ମଧୁମେହ ରୋଗୀଙ୍କୁ କରୋନା ହେଲେ ନିମୋନିଆ ଆଶଙ୍କା ବେଶି: ଡା.ସୁନୀଲ କୋଟା

ରୋଗ ପ୍ରତିରୋଧ ଶକ୍ତି କମ୍‌ ଥାଏ, ସୁସ୍ଥ ହେବାର୨ ମାସ ଯାଏ ସତର୍କ ଜରୁରୀ

ବ୍ରହ୍ମପୁର : କରୋନାରେ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ମଧୁମେହ ଓ ଉଚ୍ଚ ରକ୍ତଚାପ ପୀଡ଼ିତ ବୋଲି ସରକାରୀ ତଥ୍ୟ କହୁଛି। ତେବେ ମଧୁମେହ ଓ ରକ୍ତଚାପ ଥିବା ରୋଗୀ କରୋନା ସ˚କ୍ରମିତ ହେଲେ କ’ଣ ହୁଏ ଏବ˚ ତାହାର ପ୍ରତିକାର ପାଇଁ କି ପଦକ୍ଷେପ ନିଆଯିବା ଦରକାର, ସେ ସମ୍ପର୍କରେ ମତ ରଖିଛନ୍ତି ବିଶିଷ୍ଟ ଏଣ୍ତୋକ୍ରାଏନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା।

ସେ କହନ୍ତି, ଅନିୟନ୍ତ୍ରିତ ରକ୍ତ ଶର୍କର(ମଧୁମେହ) ଓ ରକ୍ତଚାପ (ବ୍ଲଡ୍‌ ପ୍ରେସର) ଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧ ଶକ୍ତି କମ୍‌ ଥାଏ। ତେଣୁ ଏଭଳି ବ୍ୟକ୍ତି କରୋନା ସ˚କ୍ରମିତ ହେଲେ ମୃତ୍ୟୁ ଆଶଙ୍କା ଦ୍ବିଗୁଣିତ ହୋଇଥାଏ। ମଧୁମେହ ରୋଗୀ କରୋନା ସ˚କ୍ରମିତ ହେଲେ ଶ୍ବାସ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼େ ଓ ଫୁସ୍‌ଫୁସ୍‌ ପ୍ରଭାବିତ ହୋଇ ନିମୋନିଆରେ ପୀଡ଼ିତ ହେବା ସମ୍ଭାବନା ଅଧିକ। ସାଧାରଣ ସର୍ତକତା ସହିତ ରକ୍ତଚାପ ଓ ରକ୍ତ ଶର୍କରା ନିୟନ୍ତ୍ରଣରେ ରଖିବାକୁ ହେଲେ ତେଲ, ଲୁଣ ଓ ଶ୍ବେତସାର ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଦରକାର। ପୁଷ୍ଟିସାର ଖାଦ୍ୟ ଖାଇବା ସହିତ ପାଣି ଅଧିକ ପିଇବା ଜରୁରୀ। ନିୟମିତ ବ୍ୟାୟାମ ସହ ସିଠିକ ମାତ୍ରାରେ ଶୋଇବା ଦରକାର। ଧୂମ୍ରପାନ ଓ ମଦ୍ୟପାନରୁ ବିରତ ରହିବା ଗୁରୁତ୍ବପୂର୍ଣ। ଭିଟାମିନ୍‌ ସି, ଭିଟାମିନ ଡି ଏବ˚ ଜିଙ୍କ୍‌ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ସାଙ୍ଗକୁ କରୋନା ସ˚କ୍ରମଣ ଅଶଙ୍କା କମାଇଥାଏ। ରକ୍ତଚାପ ଓ ରକ୍ତ ଶର୍କରା ନିୟମିତ ଯାଞ୍ଚ କରି ଡାକ୍ତରଙ୍କ ପରମର୍ଶ ନେବା ଦରକାର।

ଡା.କୋଟାଙ୍କ ମତ ହେଲା, କରୋନା ଭୂତାଣୁ ସ˚କ୍ରମିତ ହେଲେ ଇନସ୍ୟୁଲିନ୍‌ ମାତ୍ରା କମିଯାଏ। ଫଳରେ ରକ୍ତ ଶର୍କରା ବୃଦ୍ଧି ଘଟିଥାଏ। ମାନସିକ ସ୍ତରରେ ବିବ୍ରତ ସହ ରକ୍ତଚାପ ମଧ୍ୟ ବଢ଼ିଥାଏ। ତେଣୁ ମଧୁମେହ ରୋଗୀ କରୋନା ଆକ୍ରାନ୍ତ ହେଲେ କେତୋଟି କ୍ଷେତ୍ରରେ ସେମାନଙ୍କୁ ଇନୁସ୍ୟୁଲିନ ନେବା ଆବଶ୍ୟକ ହୋଇଥାଏ। ଏଥିସହ ରକ୍ତ ଶର୍କରା, ରକ୍ତଚାପ ଓ ୟୁରନ୍ କି’ ଟୋନ୍‌, ଶରୀରର ତପାମାତ୍ର ନିୟମିତ ଭାବେ ଯାଞ୍ଚ କରିବା ଦରକାର। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା, କରୋନାରୁ ମୁକ୍ତ ହେବା ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନାକୁ ପ୍ରତିହତ କଲାଭଳି ଆଣ୍ଟିବଡ଼ି ୬୦ରୁ ୭୫ ଦିନ ମାତ୍ର ରହିଥାଏ। ଏହାପରେ ସେହି ଲୋକ କରୋନା ପୁନଃ ସ˚କ୍ରମଣର ଅଶଙ୍କା ରହିଥାଏ। ସାମ୍ପ୍ରତିକ ଚିକିତ୍ସା ବିଜ୍ଞାନସମ୍ମତ ତଥ୍ୟ ଅନୁଯାୟୀ, ପୁନଃସ˚କ୍ରମଣ ହେଲେ କରୋନା ଭୂତାଣୁ ଜନିତ ଜଟିଳତା ବଢ଼ିବା ସମ୍ଭାବନା ରହୁଛି। ତେଣୁ କରୋନାରୁ ସୁସ୍ଥ ବ୍ୟକ୍ତି ଅଧିକ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ଅଧ୍ୟୟନରେ କୁହାଯାଇଛି, କରୋନା ମୁକ୍ତ ହେବାର ୨ରୁ ୩ ମାସ ପର୍ଯ୍ୟନ୍ତ ୫୫ରୁ ୬୫ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଦୁର୍ବଳତା ଓ ଧଇଁ ସଇଁ ହେବା ଲକ୍ଷଣ ଦେଖାଯାଏ। ଦୀର୍ଘଦିନ ଧରି ଏଭଳି ଜଟିଳତା ଲାଗି ରହିଲେ ଫୁସ୍‌ପୁସ୍‌, କିଡ୍‌ନି, ହାର୍ଟ ଓ ଲିଭର୍‌ ଆଦି ପ୍ରଭାବିତ ହେବା ଆଶଙ୍କା ରହିଥାଏ। ବେଶିଦିନ ଧରି ଦୁର୍ବଳତା ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ଡାକ୍ତର ଶ୍ରୀ କୋଟା କହିଛନ୍ତି।

ସମ୍ବନ୍ଧିତ ଖବର