୧୪ରେ ନରସିଂହପୁର ଉଦ୍‌ଘାଟିତ ହେବ ଡାଏଲିସିସ୍ କେନ୍ଦ୍ର

ରାଜ୍ୟର ଗ୍ରାମାଞ୍ଚଳରେ ପ୍ରଥମ

ଭୁବନେଶ୍ବର : ରାଜ୍ୟର ଗ୍ରାମାଞ୍ଚଳରେ ପ୍ରଥମ ଡାଏଲିସିସ୍ କେନ୍ଦ୍ର ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ନରସିଂହପୁର ଡାକ୍ତରଖାନାରେ ଉଦ୍‌ଘାଟିତ ହେବ। ଆସନ୍ତା ୧୪ତାରିଖ ବିଶ୍ବ ମଧୁମେହ ଦିବସ ଅବସରରେ ଏହା ଲୋକାର୍ପିତ ହେବ। ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏହାସହିତ ମାଣିଆବନ୍ଧ, ବଡ଼ମ୍ବା, ଜୋଡ଼ୁମ୍(ଜିଲିଣ୍ଡା), କାନପୁର ଓ ନରସିଂହପୁର ଡାକ୍ତରଖାନାରେ ଭତ୍ତିଭୂମିର ଉନ୍ନତିକରଣ ପାଇଁ ଶିଳାନ୍ୟାସ ହେବ। ବଡ଼ମ୍ବା ଓ ମାଣିଆବନ୍ଧରେ ମଧୁମେହ ଓ ବୃକକ୍‌‌ରେ ଆକ୍ରାନ୍ତଙ୍କ ପାଇଁ ରକ୍ତ ନିରୂପଣ ଯନ୍ତ୍ର ମଧ୍ୟ ପ୍ରଦାନ କରାଯିବ। ନୋଭାଟିଜ୍ ଓ କଟକ ବଡ଼ ଡାକ୍ତରଖାନା ନେଫ୍ରୋଲୋଜି ବିଭାଗ ସହାୟତାରେ ଓ ଜିଲ୍ଲା ଚିକିତ୍ସାଧିକାରୀଙ୍କ ଆନୁକୂଲ୍ୟରେ ଏକ ଶିବିର ଅନୁଷ୍ଠିତ ହେବ। ଏଥିରେ ମଧୁମେହ, ରକ୍ତଚାପ, ଷ୍ଟ୍ରୋକ୍, ଚକ୍ଷୁ ତଥା ହୃଦୟର ପରୀକ୍ଷା ନିରୀକ୍ଷା ସମେତ ପରାମର୍ଶ ପାଇଁ ବିଶେଷଜ୍ଞ ଓ ଟେକ୍‌ନିସିଆନ୍ ଉପସ୍ଥିତ ରହିବେ। ରାଜ୍ୟରେ ନେଫ୍ରୋଲୋଜି ଡାକ୍ତର ଓ ଟେକ୍‌ନିସିଆନଙ୍କ ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ପିପିପି ମୋଡ୍‌ରେ ଡାଏଲିସିସ୍ କେନ୍ଦ୍ର ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରାମାଞ୍ଚଳର ଡାଏଲିସିସ୍ କେନ୍ଦ୍ର ଓ ଜିଲ୍ଲା ହସ୍ପିଟାଲ ଡାଏଲିସିସ୍ କେନ୍ଦ୍ର ଏହି ବ୍ୟବସ୍ଥାରେ ଚାଲିବ।

ଉଲ୍ଲେଖ ଯେ, କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନମଣ୍ଡଳୀର ୮୦ରୁ ଅଧିକ ଗ୍ରାମରେ ୭ଶହରୁ ଅଧିକ ରୋଗୀ କିଡ୍‌ନି ରୋଗରେ ପୀଡ଼ିତ। ବଡ଼ମ୍ବାରେ ୨୦ରୁ ଅଧିକ ଗାଁରେ ୨ଶହରୁ ଅଧିକ ରୋଗୀ ଅଛନ୍ତି। ପୂର୍ବରୁ ରାଜ୍ୟରେ କେବଳ ମେଡିକାଲ କଲେଜଗୁଡ଼ିକରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେଉଥିଲା। ରାଜ୍ୟ ସରକାର ଏବେ ଜିଲ୍ଲା ଡାକ୍ତରଖାନାରେ ଏହି ସୁବିଧା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ‌କ୍ଷେତ୍ରରେ ନରସିଂହପୁର ଡାକ୍ତରଖାନା ହେଉଛି ପ୍ରଥମ। ଏଠାରେ ବଡ଼ମ୍ବା ସମେତ ନରସିଂହପୁର ଓ ଏହାର ନିକଟସ୍ଥ ଗ୍ରାମାଞ୍ଚଳର ଲୋକମାନେ ମାଗଣାରେ ଡାଏଲିସିସ୍ ସୁବିଧା ପାଇପାରିବେ।

ସମ୍ବନ୍ଧିତ ଖବର