ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ଓ ଦିଗପହଣ୍ଡି ବ୍ଲକ୍‌ର ୩ଟି ଗାଁରେ ବହୁ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଥିଲେ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରତ୍ୟେକ ବ୍ଲକ୍‌ର ମେଡିକାଲ ଅଫିସର୍‌ଙ୍କୁ ସର୍ତକ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା ନେଇ ଡାକ୍ତରୀ ଦଳ ଅନୁମାନ କରୁଛନ୍ତି। ଏଥିପାଇଁ କୁକୁଡ଼ାଖଣ୍ଡି ବ୍ଲକ୍‌ର ଲାଠି, ବେନ୍ଦାଳିଆ ଓ ଦିଗପହଣ୍ଡି ବ୍ଲକ୍‌ର ଭୀଷ୍ମଗିରି ଗ୍ରାମରୁ ପାଣି ନମୁନା ସଂଗ୍ରହ କରାଯାଇଛି। ଲାଠି ଗାଁକୁ ପାଇପ୍‌ ପାଣି ଯୋଗାଣ ବନ୍ଦ କରାଯାଇଛି। ଟ୍ୟାଙ୍କର୍‌ ଯୋଗେ ପାଣି ଯୋଗାଣ ଚାଲିଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ସେହିପରି ପାଣି ବିଶୋଧନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଆର୍‌ଡବ୍ଲୁଏସ୍ଏସ୍‌ ବିଭାଗକୁ କୁହାଯାଇଛି।

Advertisment

ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍‌ର ଲାଠି ଗ୍ରାମରେ ପ୍ରଥମ ଝାଡ଼ାବାନ୍ତି ବ୍ୟାପିଥିଲା। ଏହାପରେ ବେନ୍ଦାଳିଆ ଓ ଦିଗପହଣ୍ଡି ବ୍ଲକ୍‌ର ଭୀଷ୍ମଗିରିରେ ଝାଡ଼ାବାନ୍ତି ବ୍ୟାପିଥିବା ଖବର ଆସିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଡାକ୍ତରୀ ଦଳ ୩ଟି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ବର୍ତ୍ତମାନ ବର୍ଷା ଦିନ ଥିବାରୁ ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି।