ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ ଆୟୁଷ ଡାକ୍ତରଖାନାରେ ଡାଏଗ୍ନୋଷ୍ଟିକ୍ ପରୀକ୍ଷା ସହ ୟୁଜର୍ସ ଫି’କୁ ମାଗଣା କରିବା ଲାଗି ନିଷ୍ପତ୍ତି ହେଲା। ଏଥିପାଇଁ ଗତବର୍ଷ ନଭେମ୍ବର ୧୨ରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟରେ ବିଭିନ୍ନ ଆୟୁଷ କଲେଜର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ଏସ୍ଓପି ପ୍ରସ୍ତୁତ କରାଗଲା। ଏହାଭିତରେ ୮ମାସ ବିତି ଗଲାଣି। ଆୟୁଷ ଡାକ୍ତରଖାନାରେ ‘ନିଦାନ’ ଲାଗୁ ହେବା କେବଳ ନିଷ୍ପତ୍ତିରେ ରହିଯାଇଛି। ଏହାସହ ରୋଗୀମାନେ ୟୁଜର୍ସ ଫି’ ଦେଇ ଚାଲିଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟରେ ଆୟୁଷ ଚିକିତ୍ସା କିଭଳି ଲୋକପ୍ରିୟ ହେବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି।
ଆୟୁଷ ଡାକ୍ତରଖାନାରେ ସମୁଦାୟ ୪୨ ପ୍ରକାରର ଡାଏଗ୍ନୋଷ୍ଟିକ୍ ପରୀକ୍ଷା କରିବା ଲାଗି ଏସ୍ଓପିରେ ନିଷ୍ପତ୍ତି ହୋଇଥିଲା। ତହିଁରୁ ୨୨ ପ୍ରକାରର ପରୀକ୍ଷା ଆୟୁଷ ହସ୍ପିଟାଲରେ ଲାବୋରେଟୋରି ଟେକ୍ନିସିଆନ୍(ଏଲ୍ଟି)ଙ୍କୁ ନିଯୁକ୍ତି ଦିଆଯାଇ ସେବା ଯୋଗାଇ ଦିଆଯିବ। ଏକ୍ସ-ରେ, ଅଲଟ୍ରାସାଉଣ୍ଡକୁ ମିଶାଇ ୨୦ ପ୍ରକାରର ସେବା ଆଉଟ୍ସୋର୍ସିଂ ଏଜେନ୍ସି ଜରିଆରେ ମିଳିବ। ଏଜେନ୍ସି ଡାକ୍ତରଖାନାରୁ ନମୁନା ସଂଗ୍ରହ କରିବା ସହ ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ସେବା ଯୋଗାଇଦେବ। ରୋଗୀମାନେ ଯେପରି ଗୁଣାତ୍ମକ, ଉପଯୁକ୍ତ ସମୟରେ ସେବା ପାଇବେ ତାହାକୁ ପ୍ରାଥମିକତା ଦିଆଯିବ। ମାତ୍ର କୌଣସି ରୋଗୀ ଆୟୁଷ ସେବା ବାହାରେ କୌଣସି ପ୍ରକାର ପରୀକ୍ଷା କରିଥିଲେ, ରୋଗୀଙ୍କୁ ଟଙ୍କା ଫେରସ୍ତ ଭଳି କୌଣସି ସୁବିଧା ଦିଆଯିବ ନାହିଁ ବୋଲି ଏସ୍ଓପିରେ କୁହାଯାଇଛି।
ସେହିପରି ଆୟୁଷ ଡାକ୍ତରଖାନା ବିଶେଷ କରି ଆୟୁର୍ବେଦିକ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ୟୁଜର୍ସ ଫି’ ବାବଦରେ ୫ଶହରୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି। ସରକାରୀ ଏଲୋପ୍ୟାଥିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଅସ୍ତ୍ରୋପଚାର ମାଗଣା ଥିବା ବେଳେ ଆୟୁର୍ବେଦ ପାଇଁ ରୋଗୀ ୟୁଜର୍ସ ଫି’ ଦେଉଛନ୍ତି। ଆଣ୍ଠୁ ଗଣ୍ଠି ସମସ୍ୟା ସହ ବାତ ଓ ଅନ୍ୟାନ୍ୟ ରୋଗ ପାଇଁ ରୋଗୀମାନେ ନିଜର ପରୀକ୍ଷା ପାଇଁ ଘରୋଇ ଡାଏଗ୍ନୋଷ୍ଟିକ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ରାଜ୍ୟରେ ଆୟୁଷ ଚିକିତ୍ସାକୁ ଲୋକପ୍ରିୟ କରିବା ଲାଗି ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲିବା ପାଇଁ ସରକାର ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଭିନ୍ନ ସଭାରେ ଏ କଥା ଦୋହରାଉଛନ୍ତି। ଏପରିକି ରାଜ୍ୟରେ ଆଉ ୩ଟି ସମନ୍ବିତ ଆୟୁଷ ଡାକ୍ତରଖାନା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ମାତ୍ର ଆୟୁଷ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ପାଇଁ ଅତ୍ୟନ୍ତ ଜରୁରି ଥିବା ‘ନିଦାନ’ ବ୍ୟବସ୍ଥା ଲାଗୁ ହୋଇପାରୁନାହିଁ। ‘ନିଦାନ’ ଲାଗୁ ନ ହୋଇପାରିବା ସଂପର୍କରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟର ଅତିରିକ୍ତ ସଚିବ କୈଳାସ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ ଏ ସଂପର୍କରେ ବୁଝିବା ପରେ ସୂଚନା ଦେବି।