ପିଥିଣ୍ଡାରେ ୨୯ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଲଖନପୁର : ଛତିଶଗଡ଼ ସୀମାରେ ଥିବା ଲଖନପୁର ବ୍ଲକ୍‌ ୧୯ଖଣ୍ଡ ମୌଜା ପିଥିଣ୍ଡା ଗାଁର ୨୯ ଜଣ ବ୍ୟକ୍ତି ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ୧୪ ଜଣଙ୍କ ମଧ୍ୟରୁ ଜଣଙ୍କୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତର ଖାନାକୁ ପଠାଯାଇଛି। ଅନ୍ୟ ୧୫ ଜଣ ଆକ୍ରାନ୍ତଙ୍କୁ ପିଥିଣ୍ଡା ଗାଁରୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାତି ସୁଦ୍ଧା ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପିଥିଣ୍ଡା ଗାଁରେ ସ୍ୱତନ୍ତ୍ର ଭାବେ ଏକ ୧୦୮ ଅମୁଲାନ୍ସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ ରବିବାର ରାତିରେ ଗାଁର ସନ୍ତୋଷିନୀ ଦେହେରୀ(୨୯), ରେଶମା ଦେହେରୀ(୧୪) ଓ ଲିଲିମା ଦେହେରୀ(୮) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ରାତିରେ ତ୍ରାହିକର ଦେହେରୀ(୪୨), ସବ୍ୟା ସା(୨୮), ସାବିତ୍ରୀ କାଲୋ(୬୫) ଓ ପୂଜା ଦେହେରୀ(୨୪) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପୁଣି ବୁଧବାର ଦିନ ଗାଁର ଅନିରୁଦ୍ଧ ଭୋଇ(୧୨), ସୁନିତା ଭୋଇ(୩୦), ଅନୁସୂୟା ଦେହେରୀ(୨୧), ଉର୍କୁଳି ଭୋଇ(୬୦), ଭ୍ରମର ଭୋଇ(୪୦), ଜାହ୍ନବୀ ଦେହେରୀ(୨୩), ଅଙ୍କୁଶ ରଣା(୧୨), ବାଜିନାଥ ଦେହେରୀ(୪୨), ଚନ୍ଦ୍ରକାନ୍ତି ସା(୫୬), ଅକ୍ଷୟ ସା(୨୯), ସଞ୍ଜୁ ମତି(୭୦), ରାଧା ଦେହେରୀ(୩୬), ପ୍ରମୋଦ ଠେଟୁର(୪୬),  ଅଶୋକ ଦେହେରୀ(୪୨), ଶ୍ରୀୟା ବଢ଼େଇ(୩୬), ଦିବ୍ୟ ଭୋଇ(୭), ପାର୍ବତୀ ଭୋଇ(୪), ରୁକ୍ମଣୀ ସେଠ(୩୫), ମମିତା ଦେହେରୀ(୧୮), ରଙ୍ଗବତୀ କାଲୋ(୫୫) ଓ ଉର୍ମିଳା କାଲୋ(୨୬) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣ ବୁଧବାର ଦିନ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ତ୍ରାହିକର ଦେହେରୀ(୪୨)ଙ୍କୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।

ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲା ମହାମାରୀ ବିଶେଷଜ୍ଞ ଡା. ରତ୍ନାକର ଚୌଧୁରୀଙ୍କ ନେତୃତ୍ୱରେ ଡିଏସ୍‌ଏମ୍‌ଓ ଡା. ମଧୁଳିକା ସାହୁ, ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡା. ବୈକୁଣ୍ଠନାଥ କଶ୍ୟପ, ଡିଡିଏମ ଆଇଡିଏସପି ରାଜେଶ ପଟେଲ, ପିଏଚ୍‌ଇଓ ମଦନାନନ୍ଦ ସେଠ୍‌ ଓ ବିପିଏମ ଆଶୁତୋଷ ବେହେରା ବୁଧବାର ପିଥିଣ୍ଡା ଗାଁକୁ ପହଞ୍ଚି ଘର ଘର ବୁଲି ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ଆବଶ୍ୟକ ଔଷଧ ଓ ହେଲୋଜେନ ବଟିକା ଦେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଏଥି ସହିତ ସେମାନେ ଗାଁର ପାନୀୟ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଝାରସୁଗୁଡ଼ାକୁ ପଠାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଲଖନପୁର ବିଡିଓ ଜୟନ୍ତ ସାହୁ ଓ ତହସିଲଦାର ବିଶ୍ୱକେଶନ ପାଣ୍ଡେଙ୍କ ସହିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଓ କର୍ମଚାରୀ ପିଥିଣ୍ଡା ଗାଁରେ ଉପସ୍ଥିତ ରହି ସ୍ଥିତିର ତଦାରଖ କରିଥିଲେ। ଦୂଷିତ ପାନୀୟ ଜଳ ପାଇଁ ଏଭଳି ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ମାତ୍ର ଜଳ ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡ଼ିବ। ବର୍ତ୍ତମାନ ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ଓ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡା. କଶ୍ୟପ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର