କଟକ: ଆଜିଠାରୁ କଟକ ବଡ଼ଡାକ୍ତରଖାନା ସ୍ବତନ୍ତ୍ର କରୋନା ଆଇସୋଲେସନ୍ ୱାର୍ଡରେ ଆରମ୍ଭ ହୋଇଛି ଡାଏଲିସିସ୍ ସୁବିଧା। ୩ଟି ମେସିନ୍ରେ ପ୍ରତିଦିନ ୯ଜଣ ଓ ସପ୍ତାହକୁ ୨୭ଜଣ କିଡ୍ନିରୋଗୀଙ୍କ ଡାଏଲିସିସ୍ କରାଯାଇପାରିବ। ଏଥିପାଇଁ ୩ଟି ଆର୍ଓ ପ୍ଲାଣ୍ଟ ମେସିନ୍ ବସାଯାଇଛି। ଅନ୍ୟପଟେ ଆଜି ପୁଣି ଆଣ୍ଟିଜେନ୍ ପରୀକ୍ଷାରେ ନେଫ୍ରୋଲୋଜି ବିଭାଗ ଓପିଡିରୁ ୨ଜଣ କିଡ୍ନି ରୋଗୀ ଓ ଜଣେ ରୋଗୀ ସହାୟକ କରୋନା ଚିହ୍ନଟ ହୋଇଛନ୍ତି। ଡାଏଲିସିସ୍ ପାଇଁ କରୋନା ସଂକ୍ରମିତ କିଡ୍ନି ରୋଗୀ ହନ୍ତସନ୍ତ ହେଉଥିଲେ। ଯାହାକୁ ନେଇ ବାରମ୍ବାର ଅଭିଯୋଗ ପରେ ଏସ୍ସିବି ନେଫ୍ରୋଲୋଜି ବିଭାଗରେ ଯେଉଁଠି ଅନ୍ୟ କିଡ୍ନିରୋଗୀଙ୍କ ଡାଏଲିସିସ୍ କରାଯାଉଛି ସେଠାରେ ସେମାନଙ୍କ ଡାଏଲିସିସ୍ କରାଯାଉଥିଲା।
କିନ୍ତୁ ସଂକ୍ରମଣ ଆଶଙ୍କା ଓ ଏହାର ସ୍ଥାୟୀ ସମାଧାନ ପାଇଁ କଟକ ବଡ଼ ଡାକ୍ତରଖାନାର ସ୍ବତନ୍ତ୍ର କରୋନା ଆଇସୋଲେସନ୍ ୱାର୍ଡରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଡାଏଲିସିସ୍ ସୁବିଧା। ବର୍ତ୍ତମାନ ସୁଦ୍ଧା ଏସ୍ସିବି ନେଫ୍ରୋଲୋଜି ବିଭାଗରେ ୭୮ଜଣ କରୋନା ସଂକ୍ରମିତଙ୍କ ଡାଏଲିସିସ୍ ହୋଇଛି। ନେଫ୍ରୋଲୋଜି ବିଭାଗର ୨୩ଜଣ କରୋନା ସଂକ୍ରମିତ କିଡ୍ନି ରୋଗୀଙ୍କୁ ଆଇସୋଲେସନ୍ ୱାର୍ଡରେ ଡାଏଲିସିସ୍ ପାଇଁ ରଖାଯାଇଛି। ଗତ ସପ୍ତାହରୁ ଏସ୍ସିବି ନେଫ୍ରୋଲୋଜି ବିଭାଗରେ କରୋନା ସଂକ୍ରମିତଙ୍କ ଡାଏଲିସିସ୍ ଆରମ୍ଭ କରାଯାଇଛି। ହେଲେ ବିଭାଗରେ ଡାଏଲିସିସ କରିବା ଫଳରେ ଅନ୍ୟ ରୋଗୀଙ୍କ ପ୍ରତି ସଂକ୍ରମଣ ଭୟ ଥିବାରୁ ଆଇସୋଲେସନ୍ ୱାର୍ଡରେ ଏହି ବ୍ୟବସ୍ଥା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୪ରୁ ଅଧିକ କରୋନା ସଂକ୍ରମିତ କିଡ୍ନି ରୋଗୀଙ୍କ ମୃତ୍ୟୁ ଘଟିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/scb-medical-e1534494140860.jpg)