ଦେଓଗାଁ : ଦିନକରେ ଡାଇରିଆରେ ଶତାଧିକ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ବଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର ଗାଁରେ ଡାଇରିଆ ବ୍ୟାପୁଥିବା ଜଣାପଡ଼ିଛି। ଗୁରୁବାର ଗୋଟିଏ ଦିନରେ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଆକ୍ରାନ୍ତମାନଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ଗୁରୁବାର ସକାଳେ ପ୍ରଥମେ ଗାଁର କାଶୀନାଥ ଭୋଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥ‌ିଲେ। କିଛି ସମୟ ପରେ ଏହା ଗାଁ ସାରା ବ୍ୟାପିଯାଇଥିଲା। ସ୍ଥିତି ଏପରି ହୋଇଥିଲା ଯେ, ଅପରାହ୍‌ଣ ୫ଟା ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୯୦‌ରେ ପହଞ୍ଚିଥିଲା। ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଖବର ପହଞ୍ଚିବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁରେନ୍ଦ୍ର ପରକିଆ, ବିପିଏମ୍‌ କୁମୁଦ ରଞ୍ଜନ ରାୟକ ତିନୋଟି ଡାକ୍ତରୀ ଦଳ ଗଠନ କରି ଗାଁରେ ଚିକିତ୍ସା ଆରମ୍ଭ କରିଥିଲେ। ଗୁରୁତର ଅସୁସ୍ଥ ଥିବା ଜଣେ ରୋଗୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରାତି ସୁଦ୍ଧା ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇଥିବା ସୂଚନା ମିଳିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡାଇରିଆର କାରଣ ଖୋଜା ଚାଲିଛି। ଏ ସଂକ୍ରାନ୍ତରେ ଦେଓଗାଁ ସିଏଚ୍‌ସି ଅଧିକାରୀ ଡା. ପରକିଆ କହିଛନ୍ତି ଯେ, ଜଣଙ୍କୁ ବଲାଙ୍ଗୀର ପଠାଯାଇଛି ଏବଂ ୯୬ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ପରିସ୍ଥିତି ଜଟି‌ଳ ହେଲେ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟର ସାହାଯ୍ୟ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର