ଓଡ଼ାପଡ଼ା: ଢେଙ୍କାନାଳଜିଲ୍ଲା ଓଡ଼ାପଡ଼ା ବ୍ଲକ୍ କମଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବରସାହିରେ ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ଅନେକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିଛିଦିନ ତଳେ ବରସାହି ଗ୍ରାମର ୫ରୁ ଅଧିକ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନନ୍ତ ନାୟକ ଓ ରଜନୀ ପେଣ୍ଠେଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।
ଏକାଧିକ ଆକ୍ରାନ୍ତ; ଗାଁରେ ମେଡିକାଲ୍ ଟିମ୍ର ଚିକିତ୍ସା
ବର୍ତ୍ତମାନ ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅମରି ଦାସ ଓ ଅନନ୍ତ ନାଏକଙ୍କ ଅବସ୍ଥା ଗୁରୁତର ରହିଛି। କମଳାଙ୍ଗ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରାଙ୍କଠାରୁ ଖବର ପାଇ ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନନ୍ତ କୁମାର ରାଉଳ ମେଡିକାଲ ଟିମ୍ ସହ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଖରା ବଢ଼ିବା ସାଙ୍ଗକୁ ଏହି ଗାଁରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ଗ୍ରାମବାସୀ ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ସରପଞ୍ଚ କହିଛନ୍ତି। ୨ ମାସ ତଳେ ବରସାହି ଗାଁର କିଛି ଲୋକ ଝାଡ଼ାବାନ୍ତିରେ ପଡ଼ିଥିଲେ। ଏ ସଂପର୍କରେ ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁ ନଥିବା ସରପଞ୍ଚ ଅଭିଯୋଗ କରିଛନ୍ତି।