଗରିକ ସମାଜ ଏବଂ ଗଣମାଧ୍ୟମ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ।
ଆର୍ଏସ୍ଏସ୍ଡିଆଇ ଓଡ଼ିଶା ଚାପ୍ଟର୍ର ବାର୍ଷିକ ସମ୍ମିଳନୀ
ଜୀବନବ୍ୟାପୀ କୃତିତ୍ୱ ପାଇଁ ଡାକ୍ତର ସିଦ୍ଧାର୍ଥ ଦାଶ ସମ୍ବର୍ଦ୍ଧିତ
ସମାରୋହରେ ଆପୋଲୋ ହସ୍ପିଟାଲ୍, ହାଇଦ୍ରାବାଦ୍ର ବରିଷ୍ଠ ପରାମର୍ଶଦାତା ଡାକ୍ତର ସିଏଚ୍ ବସନ୍ତ କୁମାର, ଆର୍ଏସ୍ଏସ୍ଡିଆଇ ଓଡ଼ିଶାର ପୃଷ୍ଠପୋଷକ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାଶ, ଆର୍ଏସ୍ଏସ୍ଡିଆଇ ଓଡ଼ିଶାର ଚେୟାରମ୍ୟାନ୍ ଡାକ୍ତର ରମେଶ କୁମାର ଗୋଏଙ୍କା ଓ ସମ୍ପାଦକ ଡାକ୍ତର ସୁରେଶ କୁମାର ବଂଶଲ୍ ବକ୍ତବ୍ୟ ରଖିଥିଲେ। ସମାରୋହ ଆରମ୍ଭରେ ଅନୁଷ୍ଠାନର ସାଙ୍ଗଠନିକ ଚେୟାରମ୍ୟାନ୍ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଙ୍ଗଠନିକ ସମ୍ପାଦକ ଡାକ୍ତର ଦେବାର୍ଚ୍ଚନ ଜେନା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଜୀବନବ୍ୟାପୀ କୃତିତ୍ୱ ପାଇଁ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆର୍ଏସ୍ଏସ୍ଡିଆଇ ରୁରାଲ୍ ଆଉଟ୍ରିଚ୍ ପ୍ରୋଗ୍ରାମ୍ର ଶୁଭାରମ୍ଭ କରାଯିବା ସହିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଭାପତି(ନିର୍ବାଚିତ) ଡାକ୍ତର ସଂଜୟ ଦାସ, ସାଂଗଠନିକ କୋଷାଧ୍ୟକ୍ଷ ସନ୍ଦୀପ ଦେବାଶିଷ ମିଶ୍ର, କମିଟି ସଦସ୍ୟ ପ୍ରଫେସର ଡାକ୍ତର ଜୟଶ୍ରୀ ସ୍ବାଇଁ ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା କରିଥିଲେ।