ନନ୍ଦାହାଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି: ୨ ମୃତ, ୧୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ୍‌ ପରେ ନନ୍ଦାହାଣ୍ଡି ବ୍ଲକ୍‌ରେ ବି ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଝରିଗାଁ ବ୍ଲକ୍ ଚିତାବେଡ଼ା ପଞ୍ଚାୟତ ଅନ୍ତର୍ଗତ ଡୁମରପଦର ଗ୍ରାମର ମନୁ ଭତ୍ରାଙ୍କ ପତ୍ନୀ ପୁନେଇ ଭତ୍ରା (୪୦) ଗତ ୨୦ତାରିଖରେ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ବେଳେ ଗତ ୪ ଦିନ ମଧ୍ୟରେ ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ଖଡିଆଗୁଡ଼ା ଗ୍ରାମର ୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି। ଏଥିସହ ଖଡ଼ିଆଗୁଡ଼ା ଗ୍ରାମର ମାଝୀ ସାହିର ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଜଣ ଝାଡ଼ାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ୮ଦିନ ହେଲା ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାପରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଖବର ପାଇ ପାରି ନଥିଲା। ଦୁଇଜଣଙ୍କ ମୃତ୍ୟୁ ଘଟିବାପରେ ଆଜି ତରବରିଆ ଭାବେ ଡାକ୍ତରୀ ଦଳ, ପ୍ରଶାସନିକ ଅଧିକାରୀ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନା ଅନୁଯାୟୀ, ଖଡ଼ିଆଗୁଡ଼ା ମାଝୀ ସାହିର ଅନେକ ଜଣ ଝାଡ଼ାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ୪ ଦିନ ତଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ସୁଭଦ୍ରା ମାଝୀ (୮୦)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିପରି ଆଜି ସକାଳେ ସାହିର ଥବିର ମାଝୀ (୭୦)ଙ୍କ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟରେ ମୃତ୍ୟୁ ଘଟିଛି। ଅନ୍ୟପଟେ ସାହିର ଭଗବାନ ଭତରା, ଶ୍ରୀମତୀ ଭତରା, ଶ୍ରୀମତୀ ମାଝୀ, ଗୁରୁବାରୀ ମାଝୀ, ଅଙ୍କିତା ଚାଲାଣ, ଦୁର୍ଯନ ମାଝୀ, ଅନିମା ମାଝୀ, ବଳରାମ ମାଝୀ, ସନ୍ତୋ‌ଷୀ ମାଝୀ, ରତ୍ନମଣି ମାଝୀ, ହୀରାମଣି ମାଝୀ, ମଙ୍ଗରାଜ ମାଝୀ, ବାସନ୍ତୀ ସୌରା, ନନ୍ଦାଏ ଭତରା, ଇନ୍ଦ୍ର ଭତରା, ଲଳିତ ହରିଜନ, ଇସାକ୍ ହରିଜନ, କିଶୋରୀ ମାଝୀ ପ୍ରମୁଖ ଝାଡ଼ାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମବାସୀ ପ୍ରାୟତଃ ଆମିଷ ଭୋଜନ କରନ୍ତିନି। ଅନ୍ୟ କିଛି ଖରାପ ଦ୍ରବ୍ୟ ମଧ୍ୟ ଖାଇ ନାହାନ୍ତି। ଗାଁରେ ଥିବା ପାଣି ଟାଙ୍କି ବହୁଦିନ ହେଲା ସଫା ହୋଇନି। ଏହି ଟାଙ୍କି ପାଣି ପିଇବା ପରେ ଝାଡାବାନ୍ତି ବ୍ୟାପି ଥାଇପାରେ ବୋଲି ସାହି ବାସିନ୍ଦା ଅନୁମାନ କରୁଛନ୍ତି। ତେବେ, ୮ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଥିଲେ ମଧ୍ୟ ଗାଁ କଲ୍ୟାଣ ସମିତି କିମ୍ବା ସ୍ବାସ୍ଥ୍ୟ ବିଭାଗ କିଭଳି ଜାଣିପାରିଲାନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର