ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥମୁନି ଝାଡ଼ାବାନ୍ତି, ୩ ଦିନରେ ଗୋଟିଏ ଗାଁରେ ୨ ମୃତ, ୪୦ ଆକ୍ରାନ୍ତ, ଗାଁରେ ପହ‌ଞ୍ଚିଲା ମେଡ଼ିକାଲ ଟିମ୍

ବ୍ରହ୍ମଗିରି/ଚାରିଛକ : ବାତ୍ୟା ‘ଫନି’କୁ ୩୮ ଦିନ ପୂରିଛି। ଜନଜୀବନ ଧୀରେ ଧୀରେ ସ୍ବାଭାବିକ ସ୍ଥିତିକୁ ଫେରୁଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ବିଶେଷ କରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଝାଡାବାନ୍ତି ଥମିବାର ନାଁ ଧରୁନି। ବାତ୍ୟା ପରଠୁ ପିଇବା ପାଣି ସମସ୍ୟା ଉତ୍କଟ ହୋଇ ପଡ଼ିଥିବା ବେଳେ ଗ୍ରାମାଞ୍ଚଳରେ ଦୂଷିତ ଜଳ ବ୍ୟବହାର କାରଣରୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ବ୍ରହ୍ମଗିରି ବ୍ଲକ୍ କହଳପଦା ଗାଁ ଏହାର ସଦ୍ୟତମ ଦୃଷ୍ଟାନ୍ତ। ଏହି ଗାଁରେ ଝାଡାବାନ୍ତିରେ ୨ ଜଣଙ୍କର ମୁଣ୍ତ ଗଲାଣି। ଆହୁରି ୪୦ ଜଣ ଆକ୍ରାନ୍ତ ହୋଇ ଏବେ ଘରେ ଏବଂ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।

ସୂଚନା ମୁତାବକ, ଆଜିକୁ ତିନି ଦିନ ତଳେ ଗାଁରେ ଝାଡାବାନ୍ତି ପ୍ରକୋପ ଦେଖା ଦେଇଥିଲା। ଗ୍ରାମର ସରୋଜ ଜେନା (୭୫) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬ ତାରିଖରେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ଚିକିତ୍ସା ପରେ ଗାଁକୁ ସରୋଜ ଫେରିଥିଲେ ମଧ୍ୟ ପୁଣି ଥରେ ଝାଡାବାନ୍ତି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଗତକାଲି ଗାଁର ସନାତନ ଜେନା (୭୦) ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ଏହା ସହିତ ଝଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁର ୧୫ ଜଣ ବ୍ୟକ୍ତି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ୨୫ ଜଣ ଆକ୍ରାନ୍ତ ଗାଁରେ ରହିଛନ୍ତି। ଏ ନେଇ ଆଜି ବ୍ରହ୍ମଗିରି ବିଡ଼ିଓ ଭାସ୍କର କୁମାର ରଇତୋ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରି ମେଡ଼ିକାଲ ଟିମ୍‌ ପଠାଇବାକୁ ଅନୁରୋଧ କରିଛନ୍ତି। ସେପଟେ ଗାଁରେ ବିଶୁଦ୍ଧ ପିଇବା ପାଣି ବ୍ୟବସ୍ଥା କରିବାକୁ ବିଡ଼ିଓ ଜନସ୍ବାସ୍ଥ୍ୟ ବିଭାଗକୁ ନିେର୍ଦ୍ଦଶ ଦେଇଛନ୍ତି। ଆଜି ଦିନ ଦ୍ବିପ୍ରହରରେ ମେଡ଼ିକାଲ ଟିମ୍‌ ଗାଁରେ ପହ‌ଞ୍ଚି ଜଳଉତ୍ସଗୁଡ଼ିକୁ ବିଶୋଧନ କରିଛନ୍ତି। ତେବେ ଆକ୍ରାନ୍ତମାନଙ୍କ ଚିକିତ୍ସା ପାଇଁ ଏଯାବତ କିଛି ସୁବିଧା କରାଯାଇନଥିବା ଗାଁ ଲୋକେ କହିଛନ୍ତି। କେବଳ ଏହି ଗାଁ ନୁହେଁ, ବ୍ଲକ୍‌ର ଅନ୍ୟ ଗାଁଗୁଡ଼ିକରେ ମଧ୍ୟ ପିଇବା ପାଣି ସମସ୍ୟା ଉତ୍କଟ। ଏବେ ବି ଆଭ୍ୟନ୍ତରୀଣ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ସମ୍ଭବପର ହୋଇ ନାହିଁ। ଲୋକେ ପ୍ରବଳ ଗରମରେ ଆଉଟୁପାଉଟୁ ହେଉଥିବା ବେଳେ ଦୂଷିତ ଜଳ ବ୍ୟବହାର ଏବଂ ଖାଇବାରେ ଅନିୟମିତତା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତ ବ୍ୟବଧାନରେ ବଢୁଥିବା ପରିଲକ୍ଷିତ ହୋଇଛି।

ସେହିପରି ନିମାପଡା ବ୍ଲକ୍‌ ଅର୍ନ୍ତଗତ ଚାରିଛକ ଅ‌ଞ୍ଚଳରେ ଏବେ ବହୁ ସଂଖ୍ୟାରେ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ରୋଗୀ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି। ଫନି ବାତ୍ୟା ପରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ଏଭଳି ରୋଗ ବ୍ୟାପିଛି। ବିଶେଷକରି ଦୂଷିତ ପାଣି ପିଇ ଲୋକେ ରୋଗରେ ପଡ଼ିଛନ୍ତି। ଚାରିଛକ ଅଞ୍ଚଳର ଲିଙ୍ଗରାଜ ପ୍ରଧାନ, ମହେନ୍ଦ୍ର ସିଂ, ଶିବ ମହାନ୍ତି, ମିନା ପରିଡା, ସୁବରାତା ଦାସ, ସିପୁନ ପ୍ରଧାନ, ଶାନ୍ତି ମଲିକ, ସଂକୁତଳା ସ୍ବାଇଁ, ଝୁନୁ ମଲ୍ଲିକ, ସୁଧା ପ୍ରଧାନଙ୍କ ସମେତ ଅନେକ ଲୋକ ଝାଡାବାନ୍ତିରେ ଚାରିଛକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି।

ସମ୍ବନ୍ଧିତ ଖବର