କାଶୀପୁର ବ୍ଲକ୍‌ରେ ଥମୁନି ଡାଇରିଆ; ସପ୍ତାହକ ମଧ୍ୟରେ ଦୁଇ ମୃତ, ୪ ଆକ୍ରାନ୍ତ

କାଶୀପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଥମୁନି ଡାଇରିଆ। ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ଡାଇରିଆ ବ୍ୟାପିବାରେ ଲାଗିଛି। ଗତ ଏକ ସପ୍ତାହ ମଧ୍ୟରେ ଅଡ଼ାଯୋର ପଞ୍ଚାୟତ ଅନ୍ତର୍ଗତ ପରଲାଯୋର ଗ୍ରାମରେ ଡାଇରିଆ ଆକ୍ରାନ୍ତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆକ୍ରାନ୍ତ ଥିବାର ସୂଚନା ମିଳିଛି। ଖବର ପାଇ ଗତକାଲି କାଶୀପୁରର ଏକ ଡାକ୍ତର ଟିମ୍ ଉକ୍ତ ଗ୍ରାମରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ସେହିପରି ଡାଇରିଆରେ ଗୁରୁତର ଅବସ୍ଥାରେ ଥିବା ପଙ୍କଜ ଗୌଡ଼ଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ପରଲାଯୋର ଗ୍ରାମର ମଣି ମାଝୀ (୫୮) ଏବଂ ନମିତା ମାଝୀ (୨୫) ଡାଇରିଆରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ନେତ୍ରାନନ୍ଦ ନାୟକଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି। ରିପୋର୍ଟ ଆସିଲାପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସୂଚନା ଥାଉକି, ଏହି ବ୍ଲକରେ ଗତ ଜୁଲାଇ ମାସ ଠାରୁ ଝାଡ଼ାବାନ୍ତି ଦେଖା ଦେଇଥିଲା। ଡାଇରିଆରେ ଆକ୍ରାନ୍ତ ଥିବା ଦୁଡୁକାବାହାଲ ଗ୍ରାମର ଟଙ୍କଧର ନାଏକଙ୍କ ପତ୍ନୀ ସବିତା ନାଏକ (୪୫)ଙ୍କ ଗତ ଜୁଲାଇ ୯ ତାରିଖରେ ମୃତ୍ୟୁ ହୋଇଥିଲା। ବ୍ଲକ୍‌ରେ ଦେଖାଦେଇଥିବା ଡାଇରିଆରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ଜୀବନ ଗଲାଣି। ପ୍ରଶାସନର ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ୱେ ବ୍ଲକ୍‌ରେ ଡାଇରିଆ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସି ନଥିବାର ଜଣାଯାଇଛି। ଦୂଷିତ ପାଣି ପିଇବା ଏବଂ ବାହାରେ ଶୌଚ କରିବା କାରଣରୁ ଡାଇରିଆ ବ୍ୟାପୁଥିବାର ଜଣାପଡ଼ିଛି। କିନ୍ତୁ ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଗ୍ରାମବାସୀ ମାନେ ଝରଣା କିମ୍ବା ନାଳର ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ବିଗତ ଦିନରେ ଡାଇରିଆ ପ୍ରଭାବିତ ଟିକିରି, ଡୁଦୁକାବାହାଲ ଏବଂ ଆଖପାଖ ପଞ୍ଚାୟତକୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଥିଲା। ଏବେ କିନ୍ତୁ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇ ଥିବାରୁ ଗ୍ରାମବାସୀ ପୁଣି ଦୂଷିତ ପାଣି ବ୍ୟବହାର କରି ଡାଇରିଆରେ ଆକ୍ରାନ୍ତ ହେଉଥିବାର ଜଣା ଯାଇଛି। ପାନୀୟ ଜଳ ଯୋଗାଣ ବନ୍ଦ ହେତୁ ଗ୍ରାମର ନଳକୂପରୁ ବାହାରୁଥିବା ଗୋଳିଆ ପାଣି ପିଇ ଡେଙ୍ଗାଗୁଡ଼ା ଗ୍ରାମର ଚାରି ଜଣ ଡାଇରିଆରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର