ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ପାଇଁ ପାଶ୍ଚାତ୍ୟ ଦେଶ ଦାୟୀ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ପ୍ରକୃତି ନିୟମକୁ ଉଲ୍ଲଂଘନ କଲେ ତାହା ପ୍ରଳୟଙ୍କରୀ ହୋଇଉଠେ। ମାତ୍ର ଏକବିଂଶ ଶତାବ୍ଦୀର ମାଣିଷ ପ୍ରକୃତି ସହିତ ଭୟଙ୍କର ଖେଳ ଖେଳୁଛି। ଯାହାର ପରିଣାମ ସ୍ୱରୂପ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ଓ ମିଳିତ ଜାତିସଂଘ ପରିବେଶ ସଂଗଠନ (ୟୁଏନ୍ଇପି) ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ବାୟୁମଣ୍ଡଳରେ କ୍ରମଶଃ ବୃଦ୍ଧି ପାଉଥିବା ତାପମାତ୍ରା ଯଦି ଏପରି ବଢ଼ିଚାଲେ ତେବେ ୨୧୦୦ ସୁଦ୍ଧା ମୁମ୍ବାଇ ସହର ସମ୍ପୂର୍ଣ୍ଣ ଭାବରେ ସମୁଦ୍ର ଗର୍ଭରେ ଲୀନ ହୋଇଯିବ। ସେହିପରି ବିଶ୍ୱର ଅଧିକାଂଶ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ କେନ୍ଦ୍ରୀୟ ଲଣ୍ଡନ, ମିଆମି, ବ୍ୟାଙ୍କକ୍, ସାଂଘାଇ ଆଦି ସହର ମଧ୍ୟ ବୁଡ଼ିଯିବାର ଆଶଙ୍କା ରହିଥିବା ବରିଷ୍ଠ ଆଇନଜୀବୀ ତଥା ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ର ସଭାପତି ଆର୍. ଏସ୍. ସୁରୀ ପ୍ରକାଶ କରିଛନ୍ତି।
ଶନିବାର ଓଡ଼ିଶା ସିଭିଲ୍ ଲିବର୍ଟି ଫୋରମ (ଓସିଏଲ୍ଏଫ୍) ଏବଂ ଇଣ୍ଡିଆନ୍ ନେଟ୍ୱାର୍କ ଅନ୍ ଏଥିକ୍ସ ଆଣ୍ଡ କ୍ଲାଇମେଟ୍ ଚେଞ୍ଜ (ଆଇଏନ୍ଇସିସି)ର ମିଳିତ ସହଯୋଗରେ ‘ଜଳବାୟୁ ପାଇଁ ନ୍ୟାୟର ବାର୍ତା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ଶ୍ରୀ ସୁରୀ କହିଛନ୍ତି ପୃଥିବୀରୁ ଡାଇନାସୋର୍ ଭଳି ବିଶାଳକାୟ ଜୀବ ଲୋପ ପାଇଯିବା ମାନବସଭ୍ୟତା ପାଇଁ ଏକ ବିପଦର ସଙ୍କେତ ଥିଲା। ବର୍ତ୍ତମାନ ବିଶ୍ୱ ଯେପରି ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ପରମାଣୁ ଯୁଦ୍ଧକୁ ଟାଳି ଦିଆଯାଇ ନ ପାରେ। ପରମାଣୁ ଯୁଦ୍ଧ ହେଲେ ମାନବସଭ୍ୟତା ସମ୍ପୂର୍ଣ୍ଣ ଲୋପ ପାଇଯିବ। ଆଗାମୀ ଦିନରେ ମେରୁ ଅଞ୍ଚଳରେ ବରଫ ତରଳିବା ଫଳରେ ସମୁଦ୍ର ପତ୍ତନ ପ୍ରାୟ ୮୦ ମିଟର ଉଚ୍ଚକୁ ବୃଦ୍ଧି ପାଇବ। ଫଳରେ ବିଶ୍ୱର ଉପକୂଳବର୍ତ୍ତୀ ସ୍ଥଳଭାଗ ସମ୍ପୂର୍ଣ୍ଣ ବୁଡ଼ିଯିବ। ପରିବେଶ ପ୍ରଦୂଷଣ ଫଳରେ କୃଷିକ୍ଷେତ୍ର ସହିତ ଶିଳ୍ପ ମଧ୍ୟ ଗଭୀର ପ୍ରଭାବିତ ହେବା ନେଇ ଶ୍ରୀ ସୁରୀ ଚେତାଇ ଦେଇଥିଲେ।
ବରିଷ୍ଠ ଆଇନଜୀବୀ ତଥା ଭାରତର ଏଲ୍ଡି. ଅତିରିକ୍ତ ସଲିସିଟର ଆତ୍ମାରାମ ଏନ୍ଏସ୍ ନାଦ୍କର୍ଣ୍ଣି କହିଲେ, ବାୟୁ ପ୍ରଦୂଷଣ ଓ ଜୈବ ବିବିଧତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେଲେ ମନୁଷ୍ୟକୁ ବିଭିନ୍ନ କ୍ଷେତ୍ରରେ ସଜାଗ ହେବାକୁ ପଡ଼ିବ। ବୋଲି କହିଥିଲେ। ତେଣୁ ଏ ନେଇ ବୈଜ୍ଞାନିକ ଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସଭିଏଁ ସଜାଗ ହେବା ଜରୁରୀ। ଓସିଏଲ୍ଏଫ୍ର ଅଧ୍ୟକ୍ଷ ମେରୁସାଗର ସାମନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ନାଫିସା ଡି’ସୁଜା, ଅକ୍ଷୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ବରିଷ୍ଠ ଆଇନଜୀବୀ ତଥା ଭାରତର ଆଟର୍ଣ୍ଣି ଜେନେରାଲ କେ. କେ. ଭେନୁଗୋପାଳ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନରେ ଉଦ୍ବେଗ ପ୍ରକାଶ କରିବା ସହିତ ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ନିଜର ସନ୍ଦେଶ ପଠାଇଥିଲେ। ପରିବେଶ ପାଇଁ ବିଶେଷ ଆଇନ ପ୍ରଣୟନ ଓ ରୂପାୟନ ପ୍ରକ୍ରିୟାକୁ ମଜଭୁତ ତଥା ସୁବ୍ୟବସ୍ଥିତ କରିବା ଓ ସମାଜର ସମସ୍ତ ଅଂଶୀଦାରଙ୍କ ସହିତ ବିଚାର ବିମର୍ଶ ପୂର୍ବକ ପ୍ରକୃତିକୁ ରକ୍ଷା କରିବା ଉପରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା।