ଇବଥର୍ମାଲ: ମାତ୍ରାଧିକ ପ୍ରଦୂଷଣ ଏବଂ ଢୁଲଙ୍ଗି, ଡିସ୍କୋ ଭଳି ଛୋଟ ଫାଶଯୁକ୍ତ ଜାଲ ମାଧ୍ୟମରେ ବେଆଇନ ମାଛଧରା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟ ଉତ୍ପାଦନ ଆଶାନୁରୂପକ ହୋଇପାରୁନି। ଢୁଲୁଙ୍ଗି ଜାଲ ଓ ଡିସ୍କୋ ଜାଲର ପ୍ରଚଳନକୁ ସଂପୂର୍ଣ୍ଣ ବନ୍ଦ କରାନଗଲେ ହୀରାକୁଦ ଜଳଭଣ୍ଡାର ଅଚିରେ ମତ୍ସ୍ୟଶୂନ୍ୟ ହେବାର ଆଶଙ୍କା ରହିଛି। ଏହା ଫଳରେ ମାଛଧରି ଜୀବିକା ନିର୍ବାହ କରୁଥିବା ସ୍ଥାନୀୟ ୭୦୦୦ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବ। ମତ୍ସ୍ୟ ଉତ୍ପାଦନ ଓ ବିପଣନ ପାଇଁ ଜଳଭଣ୍ଡାରକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି। ମୁଖ୍ୟତଃ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାରେ ତାମଦେଇ, ଠେବେରା, ମହମ୍ମଦପୁର, ଲଛି ପାଲି, ଇବ୍ ବୀରେନବନ୍ଧ ସମେତ ୭ଟି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଗଠିତ ହୋଇଛି। ମାତ୍ର ଏକ ପ୍ରଭାବଶାଳୀ ମାଫିଆ ଗୋଷ୍ଠୀ ଯୋଗୁଁ ଏହି ସମବାୟ ସମିତିଗୁଡ଼ିକ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥରକ୍ଷା କରିବା ତ ଦୂର କଥା, ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଛନ୍ତି।  

Advertisment

 ମତ୍ସ୍ୟଜୀବୀଙ୍କ ୧୮ ବର୍ଷ ସଂଘର୍ଷର ଫଳ ଶୂନ 
ବେଆଇନ ‘ଢୁଲୁଙ୍ଗି’ ଜାଲ ବ୍ୟବହାର ରୋକିବାରେ ପ୍ରଶାସନ ବିଫଳ

ସୂଚନାଯୋଗ୍ୟ ଯେ ୧୯୭୫-୭୬ ମସିହାରେ ବରଗଡ଼ ଜିଲ୍ଲାର ତାମଦେଇ ଅଞ୍ଚଳରେ ରହୁଥିବା ବଂଲାଦେଶୀ ଯୁଦ୍ଧ ବିସ୍ଥାପିତମାନେ ଢୁଲୁଙ୍ଗି ଜାଲରେ (ଡ୍ରେଗ୍‌ନେଟ୍)ରେ ମାଛ ଧରିବା ଆରମ୍ଭ କରିଥିଲେ। ୧୯୯୮୫-୮୬ ମସିହାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବହୁସଂଖ୍ୟକ ପ୍ରଭାବଶାଳୀ ବ୍ୟକ୍ତି ଢୁଲୁଙ୍ଗି ଜାଲ ମାଧ୍ୟମରେ ବେଆଇନ ଭାବେ ମାଛ ଧରିବା ଆରମ୍ଭ କଲେ। ଏହି ପ୍ରଭାବଶାଳୀ ମାଫିଆ ଗୋଷ୍ଠୀ ଦୀର୍ଘ ୩୯ ବର୍ଷ ଧରି ଜଳଭଣ୍ଡାରରୁ ମତ୍ସ୍ୟ ସଂପଦ ଲୁଟି ଚାଲିଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ପ୍ରଶାସନିକ ସ୍ତରରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଜଳଭଣ୍ଡାରରୁ ମତ୍ସ୍ୟ ସଂଖ୍ୟା ହ୍ରାସରେ ଆତଙ୍କିତ ମତ୍ସ୍ୟଜୀବୀଙ୍କ ଦାବି ପରେ ୨୦୦୪ରେ ତତ୍କାଳୀନ ଉତ୍ତରାଞ୍ଚଳ ରାଜସ୍ୱ କମିସନର ଟି.ରାମଚନ୍ଦ୍ରୁଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ମତ୍ସ୍ୟ ବିଭାଗର ଅଧିକାରୀଙ୍କ ଏକ ବୈଠକ ହୋଇଥିଲା। ବେଆଇନ ମାଛଧରାକୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା। ଏ ସଂକ୍ରାନ୍ତରେ ୨୦୦୫ରେ ପୁଣି ଆରଡିସିଙ୍କ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ମାତ୍ର ଢୁଲୁଙ୍ଗି ଜାଲକୁ ରୋକିବା ପାଇଁ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନଥିଲା। ମଧୁସୂଦନ ପାଢ଼ୀ ଆରଡିସି ଭାବେ ଯୋଗ ଦେଲା ପରେ ପୁଣି ତିନି ଜିଲ୍ଲାର ଜିଲ୍ଲାପାଳଙ୍କ ବୈଠକ ଡକାଇ ମାଫିଆଙ୍କୁ ରୋକିବା ପାଇଁ ଏକ ସ୍କ୍ବାଡ୍‌ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲାପାଳମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇ ପାରି ନଥିଲା। 

ଢୁଲୁଙ୍ଗି ଜାଲର ବ୍ୟବହାର ସିଧାସଳଖ ପ୍ରଭାବ ଜଳଭଣ୍ଡାରର ମତ୍ସ୍ୟ ଉତ୍ପାଦନରେ ପଡୁଛି। ୦.୫୫ ମିମି ଛିଦ୍ରଯୁକ୍ତ ଏହି ଜାଲରେ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ମତ୍ସ୍ୟ ଜାଆଁଳା ମରିଯାଉଥ‌ିବାରୁ ମତ୍ସ୍ୟ ସଂଖ୍ୟା ହ୍ରାସ ପାଉଛି। ଏଥିସହ ବିଭିନ୍ନ ପ୍ରଜାତିର ମାଛବଂଶ ମଧ୍ୟ ଲୋପ ପାଇ ଚାଲିଛି। ୧୯୫୬-୫୭ ମସିହାରେ ଜଳଭଣ୍ଡାର ସୃଷ୍ଟି ସମୟରେ ୧୦୪ ପ୍ରଜାତିର ମାଛ ଦେଖା ଯାଉଥିଲେ। ଏବେ ସେ ଗୁଡ଼ିକରୁ ଅଧିକାଂଶ ପ୍ରଜାତି ଲୋପ ପାଇ କେବଳ ୫୭ ପ୍ରଜାତିର ମାଛ ଦେଖାଯାଉଥିବା ଜଣାଯାଇଛି। ଏହି ୫୭ ପ୍ରଜାତି ମାଛରୁ ଏବେ ୨୧ ପ୍ରଜାତିଙ୍କ ସଂଖ୍ୟାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି।