ଲଖନପୁର : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ କନକତୋରା ପଞ୍ଚାୟତ କୁହାକୁଣ୍ଡା ଗାଁରେ ଶୁକ୍ରବାରଠାରୁ ଝାଡ଼ାବାନ୍ତି ବ୍ୟାପୁଛି। ରବିବାର ସ୍ଥିତି ନିୟନ୍ତ୍ରିତ ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୪୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୮ ଜଣ ବିଭିନ୍ନ ଡାକ୍ତରଖାନାରେ ଏବେ ବି ଚିକିତ୍ସିତ ହେଉଛନ୍ତି। ଶନିବାର ଝାରସୁଗୁଡ଼ା ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିବା ଆକ୍ରାନ୍ତଙ୍କ ଝାଡ଼ାର ନମୁନା ଓ କୁହାକୁଣ୍ଡା ଗାଁର ଲୋକେ ବ୍ୟବହାର କରୁଥିବା ପାନୀୟ ଜଳର ନମୁନା ରିପୋର୍ଟ ଆସି ନଥିବାରୁ ସଂକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ ବୋଲି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡା. ବୈକୁଣ୍ଠନାଥ କଶ୍ୟପ କହିଛନ୍ତି।
ଏପଟେ ରବିବାର ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟର ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପିଡି ଡିଆର୍ଡିଏ ତପିରାମ ମାଝୀ, ଏଡିଏମ୍ଓ ଡ. ମଧୁଲିକା ସାହୁ, ମହାମାରୀ ବିଶେଷଜ୍ଞ ଡା. ରତ୍ନାକର ଚୌଧୁରୀ, ଡିପିଏଚଓ ଡା. ବ୍ରଜକିଶୋର ଭୋଇ ଓ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧୀକ୍ଷକ ଡା. କଶ୍ୟପ ଆକ୍ରାନ୍ତଙ୍କ ଚିକିତ୍ସା ଓ ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ପରେ ଜିଲ୍ଲାପାଳ କୁହାକୁଣ୍ଡା ଗାଁ ଗସ୍ତ କରି ଗାଁର ଜଳ ଓ ପରିମଳ ସ୍ଥିତି, ଆକ୍ରାନ୍ତଙ୍କ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ କରି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁହାକୁଣ୍ଡା ଗାଁର ସମ୍ଭାବ୍ୟ ଆକ୍ରାନ୍ତଙ୍କ ତ୍ୱରିତ ଚିକିତ୍ସା ପାଇଁ ଗାଁରେ ୧୦ଟି ଅସ୍ଥାୟୀ ଶଯ୍ୟା ବ୍ୟବସ୍ଥା କରାଯାଇଛି। ସଂକ୍ରମଣ ବନ୍ଦ ହେବା ପର୍ଯ୍ୟନ୍ତ ଗାଁରେ ଶିବିର କରି ଲୋକଙ୍କୁ ଆବଶ୍ୟକ ଔଷଧ ସହ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗାଁର ପାନୀୟ ଜଳର ସ୍ଥିତି ଉପରେ ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ୍ୟ ଜଳ ଓ ପରିମଳ ଅଧିକାରୀଙ୍କୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ କୁହାକୁଣ୍ଡା ଗାଁରେ ଶୁକ୍ରବାର ରାତିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ ଲୋକ ଶନିବାର ସକାଳଠାରୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହେବା ଆରମ୍ଭ କରିଥିଲେ। ରବିବାର ସୁଦ୍ଧା ଭର୍ତ୍ତି ହୋଇଥିବା ୪୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ୨୦ ଜଣ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ୨୨ ଜଣଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ୪ ଜଣ ଆକ୍ରାନ୍ତ କନକତୋରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତଙ୍କ ଚିକିତ୍ସା ପୂର୍ବରୁ ମୃତ୍ୟୁ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/b775ca2a-ee7c-4be7-bea2-d9a0598a4419.jpg)