ଭିରକାପଡ଼ାରେ ଝାଡ଼ାବାନ୍ତି, ପାଣି ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିରକାପଡ଼ାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗୁରୁବାର ୩ ଜଣ ଆକ୍ରାନ୍ତଙ୍କୁ କୋକସରା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରଖିଛି। ଡା. ତତ୍ବଦର୍ଶୀ ଦାସଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି  ସ୍ଥିତି ଅନୁଧ୍ୟାନ କରିବା ସହ ଆଶାକର୍ମୀ ଓ ଏଏନ୍ଏମ୍‌ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। ଅନ୍ୟପକ୍ଷରେ ଗ୍ରାମ୍ୟ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତୀ ଭୋଇ ତଥା ବିଭାଗୀୟ କର୍ମଚାରୀ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଜଣାପଡ଼ିଛି।

ତେବେ ପ୍ରାଥମିକ ତଦନ୍ତରୁ ପାନୀୟ ଜଳ ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଡା. ଦାସ ସୂଚନା ଦେଇଛନ୍ତି। ଗାଁରେ ଆକ୍ରାନ୍ତ ରୋଗୀଙ୍କ ସ୍ଥିତି ଉପରେ ଡା. ସୁଶୀଳ ସାହୁ ଓ ଲଡୁଗାଁ ମେଡିକାଲ ଟିମକୁ ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ମେଡିକାଲ ଟିମ୍‌ର ବିପିଏମ୍‌ ମାନସ ନୟନ ସ୍ୱାଇଁ, ସ୍ୱାସ୍ଥ୍ୟକର୍ମୀ କେତନ ପାତ୍ର, ମହିଳା ସ୍ୱାସ୍ଥ୍ୟ ସେବିକା ପୁଷ୍ପାଳତା ଦୋରାଙ୍କ ସମେତ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମାଜସେବୀ ଅରୁଣ ଗୋୟଲ୍ ପ୍ରମୁଖ ଗ୍ରାମବାସୀଙ୍କୁ ସଚେତନ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର