ଭୁବନେଶ୍ବର: ଝାଡ଼ାବାନ୍ତିରେ ଆକ୍ତାମାକ୍ତା ହେଲାଣି ଯାଜପୁର। ହଇଜା ଚିହ୍ନଟ ପରେ ସ୍ଥିତି ଆହୁରି ସଙ୍ଗିନ ହୋଇଛି। ବ୍ୟାପକ ସରକାରୀ ପଦକ୍ଷେପ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଘନ ଘନ ଯାଜପୁର ଗସ୍ତ ସତ୍ତ୍ବେ ଜିଲ୍ଲାରେ ଡାଇରିଆ ନିୟନ୍ତ୍ରଣକୁ ଆସୁନାହିଁ। ଯାଜପୁରରେ କରାଳ ରୂପ ଦେଖାଇଥିବା ଡାଇରିଆ ଏବେ ଭଦ୍ରକ, କଟକ,କେନ୍ଦ୍ରାପଡ଼ା, ଭୁବନେଶ୍ବର, ଢେଙ୍କାନାଳ ଓ କେନ୍ଦୁଝର ଭଳି ଜିଲ୍ଲାକୁ ବ୍ୟାପି ଗଲାଣି। ବର୍ଷା ଦିନ ଆରମ୍ଭରୁ ଡାଇରିଆରେ କଲବଲ ହେଉଛି ଓଡ଼ିଶା।
ଯାଜପୁରରେ ଏକ ଭୋଜିରୁ ଡାଇରିଆ ବ୍ୟାପିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଲୋକମାନେ ପାଇପ୍ ପାଣି, ନଦୀ ପାଣି ନା ନଳକୂପ ପାଣି ପିଇବା ଯୋଗୁଁ ଏଭଳି ସ୍ଥିତି ଉପୁଜିଲା ତାହା ସ୍ପଷ୍ଟ ହୋଇନାହିଁ। ଏହାସହ ଗରମ ଗୁଳୁଗୁଳି ବେଳେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆମ୍ବ ଖାଇବା ଯୋଗୁଁ ମଧ୍ୟ ଡାଇରିଆରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଜିଲ୍ଲାରେ ଡାଇରିଆ ବ୍ୟାପିବାକୁ ଇତିମଧ୍ୟରେ ୧୦ଦିନ ହେବାକୁ ବସିଲାଣି, ମାତ୍ର କେଉଁ ଉତ୍ସରୁ ପ୍ରକୃତରେ ଡାଇରିଆ ବ୍ୟାପିଲା ସେ ସଂପର୍କରେ ରାଜ୍ୟ ସରକାର କିଛି ସ୍ପଷ୍ଟ କରୁନାହାନ୍ତି। କେବଳ ଜିଲ୍ଲାରେ ବିଶୋଧନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏକାଧିକ ଜିଲ୍ଲାକୁ ଡାଇରିଆ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନମାନେ ତତ୍ପର ହୋଇଛନ୍ତି। ବାସି ଖାଦ୍ୟ ବିକ୍ରି ଅଭିଯୋଗରେ ବିଭିନ୍ନ ହୋଟେଲ୍ ଓ ଉଠା ଦୋକାନୀଙ୍କ ଉପରେ ଚଢ଼ଉ ଆରମ୍ଭ ହୋଇଛି।
ଯାଜପୁରରେ କେଉଁ ଉତ୍ସରୁ ବ୍ୟାପିଲା ଡାଇରିଆ?
ପ୍ରତ୍ୟେକ ମାମଲାର ମ୍ୟାପିଂ ନିର୍ଦ୍ଦେଶ
ବର୍ଷା ଆରମ୍ଭରୁ ରାଜ୍ୟରେ ଡାଇରିଆ ବ୍ୟାପିବାକୁ ଆରମ୍ଭ କରିଛି। ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ବେଳକୁ ଘରେ ଅନ୍ୟମାନେ ଅସୁସ୍ଥ ହୋଇପଡ଼ୁଛନ୍ତି। ଗାଁ ଗାଁରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲାଣି। ୭ଟି ଜିଲ୍ଲାରେ ବର୍ତ୍ତମାନ ଡାଇରିଆ ବ୍ୟାପି ସାରିଲାଣି। କେବଳ ଯାଜପୁର ଜିଲ୍ଲାରେ ଗତକାଲିସୁଦ୍ଧା ସରକାରୀଭାବେ ୧୭ଶହରୁ ଅଧିକ ଆକ୍ରାନ୍ତ ହୋଇସାରିଲେଣି। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଶତାଧିକ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସିଲାଣି। ଆଜି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଡାଇରିଆ ମୁକାବିଲା କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ ଓ ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ଲକ୍ଷ୍ୟ କରିବା ସହ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀ ଓ ସହାୟକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।
ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହରେ ଯାଜପୁର ଜିଲ୍ଲାପାଳ ଅନ୍ବେଷା ରେଡ୍ଡୀ, ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ଯାଜପୁର ମେଡିକାଲ କଲେଜର ଅଧ୍ୟକ୍ଷ, ଡିନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଡାଇରିଆ ନିରାକରଣ ଅଭିଯାନ ସହ ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଡାକ୍ତରଖାନାରେ ରୋଗୀଙ୍କ ଆଡ୍ମିସନ, ଆଶୁ ଚିକିତ୍ସା ଓ ଆରୋଗ୍ୟ ସଂପର୍କରେ ଆଲୋଚନା ହୋଇଥିଲା। ପ୍ରତି ଡାଇରିଆ କେସ୍ର ମ୍ୟାପିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଡ୍ମିଟ୍ ହୋଇଥିବା ରୋଗୀଙ୍କୁ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ନିଶ୍ଚିତ କରିବା ଓ ପୂର୍ଣ୍ଣ ଆରୋଗ୍ୟ ଲାଭ ପରେ ଯାଇ ସେମାନଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରିବା ପାଇଁ କଡ଼ା ତାଗିଦ କରାଯାଇଛି। ଗ୍ରାମ ସ୍ତରରେ ଗୃହକୁ ଗୃହ ସଚେତନତା ଓ ଡାଇରିଆ ଚିହ୍ନଟ କାର୍ଯ୍ୟ ଜାରି ରଖିବା ସହ ବିଶୋଧନ ଓ ପରିମଳ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି। ଡାଇରିଆ ନିରାକରଣ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିବା ପାଇଁ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଆରବିଏସ୍କେ ଟିମ୍ ଯାଜପୁର ଜିଲ୍ଲାକୁ ପଠାଯାଇଛି। ଆବଶ୍ୟକ ସ୍ଥାନରେ ଏହି ଟିମ୍କୁ ମୁତୟନ କରି ଉପଯୋଗ କରିବା ଉପରେ ଗୁରୁତ୍ବ ଦିଆଯାଇଛି।
ରାଜ୍ୟରେ ଡାଇରିଆସ୍ଥିତିକୁ ଦେଖି ସରକାର ‘ଷ୍ଟପ୍ ଡାଇରିଆ’ ଅଭିଯାନ ଆରମ୍ଭ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାର ଶୁଭାରମ୍ଭ କରିଛନ୍ତି। ଏହା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ମାଧ୍ୟମରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟ ଉପକେନ୍ଦ୍ର, କମ୍ୟୁନିଟି ସେଣ୍ଟର ଓ ଆରୋଗ୍ୟ ମନ୍ଦିରମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓଆର୍ଏସ୍ ପ୍ୟାକେଟ, ଜିଙ୍କ୍ ଟାବଲେଟ୍ ଓ ଔଷଧ ମହଜୁଦ ରଖାଯାଇଛି। ଗ୍ରାମ ଓ ସହରାଞ୍ଚଳରେ କାର୍ଯ୍ୟରତ ସମସ୍ତ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନ୍ଏମ୍, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାରମ୍ଭିକ ଅବସ୍ଥାରୁ ଡାଇରିଆ ରୋଗର ଚିହ୍ନଟ ଓ ପରିଚାଳନା ବିଷୟରେ ତାଲିମ ଦିଆଯାଇଛି।