ରାୟଗଡ଼ା : ଜୁଲାଇ ୭ ତାରିଖରେ ପ୍ରଥମ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ଦୁଡୁକାବାହଲ ଗ୍ରାମର ସବିତା ନାୟକ। ୨ରୁ ୩ଦିନ ରୋଗଶଯ୍ୟାରେ ପଡ଼ିବାପରେ ସଙ୍କଟାପନ୍ନ ଅବସ୍ଥାରେ ସେ ଆଖିବୁଜିଲେ। ଏହାପରଠୁ କାଶୀପୁରରେ ଆରମ୍ଭ ହୋଇଯାଇଛି ଭିବ୍ରିଓ କଲେରାର ବିଭୀଷିକା। ଏଥିରେ ଆକ୍ରାନ୍ତ ହୋଇ ଜଣକ ପରେ ଜଣେ ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେବେ, ଗୋଟିଏ ରାତିରେ ଟିକିରି ଝୋଡ଼ିଆ ସାହିରେ ୩ଜଣ ରୋଗୀଙ୍କ ମୃତ୍ୟୁ ହେବାପରେ କାଶୀପୁର ଚର୍ଚ୍ଚାକୁ ଆସିଲା। ଏପରିକି, ବିଧାନସଭା ବି ହୁଲୁସ୍ତୁଲୁ ହେଲା। ବିଡ଼ମ୍ବନାର ବିଷୟ, ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ସଜବାଜ ହେବାପୂର୍ବରୁ ୮ ପଞ୍ଚାୟତକୁ ଏହା ବ୍ୟାପିସାରିଥିଲା। ଜଳଉତ୍ସରେ ଭୂତାଣୁ ଜମିବାପରେ ଏବେ ଘରେଘରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଗତ କିଛି ଦଶନ୍ଧି ଧରି ବିଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛି କାଶୀପୁର। ଅଶୀ ଦଶକରେ ଅନାହାର ମୃତ୍ୟୁକୁ ନେଇ ଏହା ଚର୍ଚ୍ଚାକୁ ଆସିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ କାଶୀପୁର ଗସ୍ତରେ ଆସି ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଆଣିବା ସହ ଭୋକ ମେଣ୍ଟାଇବା ପାଇଁ କାର୍ଯ୍ୟକାରୀ କରିଥିଲେ ଆଇଫାଡ୍ ଯୋଜନା। ଯୋଜନାରେ ପାଖାପାଖି ଖର୍ଚ୍ଚ ହୋଇଥିଲା ୭୨କୋଟି। ଏହାପରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇ ବ୍ୟୟ ହୋଇଛି ଶତାଧିକ କୋଟି। ବିଶେଷକରି ପାନୀୟ ଜଳ, ରାସ୍ତା, ପରିମଳ, ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ନାଁରେ ଅନୁଦାନର ସିଂହଭାଗ ବ୍ୟୟ ହୋଇଛି। କିନ୍ତୁ, ଯୋଜନାରେ ବ୍ୟାପକ ହରିଲୁଟ୍ ଯୋଗୁ ବିଶୁଦ୍ଧ ପାଣିର ଅଭାବ, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଲୋକଙ୍କ ଜୀବନ ଏବେ କାଶୀପୁରରେ ପୋକମାଛି ଭଳି ଯାଉଛି। ଗାଁ ଗାଁରେ ସ୍ଥିତି ଅତି ସଂଗିନ୍ ଥିଲେ ସୁଦ୍ଧା ବିରୋଧୀଙ୍କ ନିଶାଣରୁ ବର୍ତ୍ତିବା ପାଇଁ ସରକାର ତରବରିଆ ଭାବେ ଅଚଳ ପାଣି ପ୍ରକଳ୍ପର ମରାମତି, ନୂତନ ବୋରୱେଲ୍ ଖନନ, ଦୂଷିତ ଜଳ ଉତ୍ସକୁ ବନ୍ଦ କରିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିର ଅଭାବ ଯୋଗୁ ୯ଟି ମୋବାଇଲ୍ ଟିମ୍ ମାଧ୍ୟମରେ ଘରକୁ ଯାଇ ଚିକିତ୍ସା ସେବା ଯୋଗାଉଛନ୍ତି। ଯାହା ସରକାରଙ୍କ ବିକାଶ ଚିତ୍ରକୁ ପଦାରେ ପକାଇଛି।
ମିଳିଥିବା ସୂଚନା ଅନୁସାରେ; କାଶୀପୁର, ଟିକିରି, ଗୋରଖପୁର ଭଳି ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ଝାଡ଼ାବାନ୍ତି ବ୍ୟାପିବା ବେଳକୁ ଜଣେ ବି ଡାକ୍ତର ନଥିଲେ। ଯାହା ଲୋକଙ୍କ ଜୀବନ ନେବାର ଅନ୍ୟତମ ପ୍ରମୁଖ କାରଣ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ୧୮ଡାକ୍ତର ପଦବି ମଧ୍ୟରୁ ୮ ପଦବି ଖାଲି ପଡ଼ିଥିବାବେଳେ ତରବରିଆ ଭାବେ ଦୁଇ ଡାକ୍ତରଙ୍କୁ ଡେପୁଟେସନରେ ପଠାଇ ସ୍ବାସ୍ଥ୍ୟ ବିଭାଗ କାମ ଚଲାଇଛି। ଡାକ୍ତର ସମସ୍ୟା ଯୋଗୁ ବର୍ଷତମାମ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟର ଚାବିକାଠି କ୍ବାକ୍ଙ୍କ ହାତରେ ରହିଛି। କିଛି ସ୍ଥାନରେ ବେଆଇନ କ୍ଲିନିକ୍ ମଧ୍ୟ ଖୁଲମଖୁଲା ଭାବେ ଚାଲିଛି। ଯାହା କଲେରା ସମୟରେ ପଦାକୁ ଆସିବାପରେ ସ୍ବାସ୍ଥ୍ୟ ବିଭାଗ କ୍ଲିନିକକୁ ସିଲ୍ କରିଛି।
ତେବେ; ୨୦୦୭ ମସିହାରୁ କଲେରା କାଶୀପୁରର ପିଛା ଛାଡ଼ୁନଥିବାବେଳେ କାହିଁକି ଏଥିପାଇଁ ପ୍ରଶାସନ ସ୍ତରରେ ସ୍ଥାୟୀ ପ୍ରତିକାର ଗ୍ରହଣ କରାଯାଉନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୦୭ ମସିହା ଭଳି ୨୦୧୦ ଓ ୨୦୧୨ ମସିହାରେ ମହାମାରୀ ଶହ ଶହ ଲୋକଙ୍କ ମୁଣ୍ଡ ନେଇଛି। ତଥାପି ସରକାର ନ ଚେତିବା କାରଣରୁ ୨୦୨୨ରେ ପୁଣି ଗଡ଼ିଲାଣି ୧୩ ମୁଣ୍ଡ। ଦୂଷିତ ଜଳକୁ ବିଶୋଧନ କରିବା ପାଇଁ ଜଳ ଯୋଗାଣ ବିଭାଗର ୪ଟି ଟିମ୍ ଗାଁକୁ ଗାଁ ବୁଲି ପ୍ରଭାବିତ ଗ୍ରାମ ମଧ୍ୟରୁ ୩୫୪ ଗାଁରୁ ପାଣିକୁ ବ୍ୟବହାର ଯୋଗ୍ୟ କରିସାରିଲେଣି। ଅଥଚ କଲେରାର ତାଣ୍ଡବ ଥମିବାର ନାଁ ଧରୁନି। ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।