ଭୁବନେଶ୍ବର : ଠିକଣା ସମୟରେ ପରୀକ୍ଷା ଏବଂ ଭାରତୀୟ ଜ୍ଞାନକୌଶଳରେ ବିକଶିତ ନିର୍ଦ୍ଧାରିତ ଔଷଧ ସେବନ ଦ୍ବାରା ୨୦୩୦ ସୁଦ୍ଧା ଭାରତ ସମେତ ଏସୀୟ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଗୁଡ଼ିକରେ ମ୍ୟାଲେରିଆ ନିରାକରଣ ଲକ୍ଷ୍ୟ ହାସଲ ହୋଇପାରିବ। ରାଜ୍ୟର ଦୁଇଜଣ ଅଭିଜ୍ଞ ଚିକିତ୍ସା ବିଜ୍ଞାନୀ ଡାକ୍ତର ୱାଇ.କେ ଗୁପ୍ତା ଓ ପ୍ରଫେସର୍ ଏ.ପି ଦାଶ ଏପରି ଯୁକ୍ତି ବାଢ଼ିଛନ୍ତି। ସେମାନଙ୍କ ମତରେ, ଜାତୀୟ ଭୂତାଣୁବାହୀ ରୋଗ ନିୟନ୍ତ୍ରଣ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ୨୦୧୦ ପରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ୮୮% ହ୍ରାସ ପାଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦ ଓ ସନ୍ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି ଲିମିଟେଡ୍ର ମିଳିତ ସହଯୋଗରେ ମଧ୍ୟପ୍ରଦେଶର ଆଦିବାସୀ ଅଧ୍ୟୁଷିତ ମାଣ୍ଡଲା ଜିଲ୍ଲାରେ ଚାଲିଥିବା ମ୍ୟାଲେରିଆ ନିରାକରଣର ସଫଳତା ଏହାର ଜ୍ବଳନ୍ତ ଉଦାହରଣ।
ସୂଚନାଯୋଗ୍ୟ, ୨୦୧୯ ସୁଦ୍ଧା ଏସୀୟ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଗୁଡ଼ିକରେ ମ୍ୟାଲେରିଆ ଭୟାବହତା ୬୪% ହ୍ରାସ ପାଇଥିବା ବେଳେ ମୃତକଙ୍କ ସଂଖ୍ୟା ହାରାହାରି ୮୮% କମିଥିଲା। ମାତ୍ର ପରବର୍ତ୍ତୀ ଦୁଇ ବର୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୧୦% ଓ ୨.୫% ହ୍ରାସ ପାଇଥିଲା। ଇତିମଧ୍ୟରେ ଶ୍ରୀଲଙ୍କା, ଚୀନ୍ ଓ ମାଳଦ୍ବୀପ ଭଳି ଦେଶଗୁଡ଼ିକ ମ୍ୟାଲେରିଆ ସଂକ୍ରମଣ ଆହ୍ବାନର ସଫଳ ମୁକାବିଲା କରିଛନ୍ତି। ଭୂଟାନ୍, ନେପାଳ, ଦକ୍ଷିଣ ଓ ଉତ୍ତର-କୋରିଆ ସମେତ ମାଲେସିଆ ଓ ଥାଇଲ୍ୟାଣ୍ଡ ଭଳି ଦେଶଗୁଡ଼ିକରେ ବି ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଲକ୍ଷ୍ୟ କରାଯାଇଛି।
ପ୍ଲାଜ୍ମୋଡିୟମ୍ ଭିଭାକ୍ସ ପରଜୀବୀ ସଂକ୍ରମଣରେ ହେଉଥିବା ମ୍ୟାଲେରିଆ ବିପଜ୍ଜନକ ହୋଇ ନଥିଲେ ହେଁ ପ୍ଲାଜ୍ମୋଡିୟମ୍ ଫାଲ୍ସିପରମ୍ ପରଜୀବୀ ସଂକ୍ରମଣ ନିହାତି ପ୍ରାଣନାଶକାରୀ ଏବଂ ଏହାର ପ୍ରବଣତା ଏସୀୟ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରରେ ପ୍ରାୟ ୪୮%; ଯାହା ବିଶ୍ୱରେ ସର୍ବାଧିକ। ଏହି ପରଜୀବୀ ଦ୍ୱାରା ହେଉଥିବା ମୋଟ ସଂକ୍ରମଣର ୯୫% ଭାରତ, ଇଣ୍ଡୋନେସିଆ, ପାକିସ୍ତାନ, ଆଫଗାନିସ୍ତାନ, ପାପୁଆ ନ୍ୟୁଗିନି ଓ ସୋଲୋମନ୍ ଦ୍ୱୀପ ଭଳି ୬ଟି ଦେଶରେ ଏବେ ବି ଦେଖାଯାଏ। ଏହି ପରଜୀବୀର ଚିହ୍ନଟ କଷ୍ଟସାଧ୍ୟ ଏବଂ ସମୟୋପଯୋଗୀ ଚିକିତ୍ସା ବିନା ଏଭଳି ସଂକ୍ରମଣ ପ୍ରାଣନାଶକ ହୋଇଥାଏ।