ଏସ୍‌ସିବି ଆଇସୋଲେସନ୍‌ରେ ହେବ ଡାଏଲିସିସ୍‌ ବ୍ୟବସ୍ଥା

୩ଟି ମେସିନ୍‌ରେ ସପ୍ତାହ‌କୁ ୩୦ କିଡ୍‌ନି ରୋଗୀ ପାଇବେ ସୁବିଧା

କଟକ : କଟକ ବଡ଼ ଡାକ୍ତରଖାନାର ସ୍ବତନ୍ତ୍ର କରୋନା ଆଇସୋଲେସନ୍‌ ୱାର୍ଡରେ ଏଣିକି ମିଳିବ ଡାଏଲିସିସ୍‌ ସୁବିଧା। ଏଥିପାଇଁ କୋଲକାତାରୁ ସ୍ବତନ୍ତ୍ର ୩ଜଣ ଇଂଜିନିୟର ଆଜି କଟକ ପହଞ୍ଚି କାମ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ୩ଟି ଆର୍‌ଓ ପ୍ଲାଣ୍ଟ ମେସିନ୍‌ ବସାଯିବ, ଯେଉଁଥିରେ ସପ୍ତାହକୁ ୩୦ଜଣ ରୋଗୀ ପାଇବେ ଡାଏଲିସିସ୍‌ ଚିକିତ୍ସା। କିଡ୍‌ନି ରୋଗୀ ମଧ୍ୟ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ହେଉଥିବାରୁ ସେମାନଙ୍କ ଡାଏଲିସିସ୍‌କୁ ନେଇ ସମସ୍ୟା ସୃଷ୍ଟି ହେଉଥିଲା। କଟକ, ଭୁବନେଶ୍ବରରେ କୋଭିଡ୍‌ ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାଏଲିସିସ୍‌ ‌ପାଇଁ ସଂକ୍ରମିତ ହନ୍ତସନ୍ତ ହେଉଥିଲେ। ଶେଷରେ ଗତ ସପ୍ତାହରୁ ଏସ୍‌ସିବି ନେଫ୍ରୋଲୋଜି ବିଭାଗରେ କରୋନା ସଂକ୍ରମିତଙ୍କ ଡାଏଲିସିସ୍‌ ଆରମ୍ଭ କରାଯାଇଛି। ହେଲେ ବିଭାଗରେ କରିବା ଫଳରେ ଅନ୍ୟ ରୋଗୀଙ୍କ ପ୍ରତି ସଂକ୍ରମଣ ଭୟ ଥିବାରୁ ଆଇସୋଲେସନ୍‌ ୱାର୍ଡରେ ଏହି ବ୍ୟବସ୍ଥା ପାଇଁ ଯୋଜନା ଆରମ୍ଭ ହେଲା। ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର